କଦମ୍ବ
କଦମ୍ବ
ଶ୍ରାବଣ, ଫଟା ବାଦଲ, କାଗଜ ଡଙ୍ଗା
ପ୍ରଖର ସୁଅ, ଶ୍ରାବଣୀ ଦାସ, କଦମ୍ବ
ଜଣକ ସ୍ମୃତିରେ ଆନ ଉଜ୍ଜୀବିତ।
ଆକାଶରେ ମେଘ ଘୋଟିଲେ ମନ ଓଦା ହୁଏ
ପୃଥିବୀରେ ବର୍ଷା ପଡ଼ିଲେ ପ୍ରେମ ପୁଷ୍କଳ ହୁଏ
ଶ୍ରାବଣର ଆଦ୍ୟ ଚୁମ୍ବନରେ
ସ୍କୁଲ ହତାମଧ୍ୟସ୍ଥ କଦମ୍ବ ପ୍ରସ୍ଫୁଟିତ ହେଲେ
ଶ୍ରାବଣୀ ଦାସ ଆନମନା ହୁଏ।
ମୋତେ ହିଁ ଚଢ଼ିବାକୁ ହୁଏ
କଦମ୍ବ ଫୁଲଟେ ଛିଡ଼େଇ ତା ହାତରେ ନଦେବା ଯାଏ ଚାରା ନଥାଏ।
କାହା ଅନୁରୋଧରେ ଗଛ ଚଢ଼େ
ଅବା ସ୍ୱତଃ ଚଢ଼ୁଥାଏ
ସେ କଥା ଝାପସା ହେଲେ ବି ମନେ ପଡ଼ୁଥାଏ।
କଦମ୍ବ ଗଛରେ ଫୁଲର ରୋଷଣୀ
ପତ୍ର ଉହାଡ଼ରେ ତେରେଛା ଚାହାଣି
ପାଣି ସୁଅରେ କାଗଜ ଡଙ୍ଗା ଟଳମଳ ହେଉଥିଲା ବେଳେ
ପହିଲି ପ୍ରେମର କାଉଁରି ସ୍ପର୍ଶରେ ମନ ସିକ୍ତ ହେଉଥାଏ।
ଶ୍ରାବଣ ପଶିଲେ କଦମ୍ବ ଗଛରେ ନିଆଁ ଲାଗେ
ମେଘ ବରଷିଲେ ମନ କଅଁଳା ବାଛୁରି ସାଜେ
ଅନିଷା କରେ ---
କାହାର ମଧୁର ଆୱାଜ କୁତୁକୁତେଇ ଦେବ କି
'କଦମ୍ବ ଫୁଲଟେ ଆଣି ଦିଅନା'।
ହଁ, ସେଇ ସବୁ ସ୍ମୃତିର ଅନିଷା କରେ
ସେଇ ମଧୁର ଅନୁଭବର ଅପେକ୍ଷା ରଖେ
ପ୍ରତି ମୁହୂର୍ତ୍ତ ସେଇ ଉନ୍ମାଦନାରେ ଭରିଉଠୁ, କାମନା କରେ।
ସେଇଥିପାଇଁ ତ ଏତେ ଆପଣାର ଶ୍ରାବଣ
ଏତେ ଘନିଷ୍ଠ କଦମ୍ବ।