କବି ପ୍ରାଣର ପ୍ରଣୟ
କବି ପ୍ରାଣର ପ୍ରଣୟ
କିପାଇଁ ଭାବୁଛ କବିଙ୍କ ହୃଦୟ
ଶିଶିରାଙ୍କ ଶତଦଳ !
ବୈଶାଖୀ ବତାସ , ଆତ୍ମଦହନରେ
ଜଳୁଥାଏ ଅନର୍ଗଳ !
ଅନ୍ତରରୁ କେବେ ଅନୁଭବିଛ କି
କବିପ୍ରାଣର ପ୍ରଣୟ !
ବିରହ ବିଧୁର ମିଳନ ମଧୁର
ବିଷାଦଗ୍ରସ୍ତ , ବିସ୍ମୟ !
ବେଳେବେଳେ କବି ଅଗଣାରେ ଶୁଭେ
ଶ୍ମଶାନ ଶୃଗାଳ ଧ୍ୱନି !
ପୁଣି କେବେ କବି ପ୍ରାଣେ ଜନ୍ମ ନିଏ
ଅନ୍ତର୍ଜ୍ବଳନର ଖଣି !
ବିରହ ଋତୁରେ କବି କଲମରୁ
ଝରଇ ପ୍ରେମ କବିତା !
ମିଳନ ଋତୁକୁ ଅପେକ୍ଷା ନ କରି
ଗାଏ ଜୀବନର ଗାଥା !
ପ୍ରେମ କବିତାର ମୁଖବନ୍ଧ କ'ଣ
ପ୍ରୀତି-ରତ୍ନ ବିଭୂଷିତ !
ପ୍ରୀତି ତ କିଞ୍ଚିତ ପ୍ରହେଳିକା ବେଶୀ
ଅଙ୍କ ଅର୍ଦ୍ଧବିକଶିତ !
କବିଙ୍କ ନୟନୁ ଲୁହ ବଦଳରେ
ରକ୍ତର ଝରଣା ବହେ !
ସେଇଥିପାଇଁ ତ କବିଙ୍କ ଲେଖନୀ
ଶବ୍ଦସ୍ରୋତେ କାନ୍ଦୁଥାଏ !
ଇନ୍ଦ୍ରଧନୁ ଦେହେ ଦେଖିଛ ତ ତୁମେ
ସପ୍ତରଙ୍ଗର ତରଙ୍ଗ !
କବି କଳ୍ପନା ଯେ ଅଷ୍ଟମ ରଙ୍ଗର
ପବିତ୍ର ପ୍ରୀତି-ପଲ୍ଲବ !
କବି ହେଲି ବୋଲି ମୋ' ପାଇଁ ଅଛି କି
ଅନନ୍ୟ ଏକ ସଂସାର !
ରକ୍ତମାଂସର ଏ ରୁକ୍ଷ ଶରୀର ମୋ'
ଲୋଡ଼େ ମଣିଷ ବେଭାର !
ହୃଦୟରେ ଯେବେ ରକ୍ତର କଣିକା
ଲୁହ ହୋଇ ଶୁଖିଯାଏ !
ମୋ' ନୀରବ ପ୍ରାଣ ଶବ୍ଦ ଆକାରରେ
କାବ୍ୟ ହୋଇ ଝରିଯାଏ !
ସେଇମିତି ମୁଁ ତ ସାଧାରଣ ଜଣେ
ନିୟତି ନିର୍ମିତ ନର !
ମାନବୀୟ ପ୍ରେମ ବାଣ୍ଟିବାକୁ ଯାଇ
ଆକଣ୍ଠୁଥାଏ ଜହର !
ବେଳେବେଳେ ସେଇ ଜହରରୁ ଜନ୍ମେ
ସଂସ୍କାର-ସାର ଅମୃତ !
ଇଚ୍ଛାରେ ହେଉ ବା ଅନିଚ୍ଛାରେ ହେଉ
ଗ୍ରହଣ କରେ ଜଗତ !
କେହି ରହି ନାହିଁ ରହିବେ ବି ନାହିଁ
ମୁଁ ବି ଦିନେ ଚାଲିଯିବି !
ଅସତ୍ୟର ଏହି ସ୍ଥୂଳ ସଂସାରରୁ
ସତ୍ୟକୁ ସାଉଁଟି ନେବି !
ଶ୍ମଶାନ ବକ୍ଷର ଦୁର୍ବାର ଅଗ୍ନିରେ
ମୋ' ଶରୀର ଜଳିଯିବ !
ଜୀବନର କାବ୍ୟ ସ୍ଲୋଗାନ ସ୍ୱରରେ
ଗୀତିଧର୍ମ ଗାଉଥିବ !