କଢି଼ର ସ୍ବପ୍ନ
କଢି଼ର ସ୍ବପ୍ନ
କଅଁଳ କଢି଼ ମୁଁ ରହିଛି ଚାହିଁ
ନରମ ସୁନ୍ଦର ସୁନେଲି ସକାଳକୁ
ସୂର୍ଯ୍ୟ ଉଇଁଲେ ଫୁଟିବି ମୁହିଁ
ମହକାଇ ସାରା ଦୁନିଆକୁ।
ସୁରଭିରେ ମୋର ମହକି ଉଠିବ
ଏଇ ସଚରାଚର ସଂସାର
ବାସ ମୋର ଚହଟିବ ଚତୁର୍ଦ୍ଦିଗେ
ଅପରୂପ ମାଧୁର୍ଯ୍ୟ ରାଜିବ ରୁଚିର।
ମୋହି ନେବି ସବୁରି ମାନସ
ବିତରି ଆପଣାର ଅମୀୟ ସୁବାସ
ମୋର ଭବ୍ଯ ରୂପକାନ୍ତି ଦରଶନେ
ସଭିଙ୍କ ଅନ୍ତରେ ଭରିଯିବ ଭାବ ହରଷ।
ଜ୍ଞାତ ଅଛି ମୋତେ ଏଇ ଜନମରେ
ମୋର ଅଳପ ଦିନର ଆୟୁଷ
ବୟସ ବିତିଲେ ସବୁ ତ ଅସାର
ସଂସାର ତିମିର ଲାଗିବ ବିଷ।
କ୍ଷୁଦ୍ର ମନେ ମୋର ଦୃଢ ଆଶା ବାନ୍ଧିଛି
ଶୋଭା ପାଇବି ଦିନେ ମୁଁ ଶ୍ରୀରଙ୍ଗାଚରଣେ
ସାର୍ଥକ ହୋଇବ ତେବେ ଜନ୍ମ ମୋହରି
ପରମ ଉଚ୍ଛ୍ଵାସ ଲଭିବି ଟିକି ପରାଣେ।