କାର୍ତ୍ତିକ ପୂର୍ଣ୍ଣିମା
କାର୍ତ୍ତିକ ପୂର୍ଣ୍ଣିମା
ଭୁଲି ନାହିଁ ଭୁଲିବନି
ଏ ସ୍ଵାଭିମାନୀ ଓଡିଆ,
ଦେଶ ଜାତି ପୂର୍ବପୁରୁଷଙ୍କ
ଯଶ କୀର୍ତ୍ତି ଗୌରବ
ଥିଲା କେତେ ବଢିଆ।
ମାଆ ମାଟିର ରଖିବାକୁ ଟେକ
ଶ୍ରମ ସାଧନେ ରହି ରତ,
ସାରା ବିଶ୍ବ ଦରବାରରେ
ହୋଇ ସୁପରିଚିତ,
ଏ ଜାତିକୁ କରିଥିଲେ ବିଖ୍ୟାତ।
ଆମ ଓଡିଆ ସାଧବ ପୁଅ
ତେର ନଈ ସାତ ସମୁଦ୍ର
ହୋଇ ପାରି,
ଯାଉଥିଲେ ଚାଲି
ବଣିଜ ବେପାର କରି ।
ସୁଦୂର ଜାଭା, ସୁମିତ୍ରା,
ବାଲି ଦ୍ଵୀପ ,
ଯାହା ଆମ ପାଇଁ
ଲାଗେ ଆଜି ଗପ।
ଧନ ଧାନ୍ୟେ ବୋଇତ
କରି ପରିପୂର୍ଣ୍ଣ ,
ଫେରୁଥିଲେ ସ୍ଵଦେଶେ
ଜାତିର ମାନକୁ ରଖି ଅକ୍ଷୁର୍ଣ୍ଣ ।
ସେ ଅଭୁଲା
ଆମ ଅତୀତ ଐତିହ୍ୟ
ଏବେ ବି ଓଡିଆ ପ୍ରାଣେ
ଯୋଗାଏ ଇନ୍ଧନ,
ପାଇ ସେ ପ୍ରେରଣା
ଆଜିର ଓଡିଆ ପୁଅଝିଅ
ଦେଶେ ବିଦେଶେ
ଅରଜନ୍ତି ଯଶ ମାନ।
ଅପାଶୋରା ସ୍ମୃତି ସବୁ
ହୃଦୟେ ସାଇତି ,
ପାଳୁ ପଞ୍ଚୁକ
ଆସିଲେ କାର୍ତ୍ତିକ
ପୁନେଇଁ ତିଥି।
ସୋଲ ବଇତରେ
ପାନ ଗୁଆ ଥୋଇ
ଯେତେ ଭଉଣୀ ଭାଇ,
କହି ଆ କା ମା ବୈ
ଜଳରେ ଦେଉ ଭସାଇ।
ମାଟି ମାଆର
ଭାବ, ଭାଷା ଆଉ ଆଶା
ମନେ ପକାଇ ଦିଏ
କାର୍ତ୍ତିକ ପୂର୍ଣ୍ଣିମା ବୋଇତ ଭସା
ଆମ ପାଇଁ ଯୁଗେ ଯୁଗେ
ଭରସାର ରାହା ,
ମାଆ ମମତାର ପଣତ କାନି
ଜୀବନ ଜୀବିକାରେ
ହେଉଥାଉ ସାହା ।
ଅତୀତ ଭିତରେ
ଆଗାମୀ କାଲିର ସମ୍ଭାବନା
ଅଛି କେତେ ଛପି,
ମହତ କାମରେ ମନ ରଖି ସଦା
ମହତ କରୁଥିବା ନିତି ନିତି
ଯା'ର ମହକରେ
ସାରା ସଂସାର ଯାଉଥିବ ବ୍ୟାପୀ।
