କବି ଓ କବିତା
କବି ଓ କବିତା
ଅନ୍ତର ଗହ୍ୱରୁ ଭାବ ବିହ୍ୱଳରେ
ଝରି ଆସେ କେତେ ସ୍ମୃତି
ସେହି ସ୍ମୃତି ଦିନେ ଲେଖନୀ ମୁନରେ
ପାଲଟେ କବିତା ଗୀତି ।
ସକଳ ପରାଣ ସକଳ ଜୀବନ
ଘଟଣାବଳୀକୁ ଧରି
ସୁଚାରୁ ଢଙ୍ଗରେ ବିଛାଇ ଦିଏ ସେ
ପାରିଜାତ ପୁଷ୍ପ ପରି ।
ତାହାରି ସୌରଭେ ତାହାରି ସୁଗନ୍ଧେ
କବି ମନ ପୁଲକିତ
ସତେ କି ଚାନ୍ଦିନୀ ଅମା ଅନ୍ଧକାରେ
ଧରଣୀ କରୁଛି ଧୌତ ।
କ୍ଷଣିକେ ଗଢେ ସେ ସ୍ଵପ୍ନ ସୌଧ ଘର
ତା ମଧ୍ୟେ କରେ ସେ ରାଣୀ
କୋଟି ବ୍ରହ୍ମାଣ୍ଡର ସୁଖ ଆଣି ଦିଏ
ସରଗ ରାଇଜୁ କିଣି ।
କେବେ ଶତୃ ହୃଦେ ଭରି ଦିଏ ତ୍ରାସ
କେବେ ଗାଏ ବୀର ପାଇଁ
କବି ଲେଖନୀର କଳ୍ପନା କରିଲେ
ବୁଦ୍ଧି ହୁଏ ଧରାଶାୟୀ ।
ପ୍ରତ୍ୟହ ପ୍ରତ୍ୟେକ ଜୀବ ଜଗତର
ପ୍ରତିଛବି ଦେଖେ କବି
କବିଙ୍କ ଦୁନିଆଁ ଭୂ ମର୍ତ୍ତ୍ୟ ମଣ୍ଡଳେ
ପ୍ରମୁଖ ଦ୍ଵାରର ଚାବି ।
