କବି
କବି
କବି ହେବା ପାଇଁ ଅନେକ ଯାତନା
କବିଟିଏ ସହିଥାଏ
କେତେଯେ କଷଣ କେତେ ଲୋକକଥା
ସହି ସେ ପାଷାଣ ହୁଏ ।।
କିଏ କହୁଥାଏ ପାଗଳ ତାହାକୁ
କିଏ କହେ ବେକାରିଆ
କାମଧନ୍ଧା ନାହିଁ ବାରବୁଲା ପରି
ଏଠି ସେଠି ହୁଏ ଛିଡା ।।
କିଏ ବା ଜାଣିବ କବିର ହୃଦୟ
ଗହନ ମନର ବ୍ୟଥା
ଭାଷା ସାହିତ୍ୟ ତା ଜୀବନ ଅଟଇ
ଲେଖନୀ କୁହଇ କଥା ।।
କବି କରିପାରେ ଅସାଧ୍ୟ ସାଧନ
କବିରେବ ପ୍ରଜାପତି
ନିରସ ମରୁରେ ବୁହାଇ ପାରେ ସେ
ଚିରସ୍ରୋତା ସରସ୍ୱତୀ ।।
ଶଇଳ ଶିଖରେ ଫୁଟାଇ ପାରେ ସେ
କମନୀୟ ଶତଦଳ
ଜହ୍ନ ରାଇଜରେ ସରଜି ପାରେ ସେ
ଧାଡ଼ିଧାଡ଼ି କୋଠାଘର ।।
ସାଗର ବକ୍ଷକୁ କରି ବିମନ୍ଥନ
କରେ ମୁକ୍ତା ଆନୟନ
କବି ଏକା ସ୍ରଷ୍ଟା କବି ଏକା ଦ୍ରଷ୍ଟା
ବହେ ତୃତୀୟ ନୟନ।।
କବି କରିଥାଏ ସମାଜ ସଂସ୍କାର
ବିପ୍ଳବର ଆବାହନ
କବିର କଲମ ବନ୍ଧୁକରୁ ଟାଣ
କରେ ଯୁଗ ବିବର୍ତ୍ତନ।।
ଅସାର ସଂସାରେ ସରବେ ମରିବେ
କବି ରହିବ ଅମର
ନିସ୍ୱ ହେଲେ ବି ଦୁଃସ୍ଥ ହେଲେ ବି
ଜୀବନ ସାର୍ଥକ ତା'ର ।।