କବିତା ଆଳାପ-21 : (ତୃତୀୟ ସପ୍ତାହ) ଗାଥା-କବିତା- : ପାଗିଳି ମାଆ :
କବିତା ଆଳାପ-21 : (ତୃତୀୟ ସପ୍ତାହ) ଗାଥା-କବିତା- : ପାଗିଳି ମାଆ :


କୁଳମଣି ମାଆ ପାଗିଳି ହେଇଛି- ଗପୁଛି ବହୁତ ବେଶି,
ଘଣ୍ଟା ଘଣ୍ଟା ଧରି କାନ୍ଦୁଛି ସେ ପୁଣି ବେଳେବେଳେ ଦିଏ ହସି |
ଗାଳିଦିଏ କେବେ ଅଶ୍ରାବ ଭାଷାରେ ଆକାଶକୁ ଚାହିଁ ହସେ,
ଗାଈଗୋରୁ ଛେଳି କୁକୁରଙ୍କ ସଂଗେ ଗଛମୂଳେ ଯାଇ ବସେ |
ଭଲ-ମନ୍ଦ କିଛି ଜାଣି ପାରୁନାହିଁ ମୁକୁଳା କରିଛି କେଶ,
ଏଣେତେଣେ ଧାଇଁ ପଳାଇ ଯାଉଛି ଲୁଣକୁ କହୁଛି ବିଷ |
ଅଚିହ୍ନା ଅଜଣା ମଣିଷକୁ ଚାହିଁ ପଚାରେ ମୋ ପୁଅ କାହିଁ,
ଦେଇଥିଲି ଚିଠି ତମରି ହାତରେ ପୁଅ ପାଇଛି କି ନାହିଁ ?
ପାଗିଳିକୁ ଦେଖି ପିଲାଏ ଲୁଚନ୍ତି କୁକୁର ଭୁକନ୍ତି ଡରି,
ବୁଢା-ବୁଢ଼ୀଲୋକ ଦେଖିଲେ ପାଗିଳି କାନ୍ଦେ ତାଙ୍କ ଗୋଡ଼ଧରି |
କିଏ ବା ବୁଝୁଛି ତା'ର ମନକଥା କାହିଁକି ପାଗିଳି
ହେଲା ?
କୁଳମଣି ବାହା ହେଇଗଲା ପରେ ତାକୁ ପର କରିଦେଲା |
ଘରକୁ ଆସୁନି ତା' କଥା ବୁଝୁନି ଚିଠି ଖଣ୍ଡେ ଦେଉନାହିଁ,
ପାଗିଳି ଆଖିରୂ ଲୁହ ସରିଗଲା ତା' ବାଟକୁ ଚାହିଁଚାହିଁ |
ଦିନ-ରାତି ପୁଅକଥା କହିକହି ଝୁରି ହେଉଥିଲା ସିଏ,
ଅଭାବ କଷଣ ବଢିବଢି ଗଲା ଏବେ ଖାଲି ଗାଳିଦିଏ |
ଅଭିଶାପ କେବେ ଦେଉନି ପୁଅକୁ ସେ ପରା ମାଆର ଧନ,
ପାଗିଳି ହେଲେ ବି କହୁଛି ଲୋକଙ୍କୁ ସୁଖେ କଟୁ ତା'ର ଦିନ |
ଦୁଃଖ-କଷ୍ଟ ସହି ପେଟକୁ ନଖାଇ ବଢ଼େଇଥିଲା ସେ ପୁଅ,
ବଡ଼ହେଇ ଏବେ ସୁଖରେ ମାତିଛି ମାଆର ସେ କେହି ନୁହଁ |
କୁକୁର ବିଲେଇ ଚିହ୍ନିପାରେ ମାଆ ପକ୍ଷୀ ବୁଝେ ମାଆ ଦୁଃଖ,
ଆଜିର ମଣିଷ ସବୁ ଭୁଲିଯାଏ ଖୋଜେ ନିଜ ପାଇଁ ସୁଖ |