କେତେଦିନ ଅପକର୍ମ
କେତେଦିନ ଅପକର୍ମ
ହାଏରେ କଳିଯୁଗ ମଣିଷ,
ପୋକ ପକାଉ ଯେ ଥାଏ ସଜ ଜିନିଷ।
ନିଜେ ପାଇବାକୁ ଶାନ୍ତି
ଅନ୍ୟର ଶାନ୍ତି ବିଗାଡୁ,
ନିଜ ପେଟ ଭରିବାକୁ
ଅନ୍ୟର ଘର ଉଜାଡୁ,
ତେବେବି ତ ହେଉନୁ ଅଳ୍ପାୟୁଷ,
ପୋକ ପକାଉ ଯେ ଥାଏ ସଜ ଜିନିଷ ।
ମନ ମଧ୍ୟେ ଶାନ୍ତି ନାହିଁ
ହୋଇଅଛୁ କ୍ରାନ୍ତିକାରୀ,
ନିଜେ ବଡଲୋକ ହେଉ
ଅନ୍ୟକୁ କରୁ ଭିକାରୀ,
କେତେଦିନ ଥିବ ଏହି ବୟସ,
ପୋକ ପକାଉ ଯେ ଥାଏ ସଜ ଜିନିଷ ।
ଜାଣିଅଛୁ ଭଲଭାବେ
କେହି ରହି ନାହିଁ ଭବେ,
ନିଜ ନିଜ କର୍ମ ସାରି
ବାହୁଡି ଯିବେଟି ସର୍ବେ,
ତେବେ କାହିଁ ମନରେ ଘୋଳୁ ବିଷ,
ପୋକ ପକାଉ ଯେ ଥାଏ ସଜ ଜିନିଷ ।
ପାପ କର୍ମ କରୁଥିଲେ
ମିଳେ ମହାକାଳ ଫଳ,
ଅନ୍ୟ ଘର ଭାଙ୍ଗୁଥିଲେ
ପିଏ ବିଷ ହଳାହଳ,
ତଥାପି ମନେ ନାହିଁ ପରିତୋଷ,
ପୋକ ପକାଉ ଯେ ଥାଏ ସଜ ଜିନିଷ ।