STORYMIRROR

Lipsa Acharya

Abstract Others

3  

Lipsa Acharya

Abstract Others

କେମିତି ଲେଖିବି

କେମିତି ଲେଖିବି

1 min
262

ଆଜି ବି କଥା 

ସେହି ଗୋଟିଏ ପ୍ରଶ୍ନ ପାଖରେ ଅଟକିଛି 

ଲେଖୁନ କାହିଁକି? 

ଉତ୍ତର ବି ବହୁତ ପୁରୁଣା

କେମିତି ଲେଖିବି, 

ଜଣା ନାହିଁ ଲେଖାର ଆଙ୍ଗିକ ଆତ୍ମିକ ରୂପ। 


କାହିଁକି ଗୋଟିଏ ପାଠକ

କେମିତି ଗୋଟିଏ ଲେଖକ 

କାହିଁକି ଆଉ କେମିତି ମଧ୍ଯରେ 

ଆକାଶ ପାତାଳ ତଫାତ୍। 


ପାଠକ ତା' ପ୍ରିୟ ଲେଖକକୁ 

ଅଭିମାନରେ ପ୍ରଶ୍ନ କରେ;

" ହେ ସମ୍ମାନନୀୟ କବି, ଏ ପାଠକ ଜାଣିବାରେ ସାହିତ୍ୟ କୌଣସି ନୀତି ନିୟମରେ ବନ୍ଧା ନୁହେଁ। 

ନ ଆସୁଥାଉ ତୁମକୁ

ସାହିତ୍ୟର ଗାଣିତିକ ସୂତ୍ର

ବାକ୍ଯ ଗଠନର ନିୟମ

ଶବ୍ଦ ସଂଯୋଜନାର କଳା। 

ତଥାପି ତୁମେ ଲେଖ, 

ଗୋଟିଏ ପାଠକ ମନର ଆହ୍ଲାଦ ପାଇଁ 

ତା' ଆଗରେ ପରଷି ଦିଅ

ରୂପ ରାଇଜର ରୂପକଥା।

ତୁମେ ଏତେ ଅବୁଝା କାହିଁକି କବି? 


ପାଠକ କି ପାଠକ ତୁମେ

ଦିନେ ତୁମେ ହଁ କହିଥିଲ

ମୁଁ ଲେଖି ପାରେନି

ମୁଁ ଲେଖା ପାଇଁ ଅଯୋଗ୍ୟ! 

ଆଜି ଅନେକ ଦିନ ପରେ 

ମୁହଁ ଉଠାଇ ଚାଲି ଆସିଛ ଲେଖୁନ କାହିଁକିର ପ୍ରଶ୍ନ ନେଇ?? 

ଜାଣିଛ ତୁମର କଟାକ୍ଷ ମନ୍ତବ୍ୟ

ଲେଖକ ହାଟରେ କେତେ ଲୋକହସା କରାଇଛି, 

କୁହ କେମିତି ଲେଖିବି! 


ହା ହା ହା ହା କବି

ତୁମେ ବୁଝିପାରିଲ ନାହିଁ

ପାଠକ ତା' ପ୍ରିୟ କବିର ଭୁଲ୍ କୁ ଦେଖି କିପରି ଅଣଦେଖା କରିବ? 

ମୁଁ ତୁମ ମନ୍ତବ୍ୟ ଦେବା ପାଠକ ନୁେହଁ

ତୁମ ଲେଖାକୁ ପ୍ରଥମେ ପାଠ କରୁଥିବା ପାଠକ। 

ହଁ, ମୁଁ କବି ଭିତରେ ଥିବା 

ତା' ପ୍ରଥମ ପାଠକ

ଯେ ଆଜି ତୁମକୁ ପ୍ରଶ୍ନ କରୁଛୁ କାହିଁକି ଲେଖୁନ? 


ନା ନା ମୋ ଭିତରେ ଥିବା

କବି ପଣଟି ମାଟିରେ ମିଶି ଯାଇଛି

ମୁଁ କଲମ ଆଉ ଉଠେଇବି ନାହିଁ।  

ମୋ ଅସ୍ତିତ୍ବରେ କବିତ୍ଵ ନାହିଁ, 

ତେଣୁ ତୁମେ ପାଠକ ବି ନୁହଁ

ପ୍ରଶ୍ନ କରିବାର ଅଧିକାର ଦେଲା କିଏ?


କବି ଏମିତି ଭାଙ୍ଗି ଯାଉଛ

ଭୁଲି ଯାଇଛ କି, ମନେ ପକାଇ ଦଉଛି

ମାଟି ଭିତରେ ଥିବା ମଞ୍ଜିରୁ ଚାରା ବାହାରେ

ଆଉ ସେ ଚାରା ଦିନେ ବୃକ୍ଷ ହୁଏ। 

ଚାରା ବଡ ହେବା ପାଇଁ ବହୁତ କିଛି ଆବଶ୍ଯକ ହୁଏ। 

ତୁମ ଲେଖା ବଳିଷ୍ଠ ହେବାକୁ ବି 

ଗୋଟିଏ ଭଲ ପାଠକର ଆବଶ୍ଯକ। 

ତୁମେ ନିଜେ ହିଁ ତୁମ ଲେଖାର ପ୍ରଥମ ପାଠକ। 

ହେ, କବି ଅଭିମାନ କରନି

ମନ ମାରି ବସନି

ଉଠ ଥରେ, 

ମନରେ ଭରି ଦିଅ ଉତ୍ସାହ

ଉଠାଅ କଲମ 

ଲେଖିଯାଅ ଅମର ଗୀତିର ଗାଥା। 


ଆଉ ହଁ, ତୁମ କେମିତି ଲେଖିବି ପ୍ରଶ୍ନର ଉତ୍ତର

ଲେଖିଲେ ତ ଜାଣିବ କେମିତି ଲେଖାହୁଏ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract