କବିର କବିତା —୨
କବିର କବିତା —୨
କବି ନିଜ ମନେ ଆଦରେ ଯତନେ
କବିତାକୁ ଲେଖିଦିଏ ,
ଭାବ, ଭାବନାକୁ ରଙ୍ଗ ତୂଳୀ ଦେଇ
କାଗଜରେ ଛାପିଦିଏ।
କବି ଯେତେବେଳେ ଆନମନା ହୋଇ
ଭାବନାରେ ବହିଯାଏ ,
କବିତା ଛଳରେ ମନର କଥାଟି
କଲମରେ ଲେଖିଦିଏ ।
ଶବ୍ଦ ଉତ୍ପତ୍ତିରେ କାଗଜ କାଳିରେ
ଏମିତିକା ଯାଦୁଥାଏ ,
ଶକ୍ତିଶାଳୀ ବୋମା ଠାରୁ ଭୟଙ୍କର
କବି ଶବ୍ଦ ରଚିଥାଏ ।
ଖୁସି ଥିଲେ କବି ମନ ବନପକ୍ଷୀ
ଗଗନକୁ ଚୁମିଥାଏ ,
ସେତେବେଳେ କବି ସୃଜନ କଳାଟି
ବଉଦରେ ଭାସିଯାଏ ।
କବି ଯେତେବେଳେ ଦୁଃଖରେ ପହଁରେ
ଆଖି କୋଣ ଲୁହଧାରେ ,
କବିର କବିତା କୋହ ମୋହ ହୋଇ
ହୃଦୟ ବିଦାରି ମାରେ ।
କବିର କବିତା ପ୍ରୀତି ପରଷାରେ
ପୀରତି ଉଛୁଳି ପଡ଼େ ,
ବିରହ ବ୍ୟଥାକୁ କବି ଲେଖିଦେଲେ
ବେଦନାରେ ଝରିପଡ଼େ ।
କବି କେତେବେଳେ ଦେଶ ପାଇଁ ଲେଖେ
କେବେ ଲେଖେ ଶିଶୁ ପାଇଁ ,
କେତେବେଳେ ପୁଣି ବ୍ୟଙ୍ଗକୁ ସୃଜୟୀ
ହୃଦୟକୁ ଦିଏ ଛୁଇଁ ।
ପ୍ରକୃତି ଶୋଭାରେ କବି ମନ ପ୍ରାଣ
ଆନନ୍ଦରେ ଝୁମିଯାଏ ,
ପାହାଡ଼, ଝରଣା ପକ୍ଷୀ କାକଳିରେ
ଶବ୍ଦଜାଲ ବୁଣିଥାଏ ।
ରାତ୍ରୀ ଅଭିସାର ତାରା ଗହଣରେ
ପୂର୍ଣ୍ଣମୀ ଚାନ୍ଦକୁ ଦେଖି ,
ଉଷାର ଆଲୋକେ ଆଶାର ସମ୍ଭାରେ
କବିତାକୁ ଦିଏ ଲେଖି।
ଭାବ ଭରା ଭକ୍ତି ପ୍ରଭୁ ପାଦ ତଳେ
ସମର୍ପଣେ ଢ଼ାଳିଦିଏ ,
ଭଜନ, ଜଣାଣ, ଛାନ୍ଦ, ଚଉପଦୀ
ସଂକୀର୍ତ୍ତନ କରିଥାଏ ।
କବିର କବିତା ଲତା ପରି ସେ'ତ
ମାଡ଼ି ମାଡ଼ି ଚାଲିଥାଏ ,
ଶବ୍ଦର ଜଳରେ ପହଁରି ପହଁରି
କୂଳ ଲଂଘି ଟପିଯାଏ ।
କବିତା ରୂପସୀ ଅନୂଢ଼ା ବୟସୀ
ସେ'ତ ଚିର ଯଉବନା ,
କବି କଳପନା କରେ ଆନମନା
ତାକୁ କେ' ବାନ୍ଧି ପାରେନା ।
ଶବ୍ଦର ବିନ୍ଧାଣି ଶବ୍ଦ ଅଭାବରେ
ମନ ମାରି ବସିଯାଏ ,
ଭାବ ଭାବନାରେ ଶବ୍ଦ ଆଗମନେ
ସମୟ ଧରା ନ ଦିଏ ।
ଦିନ ଯାଇ ରାତି ପହିଯାଏ ସିନା
ଭାବନା ଅନ୍ତ ହୁଏନା ,
ଧରଣୀ ଠୁଁ ନେଇ ଗଗନ ପର୍ଯ୍ୟନ୍ତ
ଶେଷ କେଉଁଠି ଜାଣେନା ।
ବିଦ୍ୟାର ଆଦରେ କବି ଘରେ ଘରେ
ସର୍ବ ମନ ଜିତିଥାଏ,
କବିର କବିତା କାଳଜୟୀ ହୋଇ
ଯୁଗେ ଯୁଗେ ରହିଯାଏ ।
କବି ଲେଖୁଥିବ ଯୁଗ ଯୁଗ ଧରି
ସମୟକୁ ସାକ୍ଷୀ ରଖି ,
ଜୀବନ ଯାତ୍ରାର ଜୀବନ୍ତ କାହାଣୀ
ପାଠକଙ୍କ ମନଲାଖି ।