କେହି ବୁଝନ୍ତିନି
କେହି ବୁଝନ୍ତିନି
ସାରାରାତି ଚେଇଁ ଚେଇଁ
ଆଖିର ଶ୍ଵେତ ପରଦାଟି
ସକାଳକୁ ନାଲି,
ଯିଏ ଦେଖିଲା, ସିଏ କହିଲା
ମଣିଷ ନୁହଁ,
ନିଶାସକ୍ତ ପଶୁଟିଏ ବୋଲି।
କିନ୍ତୁ
କେହି ବୁଝିଲେନି
ଅଗ୍ନିର ରଙ୍ଗ ବି ନାଲି;
ଗତକାଲି ସାରାରାତି
ମୁଁ ବି ତ ବିରହାଗ୍ନିରେ ଜଳିଥିଲି ।
ସାରାରାତି ବସି ବସି
ଦେହର ରକ୍ତ ଓ ପାଣିକୁ
ବରଫ ସଜାଇଥିଲି,
ଯିଏ ଦେଖିଲା, ସିଏ କହିଲା
ମଣିଷ ନା ପଥରଟିଏ ।
କିନ୍ତୁ
କେହି ବୁଝିଲେନି
ନିରବତାର ରୂପ ବି ସ୍ଥାଣୁ ଓ ଗମ୍ଭୀର
ଗତକାଲି ସାରାରାତି
ମୁଁ ବି ତ ନୀରବେ ବିତେଇଥିଲି ।