କବିତା
କବିତା
ପଦେ ମିଠାକଥା ପରକୁ ଆପଣା କରିନେଇ ଯାଇପାରେ,
ମୁରୁକି ହସରେ ଅଚିହ୍ନା ଲୋକ ବି ଚିହ୍ନାହୋଇ ହାତଧରେ ।
କୋମଳ ହାତର ପରଶ ଟିକିଏ ହୃଦକୁ ଶୀତଳ କରେ,
ବିପଦ ବେଳରେ ଆହା ବୋଲି ପଦେ କହିଦେଲେ ଦୁଃଖ ସରେ ।
ଅଭାବ ବେଳରେ ସାମାନ୍ୟ ସାହାଯ୍ୟ ବଡ଼କାମ କରିଥାଏ,
ଭୋକବେଳେ ଖୁଦଭଜା କି ପଖାଳ ଜୀବନଟା ରଖିଦିଏ ।
ଦୁର୍ଯୋଗରେ କେହି ଠିଆ ହେଇଗଲେ ମହତଟା ରହିଯାଏ,
କୋହବେଳେ କେହି ଲୁହ ପୋଛିଦେଲେ ମନଟା ହାଲୁକା ହୁଏ ।
ଦୁଃଖବେଳେ କେହି ଆଶ୍ଵାସନା ଦେଲେ ସାହସ ମିଳିବ ସିନା,
ଅନ୍ଧାରରେ କେହି ବତୀ ଦେଖାଇଲେ ଧାର୍ମିକରେ ହୁଏଗଣା ।
ବୁଡ଼ି ଗଲାବେଳେ କୁଟାଖିଏ ଥିଲେ ହୁଏ ସେ ଭରସା ସାହା,
ପ୍ରାଣ ଗଲାବେଳେ ନାରାୟଣ ନାମ ଦେଖାଏ ମୁକ୍ତିର ରାହା ।
