STORYMIRROR

Sambit Srikumar

Abstract Inspirational

3  

Sambit Srikumar

Abstract Inspirational

କବିତାର ଭାଷା

କବିତାର ଭାଷା

1 min
371


ମୁଁ ତ ଛାଡ଼ି ଚାଲି ଆସିଛି କୌଶଳରେ

ଅନେକ ଦିନ ତଳୁ ମୋ ଶୈଶବର ଭାଷା

ଗାଁ ଦାଣ୍ଡରେ ଧୂଳି ଖେଳ ବେଳର ଭାଷା

ସେଇ ପୁରୁଣା ଗାଉଁଲି ଅସଭ୍ୟ ଦେଶୀୟ ଭାଷା

ମୋର ଦୈନନ୍ଦିନ ଜୀବନର ଭାଷା

ନିତିଦିନିଆ ବ୍ୟବହାର୍ଯ୍ୟ ଭାଷା

ଲେଖିବା ପାଇଁକି ବିଶୁଦ୍ଧ କବିତା !!


ମାନବ ସଭ୍ୟତାର ପ୍ରଗତି ଆଳରେ

ବଦଳି ଯାଇଛି ଆଜି ଭାଷାର ପରିଭାଷା

ସଭ୍ଯ ଶିକ୍ଷିତ ହେବାର ପ୍ରତିଯୋଗିତାରେ

ନିତି ବଦଳୁଛି ଭାଷାର ମାନକ ସ୍ବରୂପ

ବଳି ପଡ଼ି ଯାଇଛି ମୋର ଅତି ପ୍ରିୟ ଭାଷା

ଯେତେ ଚେଷ୍ଟା କଲେବି ଆଉ ଲେଖିହୁଏନି

ପୁଣି ସେଇ ପୁରୁଣା ଅଥଚ ହୃଦୟର ଭାଷା !!


କବିତା ଲେଖିବା ପାଇଁ ଆଉ ଭାଷା

ଝରୁ ନାହିଁ ସ୍ବତଃସ୍ଫୁତ ତଟିନୀର ଧାର ପରି

ଯାଉ ନାହିଁ ଲଂଘି ସୀମା ସରହଦ

ଆଜିକାଲି କୃତ୍ରିମ ବୁଦ୍ଧିମତ୍ତାର ଉପଯୋଗ

ଘଷାମଜା ମାପଚୁପ ଭାଷାର ପ୍ରୟୋଗ

କେତେ ଭାଗ କେତେ ମାପ ଯାନ୍ତ୍ରିକ ମିଶ୍ରଣ

ସଭ୍ୟତାର ଚକ ତଳେ ହଜିଯାଇଛି ଭାବ

କେଉଁଠୁ ବା ଆଉ ଆସିବ ଭାଷାର ବୈଭବ?


ଭାଷା ତ ନଦୀ ପରି ସଦା ବଦଳାଏ ଗତିପଥ

ଶୈଶବର ଭାଷା ଯଦି ଯୌବନେ ଅଶୁଦ୍ଧ

ଯୌବନର ଭାଷା କି ବାର୍ଦ୍ଧକ୍ୟକୁ ରହିଥିବ ଶୁଦ୍ଧ?

କାଳର ବିବର୍ତ୍ତନରେ ବଦଳି ଯାଇଥିବ ଭାଷା

ଏବର ଭାଷାକୁ ଯେ ଆସନ୍ତା କାଲି କିଏ ବୁଝିବ

ଦୃଢ଼ତାର ସହ କହିବା ବୃଥା ଆସ୍ଫାଳନ ମାତ୍ର

ଭାଷାକୁ ସଶକ୍ତେ ଜାବୁଡ଼ି ଭାବକୁ ପରିହାରି

ଲେଖିଲେ କବିତା ବା ହେବ ସର୍ବଜନ ବୋଧଗମ୍ୟ

ତାହା ବା କିଏ ଦୃଢ଼ତାର ସହ କହି ପାରିବ?



Rate this content
Log in

Similar oriya poem from Abstract