କବିତା ଗୋ
କବିତା ଗୋ
ଅନେକ ଭାବନା ଭାବର କଳ୍ପନା
ଆବେଗର ସମାହାର,
ଶୂନ୍ୟରୁ ସାଉଁଟି ଶବ୍ଦରୁ କେତୋଟି
ଯୋଡୁଛି ମୁଁ ପଦ ହାର।
ହୃଦୟର ବାର୍ତ୍ତା କହିବାକୁ ସଫା
ଭାବେ କରୁଛି ପ୍ରକାଶ,
ଅନ୍ତରୁ ଅନ୍ତତଃ ତୋଳିଅଛି ସୁଖ
କା'ଓଠେ ଲେପିବି ହସ।
ନ ହେଉ ବାସ୍ତବ ହେଉ ପଛେ ମିଛ
କିବା କାଣିଚାଏ ସ୍ଵପ୍ନ,
ତଥାପି କବିତା ନାଆଁ ଦେଲି ତୁମ
ଊଣା କରିବନି ମନ।
କିଛି କିଛି ହସ କିଛି କିଛି ପ୍ରେମ
ଟିକେ ଟିକେ ଲାଜ ନେଇ,
ତେରେଛା ଆଖିରେ କଥା କହୁଅଛ
ଓଠୁଁ ମଧୁ ବାଣ୍ଟି ଦେଇ।
କଳାମେଘି ଘଞ୍ଚ କୁନ୍ତଳେ ତୁମର
ବିଜୁଳି ମାରୁଛି ରହି,
ତୁମରି ମଥାର ନାଲି ଓଢଣୀରୁ
ମୋତି ବର୍ଷା ଝରୁଥାଇ।
ତୁମ ଆଗମନ ଶୁଷ୍କ ମୋର ମନ
ଆପେ ହୁଏ ପଲ୍ଲବିତ,
ଅକୁହା କଥାର ଯନ୍ତ୍ରଣା ସବାର
ହୃଦ ମୋର ସନ୍ତାପିତ।
କେମିତି କହିବି ତୁମକୁ ସେ କଥା
ଅନ୍ତରେ ହେଉଛି ଦହି,
କହି ପାରୁନିକି ସହି ମୁଁ ପାରୁନି
ଭିତରେ ପୋଡ଼ି ମରଇ।
ସତରେ ନ ହେଉ ମିଛେ ବରଂ କୁହ
ମୋତେ ତୁମେ ଭଲ ପାଅ,
ଆଉ ଦୁଇଦିନ ବଞ୍ଚିବା ପାଇଁ ମୋ
ଅନ୍ତତଃ ସହାୟ ହୁଅ।
ଭଲ ପାଇବାର ମୃତ ସଞ୍ଜିବନୀ
ଜାଣେ ଅଛି ତୁମ ପାଖେ,
ଯେଉଁଥି ପାଇଁକି ତୁମ ଲାଗି କବି
ଭାବରେ କବିତା ଲେଖେ।
କେତେବେଳେ ମନ ଝରକା ଡେଇଁଛ
ପାଉଁଶିଆ କୁହୁଡିରେ,
କେତେବେଳେ ମୋର ବାହୁବନ୍ଧନରୁ
ଖସିଗଲ ଧିରେ ଧିରେ।
ମୃଗତୃଷ୍ଣା ପ୍ରାୟ କେତେ ଦଉଡିବି
ତୁମକୁ ପାଇବା ପାଇଁ,
ଯେତେ ଦିନ ଯାଏ ତୁମକୁ ପାଇନି
ପଛକୁ ହଟିବି ନାହିଁ।
ନିନ୍ଦା ଅପବାଦ ତତଲା ଡହକ
ପୋଡୁ ପଛେ ମୋର ହୃଦ,
ଘୃଣା ଖଇଫୁଟା ନିଦାଘ ଯନ୍ତ୍ରଣା
ସହୁପଛେ ମୋର ପାଦ।
ତୁମ ପଛେ ପଛେ ଧାଉଁଥିବି ନିତି
ଅଣନିଃଶ୍ବାସୀ ମୁଁ ହୋଇ,
ଏଇ ଅଛ ଏଇ ଚାଲି ଯାଉଅଛ
ସୁନାର ହରିଣୀ ହୋଇ।
କବିତା ହେଉଛି କବି ଜୀବନର
ସାତ ସିନ୍ଧୁକର ଧନ,
ମୁଁ କିନ୍ତୁ କବିଟି ନ ହୋଇ ବୃଥାରେ
ଦେଖୁଛି ଦିବା ସପନ।