କବିତା
କବିତା
ଯେତେ ଚେଷ୍ଟା କଲେ ବି ମୁଁ ଭୁଲି ପାରେନା ।
ସେ ବୃନ୍ଦାବତୀଙ୍କ ଚଉରା,
ମାଡିଥିବା ମଧୁମାଳତୀ ଲତା,
ମହମହ ବାସୁଥିବା ବୁଦାମଲ୍ଲୀ,
ବଡ଼ ବଡ଼ ଆଖିରେ ଅନାଇ ଗୁରେଇ ତୁରେଇ
ପ୍ରଶ୍ନ ପଚାରୁଥିବା ମୋ ଗେହ୍ଲେଇ
ନାତୁଣୀର ଗୁଲୁରୁ ଗାଲୁରୁ କଥା,
ତା ଡଉଲ ଡାଉଲ ରୂପ
ସବୁ ହଜିଲା ଦିନର ସ୍ମୃତି
ଆଜି ବି ଅବୋଧ
ସେ କବିତା ।
ଅସୁମାରୀ କବିତାର ପ୍ରଶ୍ନ;
ଜେଜେ! କୁହନା କାହିଁକି ଆଉ ଆଗପରି
ଫୁଟୁ ନାହିଁ ମଲ୍ଲୀ,
ବାରମାସରେ କେବଳ ଗ୍ରୀଷମ
ଆସୁନାହିଁ ଯାଉନାହିଁ ଋତୁ,
କାକପୋଇ କରୁନାହିଁ କା କା
ଲୁଚୁଛନ୍ତି ଘରଚଟି ହଳଦୀ ବସନ୍ତ ?
ନିର୍ବାକ ମୁଁ କବିତାକୁ ଦେଖି ଆନମନା ।
ପ୍ରଶ୍ନ ଖାଲି ଅସୁମାରୀ
ଯାହା ଜକାଏ ଆଖିଏ ଲୁହ ସିନା
ସବୁ କିନ୍ତୁ ଉତ୍ତର ବିହୀନ ।
ନାହିଁ ଘୋଡା ନାହିଁ ବି ଲଗାମ
ଗାଡ଼ି ଗଡେ ତ୍ୱରିତ ବେଗରେ,
ଜୀବନର ପ୍ରତିପଦ ପାତେ ଆଜି
ଯନ୍ତ୍ର ଆବଶ୍ୟକ,
ଟ୍ରାକ୍ଟର ଚଷୁଛି ଜମି ବଳଦ ବେକାର,
ପଢାଶୁଣା,ଖେଳକୁଦ,ରନ୍ଧାବଢ଼ା
ଯାବତୀୟ ଦୈନଦିନ କର୍ମେ
ଲୋଡ଼ା ଅଟେ ଯନ୍ତ୍ର ର ସାହାରା ।
ଏଣୁ ଏ ଦୁର୍ଦ୍ଦିନ ଘୋର
ଅଭିଜ୍ଞତା ଅପାଙ୍କ୍ତେୟ
ବୃଦ୍ଧବୃଦ୍ଧା ବୟସ୍କ ବେକାର ।
ଆଭିଜାତ୍ୟର ବିଳାସ ବ୍ୟସନ ମଧ୍ୟେ
ଉବୁଟୁବୁ ନୁହେଁ ଖାଲି ପରିବେଶ
ପଶୁପକ୍ଷୀ ଜାତିଜାତି
ଅବା କେତେ ସଜୀବ ପ୍ରଜାତି,
ଦିନୁ ଦିନ ଅବକ୍ଷୟ ମୂଲ୍ୟବୋଧ
ମାନବୀୟ ସମ୍ବେଦନା ଅନ୍ତରଙ୍ଗ
ବିକୃତ ବି ମାନବ ପ୍ରକୃତି ।
ଏତେ ବେଶୀ ଜୀବନ ବ୍ୟସ୍ତତା
ମନକଥା ପେଟ ଚାପିଦିଏ,
ନିଷ୍ପେସିତ ଶୈଶବ କୈଶୋର,
ବୟକ୍ରାନ୍ତେ ବେଶୀ ବେଶୀ
ଅଣ୍ଟା ଭାଙ୍ଗି ଦିଏ ।
କବିତା ଏବଂ ମୁଁ ଉଭୟ ନିସ୍ପନ୍ଦ,
ଜହ୍ନମାମୁଁ ତାରାଖୋଜୁ ନିର୍ମଳ ଆକାଶେ ।
ଏତେ ସବୁ କିନ୍ତୁ ଦୁର୍ବିସହ
ଶୂନ୍ୟ ଶୂନ୍ୟ ଲାଗେ ।
ବାଡ଼ି ଟିକୁ ସଳଖେ ଧରାଇଦେଲେ
ମୁଁ କବିତାକୁ ଆଶ୍ରା କରି ସନ୍ତର୍ପଣେ
ଧିରେ ପାଦ ଥାପେ ।
ଆଉ କବିତାର ପ୍ରବୋଧନା ଭାରି ହସ ଲାଗେ ।
ସେକାଳେ ଶିଖିଲାଣି କେକ୍ କରି
ଆଉ ଭଲଭଲ ରାନ୍ଧଣା ସବୁକୁ
ମୋ ପାଖକୁ ପଠାଇବ
ରୀତିମତ ନେଟ ଜରିଆରେ ।