କେଉଁ ଆଶେ
କେଉଁ ଆଶେ
ଗଣତନ୍ତ୍ର ତା' ମନ୍ତ୍ର ଭୁଲିଛି
ଯନ୍ତ୍ର ପରି ଏ ଦେଶ ଚଳୁଅଛି
ପତାକା ହୋଇଛି ନତ,
କ୍ରାନ୍ତି ନାମରେ ଭ୍ରାନ୍ତି ବିରାଜେ
ଶାନ୍ତି ଶୋଇଛି ଗହନ ରାଇଜେ
ନିବୁଜ ମୁକ୍ତି ପଥ l
ଭଗ୍ନ ଶିଳାର ଆଢୁଆଳେ ଥାଇ
ନଗ୍ନ କୀରତି ଡାକେ ରହି ରହି
ମଗ୍ନ ହେବାକୁ ସାଥେ,
କାହିଁ ସେ ଲଗ୍ନ କାହିଁ ସେହି ବେଳା
ଅମୃତ ସ୍ଥଳେ ଉତ୍କଟ ଜ୍ୱାଳା
ସହ୍ୟ ହୁଏନା ସତେ l
ଭକ୍ତ ଭିଡ଼ଇ ପୁଣ୍ୟ ଦଉଡି
ମୁକ୍ତ ହେବାକୁ ପାପ ଶ୍ରାପ ଫେଡ଼ି
ସତେକି ଶକ୍ତି ଶାଳୀ,
ସୁପ୍ତ ଅଥଚ ଚେତନାର ସ୍ତରେ
ନିରୀହ ରକ୍ତେ ରଞ୍ଜିତ କରେ
ଧାର୍ମିକ ପୀଠ ସ୍ଥଳୀ l
ଛନ୍ଦ କପଟେ ଜଗତ ଜିଣିଛି
ଅନ୍ଧ ପୁଟୁଳି ବାନ୍ଧି ରଖିଛି
କୁହେଳିକୁ ମଣେ ସତ,
ମନ୍ଦ କରମେ ମତ୍ତ ରହେସେ
ଫାନ୍ଦ ଭିଆଇ ନାଚାରେ ମୋହେସେ
ମିଥ୍ୟା ନାଟକେ ରତ l
ପ୍ରିୟ ପରିଜନ ବନ୍ଧୁ ସୋଦର
ଏ ଭଵ ଭୂଇଁରେ କିଏ ଵା କାହାର
ପ୍ରାଣ ବି ଆପଣା ନୁଁହ,
କାହିଁ ପାଇଁ ବାବୁ ସଞ୍ଚୁଛୁ ଧନ
ପାରିବୁକି କିଣି ହୃଦ ଆଉ ମନ
ପଇସା ବଦଳେ କହ l
