କଅଁଳ ମନର କଥା
କଅଁଳ ମନର କଥା
ଅଇଁଠା ଗଣ୍ଡିଏ ଖାଇ ତୁମଠାରୁ
ତୁମପାଇଁ ଖଟେ ନିତି
ଟିକେ ଡେରିହେଲେ ପିଟି ପିଟି ତୁମେ
ଫଟାଉଛ ମୋର ପିଠି I
ତୁମ ମାଡ ଗାଳି ଖାଇ ଖାଇ ମୋର
ପଥର ହେଲାଣି ଦେହ
ଆଖିରୁ ବି କେବେ ଝରୁନାହିଁ ଆଉ
ଯନ୍ତ୍ରଣା କାତର ଲୁହ I
ଗରିବ ଘରେ ମୁଁ ଜନମ ହୋଇଛି
ସେଇଟା ହିଁ ଦୋଷ ମୋର
ତୁମ ଝିଅ ମୋର ମାଲିକାଣୀ ଆଉ
ମୁଁ ଚାକରାଣୀ ତାର I
ମୋ ଶୁଖିଲା ମୁହେଁ ଦେଖିକି ପାରୁନ
ନିଷ୍ପାପ ମୁହଁଟିଏ
ଯିଏ ତା ଶୈଶବ ଜଳାଞ୍ଜଳି ଦେଇ
ତୁମପାଇଁ ଖଟୁଥାଏ I
ମୁଁ ଖୋଜିନି ଦିନେ ତୁମ ଝିଅ ପରି
ରଙ୍ଗିନ ଦୁନିଆ ଟିଏ
ମୋ କଅଁଳ ମନ ସ୍ନେହବୋଳା କଥା
ତୁମଠାରୁ ଖୋଜିହୁଏ I
