STORYMIRROR

Kali Kumar

Abstract Drama Tragedy

3  

Kali Kumar

Abstract Drama Tragedy

କବି ହେବାର ଇଚ୍ଛା ନାହିଁ

କବି ହେବାର ଇଚ୍ଛା ନାହିଁ

1 min
165

ଅକ୍ଷରର ଖୁନ୍ଦାଖୁନ୍ଦି

ଛନ୍ଦ ଜାଲରେ ପଡ଼ିବାର ନାହିଁ

ନାନା ରଙ୍ଗର ବର୍ଣ୍ଣାଳୀରେ

ଆବେଗର ବଗିଚାରେ

ହର୍ଷ-ଉଲ୍ଲାସ, ଆନନ୍ଦ-ବିଷାଦ

ପ୍ରେମ - ବିରହ, ଜୀବନ - ମୃତ୍ୟୁକୁ

କଲମ ମୁନେ ଫୁଟେଇବାର ନାହିଁ

କବି ହେବାର ଆଉ ଇଚ୍ଛା ନାହିଁ ।।

ସମାଜର ଆଡୁଆଳରେ

ନଗ୍ନ ଜୀବନର ଚିତ୍ରକୁ

ଭଗ୍ନ ମାନବର ଚିନ୍ତାକୁ

ପ୍ରତି ମୁହୂର୍ତ୍ତରେ ଦଗ୍ଧ ହୋଇ

ପାଉଁଶ ତଳର ଶବକୁ

ଜୀବନ୍ୟାସ ଦେବାକୁ

ମୋ ପାଖେ ଜମା ଧର୍ଯ୍ୟ ନାହିଁ

କବି ହେବାର ଆଉ ଇଚ୍ଛା ନାହିଁ ।।

ପ୍ରେମର ଝଙ୍କୃତ କାହାଣୀ

ପୁଣି ବିରହର ଅଶ୍ରୁସିକ୍ତ ରାଗିଣୀ

ବ୍ୟଙ୍ଗରେ ଆଉ କାନ୍ଦିବାକୁ

କଟାକ୍ଷରେ କ୍ଷତ ବିକ୍ଷତ ହେବାକୁ

ନାନାବାୟା ଗୀତେ ହଜିବାକୁ

ପ୍ରେମରେ ପୁଣି ମଜ୍ଜିବାକୁ

ଆଉ ତିଳେ ଇଚ୍ଛା ନାହିଁ

କବି ହେବାର ଆଉ ଇଚ୍ଛା ନାହିଁ ।।

ନିଃସଙ୍ଗ ପଥିକଟେ ହୋଇ

କବିତାର ପଥରେ

ବନ୍ଧୁର ଶିଳାରେ

ଦୁର୍ଗମ ଗିରିରେ

ଦୁର୍ଭେଦ୍ୟ ଜଙ୍ଗଲରେ

ଆଉ ଚାଲିବାକୁ

ପାଦରେ ମୋର ଶକ୍ତି ନାହିଁ,

କବି ହେବାର ଆଉ ଇଚ୍ଛା ନାହିଁ ।।

ଉଜୁଡ଼ା ଧରଣୀର ବକ୍ଷରେ

ଜୀଣ୍ଣ ମଣିଷର ଶିଣ୍ଣ ଆଶାକୁ

ପଲିଥିନ ତଳର ନୁଖୁରା ମଣିଷର

ମନର କୋହକୁ

ଆଉ ଲେଖିବାର ଇଚ୍ଛା ନାହିଁ

ମୋତେ କବି ହେବାର ଇଚ୍ଛା ନାହିଁ ।।

ଅର୍ଥହୀନ ଶବ୍ଦ ହୋଇ

ଅସଫଳତାର ପରିଚୟ ନେଇ

ସମସ୍ତ ଜଞ୍ଜାଳୁ ବିରତି ଅନ୍ତେ

ଶେଷ ଇଚ୍ଛାଟିକୁ ବଂଚି ଯାଇ

କବି ହେବାକୁ ଆଉ ଇଚ୍ଛା ନାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract