କାନ୍ଥ
କାନ୍ଥ
ସେଇ କିଛିଦିନ ବାପା କାନ୍ଥ ହୋଇଯାଇଥିଲେ
କିଛି କହୁନଥିଲେ କାହାକୁ
ଆକଟ ବା ପ୍ରତିବାଦ ସ୍ୱର ନରମି ଯାଇଥିଲା
ବାପା ଏକ ମାଟି କାନ୍ଥ ପରି
ପବନରେ ଦୋଳାୟିତ ହେଲାବେଳେ
ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ କବାଟ ସବୁକୁ
ଜାବ ଦେଉ ଦେଉ ଭାଙ୍ଗିପଡୁଥିଲେ
ବଡ଼ପୁଅ ବୋଲି କାନ୍ଧ ମାଗୁଥିଲେ
ହେଲେ ଉତ୍ତରଦାଇତ୍ୱ ତ ବାପାଙ୍କର
ବାପା ହୁଏତ ଭାବୁଥିଲେ ସେ ଚାଲିଗଲା ପରେ
ସେଇ କାନ୍ଥ ହୋଇ କବାଟ ସବୁକୁ କାନ୍ଧେଇବା
ବେଳ ଆସିଗଲେ ବୁଝିଯିବ
କହିନଥିଲେ ପାଟି ଖୋଲି
ବୁଝି ହୋଇଗଲା ବାପା ଚାଲିଗଲା ପରେ
ଦାଣ୍ଡରୁ ବାରି ସରକାରୀ ଚାକିରୀ
ବିଲବାଡି ଧାନଖଳା ଗୋହିରି ପୋଖରୀ
ସବୁ କବାଟକୁ କାନ୍ଥ ହୋଇ ପିଠି ହେଲାବେଳେ
ବୋଉର ଧାନଉଁସା ହାଣ୍ଡି ପରି ଗୁମସୁମ ମୁହଁ ଭାବ
କିଛି କହୁଥାଏ, ଯାହା ଅବୁଝା
କାନ୍ଥ ହେଲାପରେ ସବୁକୁ ପିଠି କରି
ଠିକ ବାପାଙ୍କ ପରି ଅସହାୟ ଭାରି
ମନେ ପଡନ୍ତି ଖୁବ ବାପା
ତୁମେ ଆଉକିଛି ଦିନ ଅପେକ୍ଷା କରିଯାଇଥିଲେ
କଣ ହେଇନଥାନ୍ତା
ଶୁଭୁଥିଲା ମାଟି କାନ୍ଥ ଆଉ କେତେ ଦିନ
ବାପା ଥିଲା ପୁଅ ସଭାରେ ବସେନା ନାମରେ
ଆଉ ମୁକୁଳିଯିବାର ରାସ୍ତା ନଥିଲା ।।
