କବିର ଦୁଃଖ ତୃତୀୟ ଭାଗ
କବିର ଦୁଃଖ ତୃତୀୟ ଭାଗ
କବି ଦିବାରାତ୍ର ଭାବନାରେ ସମାଧିସ୍ଥ
ସମାଜ କୁ ପରଖିବାରେ ସେ ସିଦ୍ଧହସ୍ତ।
କେବେ ସୌନ୍ଦର୍ଯ୍ୟର ଶୋଭାରେ ପୁଲକିତ ତ
ପୁଣି କେବେ ଦୁଃଖରେ ତା ଚକ୍ଷୁ ବିଗଳିତ।
ରୋମନ୍ଥନ କରେ ସେହି ପ୍ରତିଟି ଘଟଣା
ପ୍ରକାଶ୍ୟ ଦିବାଲୋକେ ସେ ହୁଏ ବାଟବଣା।
କେବେ ସାମ୍ୟବାଦ ତ
କେବେ ଜଗତୀକରଣର ପଞ୍ଝାରୁ
ସମାଜକୁ ମୁକୁଳାଇବାର ଅଦମ୍ୟ ପ୍ରଚେଷ୍ଟା।
ସେଥିପାଇଁ ଭୋଗେ ଦୁଃଖ ଓ ହୁଅଇ ହିନସ୍ତା।
ତା ଆଗରେ ପେଟ ପାଇଁ କେତେ ଫନ୍ଦି ଚାଲେ
ମାଆ ଏଠି ଶିଶୁ ବିକ୍ରି କରେ।
କନ୍ୟାଟିଏ ପଣ୍ୟ ଦ୍ରବ୍ୟ ସାଜେ
ଯୁବକଟି ବେକାରୀ ହୋଇ
କାହା ପକେଟ୍ କାଟେ।
ତ କେହି କେହି ଭିକ୍ଷା ପାଇଁ
ଦିଗବିଦିଗ ଛୁଟେ।
କବି କେବେ ନିନ୍ଦା ତ କେବେ
ପାଏ ପୁରସ୍କାର ।
କେବେ ସମଧର୍ମାମାନଙ୍କର
ହୁଏ ରୋଷର ଶିକାର।
ସେ ପାଇଥିବା ଉତ୍ତରୀୟ
ତାକୁ ଥଟ୍ଟା କରେ
ତା ପାରିବା ପଣିଆକୁ ପ୍ରଶ୍ନ କରେ।
ଯେତେ ଲେଖିଲେ ବି
ସେ କଣ ବଦଳାଇ ପାରିବ ଏ
ପରଜୀବୀମାନଙ୍କୁ
ଗଢି ପାରିବ କି ସେ କ୍ଷୁଧାମୁକ୍ତ ବିଶ୍ୱ ?
ହଟାଇ ପାରିବ କି ସେ ଶୋଷଣ ଓ କଷଣର ଗ୍ରାସ
ନା ଉପଢୌକନରେ ବୁଡିଯାଇ
ପିଉଥିବ ହଳାହଳ ବିଷ।
କବି ମନ ସଦାଭାରାକ୍ରାନ୍ତ
କେବେ ପୁଣି ହେବ ଏହି ସମସ୍ୟାର ଅନ୍ତ।
