କବିତା
କବିତା
କବିତା, କବିର କଳ୍ପନା ପ୍ରସୂତ,
ରସାଣିତ ହୃଦୟର ଭାଷା
ସାଧନାରତ ଭାବ ଲଳିତ ଶବ୍ଦେ
ଲେଖି ଦିଏ କେତେ ଆଶା ।
କବି ଆଣିଥାଏ ଆବେଗର ଲଳିତ
ଲହରେ ମନର ଭାବନା
ନିର୍ଜୀବ ଦେହରେ ସୃଷ୍ଟି କରିପାରେ
ତାହା ଜୀବନର ସମ୍ଭାବନା ।
ଲାଳିତ୍ୟରେ କବି ତା' କବିତା ସୃଷ୍ଟି
କରେ ସୁନ୍ଦର ସର୍ଜନା କରି
ଅମୃତ ବୀଣାର ଝଙ୍କାର ଛନ୍ଦେ ହୃଦୟରୁ
ମନର କଥାକୁ କଲମର ତୁଳି ଧରି ।
ସୁଗନ୍ଧ ସୁମନ ପ୍ରତି ଶବ୍ଦ ମାନ ମଣି
ମୁକ୍ତା ପରି ଆଣିଥାଏ ଖୋଜି
ସୁଖ ଦୁଃଖ ଭଲମନ୍ଦ ହାନିଲାଭ ଜୀବନ
ଗାଥା କଲମରେ ଆଙ୍କେ ରହି ମଜି।
ସମାଜର କଥା ଲେଖେ, କବିତା ତ
ଅଟେ ସମାଜ ଦର୍ପଣ
କଷ୍ଟ ହେଉ ଲହୁ ପଛେ ବହୁ, ହସି
ହସି କରେ ସମର୍ପଣ ।
କବିତା, ବିଚ୍ଛେଦରେ କରେ ମିଳନର
ସୁଅ ପ୍ରବାହିତ
ରାଗ ରାଗିଣୀରେ ଭରେ ଭଲ ପାଇବା
ର ଆଗୁଆ ପଥ ।
ସବୁଜ ବନାନୀ ରୂପ ଦେଇ ମରୁ
ଉଦ୍ୟାନକୁ କରେ ପୁଲକିତ
ଭୂମି ଠାରୁ ଭୂମା ଛୁଇଁ ପାରେ ସିଏ, କଳ୍ପନାର
ବଳେ କରେ ମନ ଆନନ୍ଦିତ ।
ବାସ୍ତବ ଚିତ୍ର ଗୁଡିକୁ ଆଣେ ଲୋକ
ଲୋଚନକୁ କବିତାରେ
ବିଷାଦ ଭିତରେ ହୃଦୟ ମଧ୍ୟରେ
ବିଶ୍ୱାସ ଆଣି ଦିଏରେ ।
ଶାସକ ତାର ଅନ୍ୟାୟ ଅତ୍ୟାଚାରକୁ
ଲୁଚାଇବାକୁ କରେ ଚେଷ୍ଟା
କଥା ଅଛି ବିନା ଆଶ୍ରୟରେ ନବର୍ତ୍ତନ୍ତି
କେବେ ପରା କବିତା ।
ମଣିଷ ମନରେ ଆନନ୍ଦ ଉତ୍ପନ୍ନ କରଇ
ଲାଳିତ୍ୟ କବିତାର ଗାନ
ଆଜି ଦିନେ କବି କବୟିତ୍ରୀ ମାନଙ୍କୁ
ଜଣାଉଛି ଅଭିନନ୍ଦନ ।