ଗଡି ଗଲା ଲୁହ ଦୁଇ
ଗଡି ଗଲା ଲୁହ ଦୁଇ
ଆଶା ଭରସାଟି ଲିଭି ଗଲା ଯେବେ
ଗଡି ଗଲା ଲୁହ ଦୁଇଟି ଧାର
ମିଛ ମାୟା ମୋହ ଦୁନିଆ ବୁକୁରେ
ରହିଲେନି କେହି ହେଇ ନିଜର ।
ଜୀବନର ସବୁ ସୁଖ ସମ୍ପଦକୁ
ତୁଛ କରି କଲା ସେ ଆପଣାର
ଲକ୍ଷ୍ୟ ସ୍ଥଳେ ଯେବେ ପହଞ୍ଚି ସେ ଗଲା
ଚାହିଁଲାନି ସିଏ ମୁହଁ ତାହାର ।
ନିଜେ ଭୋକ ଓପାସରେ ପଡି ରହି
ଖୋଇ ଦେଉ ଥିଲା ତାକୁ ଆହାର
ସିଏ ଘରୁ ଯେବେ କରିଲା ବାହାର
ଗଡି ଗଲା ଲୁହ ଦୁଇଟି ଧାର ।
ଯା ପାଇଁ ସର୍ବସ୍ଵ ତ୍ୟାଗ କରି ସିଏ
ଗର୍ବେ କହୁଥିଲା ସିଏ ମୋହର
ସଭିଁଙ୍କ ସାମ୍ନାରେ ସେ କିଏ ଚିହ୍ନିନି
କହି ଅପମାନ କରିଲା ଘୋର ।
ନିଜଠୁ ଅଧିକ ଭଲ ପାଇ ସିଏ
ବୁଝୁ ଥିଲା ଦୁଃଖ ସୁଖ ଖବର
ନିନ୍ଦା ଅପବାଦ ଯେବେ ବୋଳି ଦେଲା
ଗଡି ଗଲା ଲୁହ ଦୁଇଟି ଧାରା ।
ବିପଦ ଆପଦେ ସାହା ହେଇ ସିଏ
ସାଥେ ରହୁଥିଲା ଯେ ନିରନ୍ତର
କିଏ ସେ ତୁ ମୋର କହି ଘୃଣା କଲା
ଗଡି ଗଲା ଲୁହ ଦୁଇଟି ଧାର ।
ନିଜେ ନିନ୍ଦା କଳଙ୍କଟି ବୋଳି ହସ
ଦେଉଥିଲା ସିଏ ତାର ଅଧର
ସିଏ ଯେବେ ନିଜେ ଦୋଷୀ ସଜେଇଲା
ଗଡି ଗଲା ଲୁହ ଦୁଇଟି ଧାର ।
ଯା ପାଇଁ ନିଜର ଖୁସି ବଳି ଦେଲା
ସିଏ କହିଦେଲା ତୁ ସ୍ବାର୍ଥପର
ନିର୍ବାକ୍ ହେଇ ସେ ଚାହିଁ ରହିଥିଲା
ଗଡି ଗଲା ଲୁହ ଦୁଇଟି ଧାର ।
ଦୁଃଖ ଦେଖି ତାର ସହି ନ ପାରି ସେ
ଡାକେ ଠାକୁରଙ୍କୁ ସେ ନିରନ୍ତର
ସିଏ ଯେବେ ଥଟ୍ଟା ପରିହାସ କଲା
ଗଡି ଗଲା ଲୁହ ତା ଦୁଇ ଧାର ।
ସବୁ ସମ୍ପର୍କକୁ ଛିଣ୍ଡେଇ ଦେଇ ସେ
ସୁରକ୍ଷା କବଚ ସାଜିଲା ତାର
ଜୀବନ ସାଥିଟି ମିଳିଗଲା ଯେବେ
ଛିଣ୍ଡେଇ ଦେଲା ସେ ସମ୍ପର୍କ ଡୋର ।
ଛାଇ ପରି ରହି ଜଳି ଜଳି ସିଏ
ତାକୁ ଭାବୁ ଥିଲା ତାର ନିଜର
ଯେବେ ଘୃଣା ଅପମାନ ସିଏ ଦେଲା
ଗଡି ଗଲା ଲୁହ ଦୁଇଟି ଧାର ।
ବୁଝି ପାରିଲାନି ବନ୍ଧୁତା ଭାବ ସେ
ସନ୍ଦେହ ନିନ୍ଦା ସେ ଭରି ମଥାର
ଦୂରେଇଲା ଯେବେ ବେଶୀ ବାଧି ଗଲା
ଗଡିଗଲା ଲୁହ ଦୁଇଟି ଧାର ।
