କାନ୍ଦୁଛି ଭାରତ ମାତା
କାନ୍ଦୁଛି ଭାରତ ମାତା


ସମାଜରେ ଆଜି ହଜି ଯାଇଅଛି
ମାନବିକତାର ଗୁଣ,
ନାରୀଙ୍କୁ ନେଇ ଖେଳୁଛନ୍ତି ସର୍ବେ
ଏଠି, ପିଶାଚ ଯେ ଭଣଭଣ।
ବଢିବଢି ଯାଏ ମଣିଷ ମନରେ
ରାକ୍ଷସ ପ୍ରବୃତ୍ତି ପଣ,
ପ୍ରତିମୂହୁର୍ତ୍ତରେ ବଳିପଡୁଛନ୍ତି
କେତେ ଯେ କୁନ୍ଦୁଲି ଗଣ।
ଫୁଟିବା ଆଗରୁ କଳିକାଟେ ଏଠି
ବାରମ୍ବାର କ୍ଷତବିକ୍ଷତ,
ଅପମାନ ଜ୍ୱାଳା ଶରୀରର ପୀଡା
ବେଳୁବେଳ ହୁଏ ଦୃତ।
ସୃଷ୍ଟି ଆରମ୍ଭରୁ ଏଯାଏଁ ଚାଲିଛି
ନାରୀ ପରେ ଅତ୍ୟାଚାର,
ଦିନ ଦ୍ୱିପ୍ରହରେ ସର୍ବ ସମ୍ମୁଖରେ
ଶୁଭେ ଗଣଧର୍ଷଣର ଚିତ୍କାର।
ଭୋଗ୍ୟବସ୍ତୁ ଆଜି ପାଲଟିଛି ନାରୀ
ଆମ ଏ ସଭ୍ୟ ସମାଜେ,
ପ୍ରତିବାଦ କଲେ ନିନ୍ଦାର ମୁକୁଟ
ମଥାର ଗୌରବ ସାଜେ।
ଧର୍ଷଣ ଜୁଇରେ ଜଳନ୍ତି ବନିତା
କାନ୍ଦୁଛି ଭାରତମାତା,
ଅକାଳରେ ଝଡି ପଡୁଥାନ୍ତିକେତେ
ଥରହର ବନଲତା ।
କେମିତିକା ଏଠି ସୁଶାସନ ଚାଲେ
ଆଖି ଫାଡି ସର୍ବେ ଦେଖ,
ରକ୍ଷକ ମାନେ ତ ଭକ୍ଷକ ସାଜନ୍ତି
କୁନ୍ଦୁଲି ଙ୍କ ବଢେ ଦୁଃଖ।
ଭଦ୍ର ସମା
ଜର ଭଦ୍ର ମୁଖାପିନ୍ଧା
ସଭ୍ୟ ଶିକ୍ଷିତ ଏ ବାବୁ,
ନିଛାଟିଆ ସ୍ଥାନେ ନିଃସହାୟ ଭାବି
ଅବଳା କରନ୍ତି କାବୁ।
ସୁଶାସକ ଆଉ ଆଦର୍ଶର ନାରା
ପିଟେ ଏଠି ପ୍ରଶାସନ,
ନାରୀର ଉଲଗ୍ନ ଶରୀରେ ଖେଳନ୍ତି
କେତେ ଏଠି ଦୁଃଶାସନ ।
ପୋଲିସ, ମିଡିଆ, ଡାକ୍ତର, ଓକିଲ
ବନ୍ଧୁ ଓ ସାହି ପଡିଶା,
ମିଥ୍ୟା, ନିନ୍ଦାକାଳେ ପିଡୀତାଟି କରେ
ନ୍ୟାୟ ତା ପାଇଁ ନିରାଶା।
ସଭିଙ୍କର ହାତେ ବେଢି ପଡିଯାଏ
ତା ପାଇଁ ସବୁଠି ତାଲା,
ସହି ନ ପାରି ସେ ଡାକେ ଉଚସ୍ଵରେ
ତ୍ରାହି ହେ ଉପରବାଲା।
ଜୀବ ଥିବାବେଳେ ନିନ୍ଦା ଅପବାଦ
ମଲାପରେ କେତେ ଭାବ,
କେଉଁଠି ଥିଲା ଏ ଦରଦତା ପଣ
ଏଣ୍ଡୁଅ ପରି ସ୍ଵଭାବ।
ଧନ୍ୟ ସରକାର, ଧନ୍ୟ ରାଜନୀତି
ଧନ୍ୟ ତୁମେ ପ୍ରଶାସନ,
ଧନ୍ୟ ହେ ତୁମେ ଓଡିଶା ବାସୀ
ଧନ୍ୟ ତୁମେ ଜନାର୍ଦ୍ଦନ।
ଜାଗିଉଠ ଆଜି ରଣହୁଙ୍କାରେ
ବନ୍ଦ ଡାକରା ଦେଇ,
ବଳାତ୍କାର ପରେ ମର ଶରୀରରେ
ଖେଳୁଥାଅ କାହିଁ ପାଇଁ?
*ପ୍ରଣତି ମହାପାତ୍ର*