STORYMIRROR

Narayan chandra Senapati

Tragedy Others

3  

Narayan chandra Senapati

Tragedy Others

କାନ୍ଦୁଛି ଗୋଲାପ

କାନ୍ଦୁଛି ଗୋଲାପ

1 min
317

 ସେଦିନ କଅଁଳ ମନଟା ମୋର ଆନନ୍ଦ ବିଭୋର ହୋଇଗଲା,

ମନେ ମନେ ଅଯାଚିତ କୃତଜ୍ଞତା ଯାଚିଥିଲି

ସେହି ବିଶ୍ୱନିୟନ୍ତାଙ୍କୁ,

ଯାହାଙ୍କ ସହୃଦୟତାରେ....

ମୋର ସୁନ୍ଦର ରୂପ ଲାବଣ୍ୟ ଚେହେରା

ପାଇଥିଲା ଜୀବନ୍ୟାସ,

ବିସରିତ ସୁଗନ୍ଧ ସାଙ୍ଗକୁ

ନିରୀମାଖି କୋମଳ ସ୍ପର୍ଶ,

ଆକର୍ଷିତ କରିଥିଲା ସଭିଙ୍କ ହୃଦୟକୁ।

ମୁଁ କାଳେ ପ୍ରେମର ପହିଲି ସଜ ଉପହାର,

ଅଜଣା ଅଚିହ୍ନା ଅପରିଚିତଙ୍କ ସହ

ମୁଁ କରୁଥିଲି ପରିଚୟ ଆଉ ଭାଵ ବିନିମୟ,

ମୁଁ ଥିଲି ମଧୁର ସମ୍ପର୍କର ଇତିହାସ...

ଆଉ ସ୍ବର୍ଗୀୟ ସମ୍ପର୍କର ଇସ୍ତାହାର...,

ମୁଁ କାଳେ ଥିଲି ସାମ୍ୟବାଦୀ ବାର୍ତ୍ତାବହ,

ଆଉ ନବ ଜୀବନର ତ୍ରାଣାକର୍ତ୍ତୀ,

ବିଶ୍ୱାସର ବୈତରଣୀରେ ମୁଁ କାଳେ ଥିଲି ଆଶାର ନଉକା

କେବେ ବା ଭରସାର ଆହୁଲା,

କେବେ ଗଢୁଥିଲି ପ୍ରୀତିର ନନ୍ଦନକାନନ ତ

କେବେ ଆଙ୍କୁଥିଲି ପ୍ରଣୟର କୋଣାର୍କ,

ଛୁଇଁ ଛୁଇଁ ଥରାଉଥିଲି ସଭିଙ୍କ ଶିରା ଧମନୀକୁ।

ଆଜି ବି ମନେ ଅଛି ସଭିଙ୍କୁ କହିଥିବା ମୋ ଅକୁହା କଥା,

"ଏ ଜୀବନ ଗୋଲାପର ଶଯ୍ୟା ନୁହଁ"

ଗୋଲାପ ପାଇବାକୁ ହେଲେ କଣ୍ଟାର ଆଘାତ ପାଇଁ ପ୍ରସ୍ତୁତ ହୁଅ,

କୋମଳ ନିଷ୍ପାପ ମନରେ ସୁଗୁଣର ସୁବାସ ଭରିଦିଅ,

ଶାଶ୍ୱତ ପ୍ରେମରେ ହୃଦୟକୁ ଜିତ,

ମହାନତାର ଗୋଲାପ ଜଳରେ

ସଂକୀର୍ଣ୍ଣ ମନକୁ କର ଉଚ୍ଚ ଓ ମହତ,

କର୍ମକୁ ଧର୍ମ କରି ଆଗେଇ ଚାଲ,,

ଯଦି ବି ଇଚ୍ଛା ଅଛି

ସଫଳତାର ସିଡ଼ି ଚଢ଼ିବାକୁ।

ମୋର ସ୍ବପ୍ନ କିନ୍ତୁ ଆଜି ଦୁସ୍ବପ୍ନ ପାଲଟିଗଲା,

ରାଣୀ ହୋଇ ବେଶ୍ୟାର ଶଯ୍ୟାଶାୟିନୀ ମୋ ଭାଗ୍ୟରେ ଥିଲା,

କେବେ ଅସୌଜନ୍ୟାଙ୍କ ଗଭାରେ ତ

କେବେ ଅସାମାଜିକଙ୍କ ଦୁର୍ଗନ୍ଧ ହାତରେ,

ମୁଁ ଆଜି ସାଜିଛି ପ୍ରତାରଣାର ଖେଳଣା,

ବ୍ୟଭିଚାରୀ ବ୍ୟଭିଚାରିଣୀଙ୍କ ସୁଲଭ ଚାଳନା,

ବ୍ୟକ୍ତିତ୍ୱ ବିହୀନା ଅନାଥିନୀ ହୋଇ

ମର୍ଯ୍ୟାଦାର ମରୁବାଲିରେ ମୁଁ କାନ୍ଦୁଛି...

କିଏ ବା ପୋଛିବ ମୋ ଆଖିରୁ ଟୋପାଏ ଲୁହ ?

କିଏ ବା ବୁଝିବ ମୋ ଦରଦୀ ହୃଦୟର କୋହ ?

ଅନେକଙ୍କ ହାତ ଆଜି ଅସ୍ବଚ୍ଛ...

ଚିନ୍ତା ଚେତନା ବି ହୀନ ଆଉ ନୀଚ୍ଚ...

ମଝିରେ ମଝିରେ ସତେ ଯେମିତି ମୁଁ ଶୁଣୁଛି ଅଟ୍ଟହାସ୍ୟ...

ହେଉ ଦେଖରେ...କାନ୍ଦୁଛି ଗୋଲାପ

କୁଆଡେ ଗଲା ସେ ସାମ୍ରାଜ୍ଞୀର

    ଅପୂର୍ବା ଅସଲି ରୂପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy