କେତେଦିନ"
କେତେଦିନ"
କେତେଦିନ ଆଉ ଫଟା କାନ୍ଥପରେ
ମାଟି ସେ ଲେପି ରଖିବ,
କେବେ ଝଡିପଡେ ଫାଟ ଦେଖାଯାଏ
ଲଜ୍ୟା କୁ ବସ୍ତ୍ର ଢାଙ୍କିବ।
କେବେ ଦାରିଦ୍ର୍ୟର କଷାଘାତ ଖାଏ
କେବେ ସାମର୍ଥ୍ୟ ଓ ଶକ୍ତି,
କେବେ ସମ୍ଭାବନା ଅହେତୁକ ଝଡ଼
ବିଲୁପ୍ତ ଏଠାରେ ଶାନ୍ତି।
କେତେ ଉପଦେଶ ମାଗଣାରେ ମିଳେ
ସବୁଠି କାମ କରେନା,
ସ୍ବାର୍ଥ ଯହିଁ ଲୁଚେ ଅନ୍ଧାରି ମୂଲକେ
ଚୋଟ ମାରେ ବେଳେ ସିନା।
ନିରବତା ଏଠି ଅଟେ ମହା ଅସ୍ତ୍ର
କଷ୍ଟ ପିଇଯିବା ମନ୍ତ୍ର,
ନିଜ ଛୁରି ଏଠି କାଟେ ନିଜ ଗଳା
କି କାର୍ଯେ ଲାଗିବ ଶସ୍ତ୍ର।
ଆଜି କଥା ପୁଣି କାଲି ଭୁଲି ଯାନ୍ତି
ଅତିତ ଲୁଚେ ଅନ୍ଧାରେ,
କା ଦେହର ଲୁହ ଲହୁ ପିଇ ଏବେ
ଅଛୁ ବର୍ଣ୍ଣାଢ଼୍ୟ ମେଳାରେ।
ମନେ ପକାଇବା ଅଟେ ମହାପାପ
ଆଗକୁ ଲମ୍ବିଛି ରାସ୍ତା,
ସବୁ ଦଉଡନ୍ତି ଛୋଟାଟା ବିଚରା
କହୁଛି ଟିକେ ରହିଥା।
ପଇସାର ମେଳା ସବୁଠି ଲାଗିଛି
ପଇସା ଶୋଷଣ ନିତି,
ସବୁ ରକ୍ତ ଶୋଷି ଶୋଷ ତ ନ ମେଣ୍ଟେ
ଆହୁରି ନିଅନ୍ତି ଲୁଟି।
ଉତ୍ତରରେ ମିଳେ ଇଛା ଅନୁଯାୟୀ
କିଛି ମିଳିବନି ଏଠି,
ସବୁ ପରିସ୍ଥିତି ମିଶାଇଣ ଚଳ
ବୟସେ ଦିଅନା ଦୃଷ୍ଟି।
କେହି ନୁହେଁ କାର ସବୁ ସାତ ପର
ନେଲାବେଳେ ସବୁ ନିଜ,
ନେଇଗଲା ପରେ ମୁହଁ ରେ ଯେ ନିଆଁ
ଚୁପ୍ ହୋଇ ଧିରେ ବସ।
