କବିତା
କବିତା
କବିତା ଗୋ !
ନୀରବ ରାତି କୋଳରେ
ତୁମେ ମୋର ପ୍ରାଣ-ପ୍ରିୟ ପ୍ରିୟତମ
ଶବ୍ଦରେ ଶବ୍ଦରେ ସମ୍ମୋହିତ କର
ଐନ୍ଦ୍ରଜାଲକ ସମ ,,,
ତୁମେ ମୋ ସକାଳର ଆଲୋକ
ରାତିର ଜ୍ୟୋସ୍ନା ,
ଆଉ ପୁଣି ସଂଧ୍ୟାର ଗୋଧୂଳି
ସୁଖରେ ଦୁଃଖରେ ମୋ ପାଶେ ରହି
ଖେଳୁଥାଏ ସଦା ଲୁଚକାଳି
କବିତା ଗୋ !
ତୁମେ ମୋ ଶ୍ରାବଣର ତୃଷ୍ଣା ,
ମଳୟର ବାସ୍ନା ,
ରୁଦ୍ର ବୈଶାଖରେ ତୁମେ
ରଚିପାର ଯେ ବିଜୁଳି,
ତୁମ କର ସ୍ପର୍ଶେ ଆପ୍ୟାୟିତ ହୋଇ ,
ଜହ୍ନ ରାଇଜରେ ଖେଳେ ମୁଁ ଦୋଳି ;
ଶର୍ବରୀ ଆକାଶେ ଶୁଭ୍ରଜ୍ୟୋସ୍ନା ତୁମେ
ଦିବସରେ ସୂର୍ଯ୍ୟସ୍ନାତା,
ମୌସୁମୀ ଆସିଲେ ମେଘଲଗ୍ନା ସାଜି
ହୁଅ କେତେ ସୁଶୋଭିତା ,
ନୀରବ ରାତିର ଅଭିସାରିକା ଗୋ
ଛନ୍ଦମୟ ତୁମ କାନ୍ତି ,
ନବୀନ ବସନେ ,
ନୂତନ ଶୃଙ୍ଗାରେ ,
ଆଳଙ୍କାରିକ ଅଙ୍ଗ ଜ୍ୟୋତି;
କବିତା ଗୋ !
ତୁମେ ଆସ ଧୀରେ
କଳ୍ପନା ରାଜ୍ୟରେ
ବାନ୍ଧି ପ୍ରେମମୟ ଡ଼ୋର ,
କେବେ ଆଖିରୁ ଝରିଯାଅ ତୁମେ
ହୋଇ ଲୋତକର ଧାର ,
ଜଞ୍ଜାଳମୟ ଜୀବନର ଜର୍ଜରିତ ପଥେ
ତୁମେ ମୋର ଏକାନ୍ତ ନିଜର ,
ଶବ୍ଦରେ ଶବ୍ଦରେ
ସୃଷ୍ଟି କର କେତେ
ମୋହନ ମାୟା ସଂସାର ,,,
