କାନ୍ଦନ୍ତି କାହିଁକି କିଏ
କାନ୍ଦନ୍ତି କାହିଁକି କିଏ
ସଂସାରରେ ଏହି ନୀତି ହିଁ ତ ସାର
କିଏ ବା ଟାଳିବ କୁହ
ଆବାଳ ବୃଦ୍ଧ ଓ ବନିତା ସକଳେ
କାନ୍ଦିକି ବୁହାନ୍ତି ଲୁହ।
ଛାତ୍ର କାନ୍ଦିଥାନ୍ତି ଯଦି ତାଙ୍କ ଶ୍ରମେ
ବିଫଳ ହୁଅଇ ଏଠି
ଶାଶୂ ଗରଗର ନିତି ଯଦି ହୁଏ
ବୋହୂ କାନ୍ଦି ଭାବେ ବେଠି।
କୃପଣ କାନ୍ଦଇ ଧନ ସରିଗଲେ
ଚାଷ ଉଜୁଡିଲେ ଚଷା
ପୁତ୍ର ହୀନ ଯଦି ମାଆ କାନ୍ଦିଥାଏ
ଈଷ୍ଟକୁ କରେ ଭରଷା।
ସ୍ବାମୀଙ୍କର ସ୍ନେହ ଆଦର ନ ପାଇ
କାନ୍ଦିଥାଏ ପତ୍ନୀ ସଦା
ପ୍ରଭୁଙ୍କ ଦର୍ଶନ ନ ମିଳିଲେ ଭକ୍ତ
କାନ୍ଦି ଚିବୁକ ତା' ଓଦା।
ଅଭିମାନୀ କାନ୍ଦେ କଥାରେ କଥାରେ
ଝିଅ କାନ୍ଦିଥାଏ ନିତି
ଯେବେ ପିତାଙ୍କର ନିନ୍ଦାଗାନ ଶୁଣେ
ହୃଦୟେ ନାହିଁ ତା' ଶାନ୍ତି।
ବହି ପଢୁପଢୁ ପାଠକେ କାନ୍ଦନ୍
ତି
ହୃଦୟେ ଭାବ ଜନ୍ମିଲେ
ପିତା ଆଉ ମାତା ନିତି ହିଁ କାନ୍ଦନ୍ତି
ପୁଅ ତା' ନ ପଚାରିଲେ।
ଭାଇ କାନ୍ଦିଥାଏ ପୈତୃକ ସମ୍ପତି
ଭାଇ ଯଦି କହେ କାହିଁ
ସନ୍ତାନ କାନ୍ଦଇ ଜନ୍ମକଲା ମାଆ
ଯଦି କୋଳେଇଲା ନାହିଁ।
ଗୁରୁ କାନ୍ଦିଥାଏ ତାର ଶିଷ୍ଯଗଣ
ଯଦିରେ ପଢି଼ଲେ ନାହି
ଭଲ ଛାତ୍ରଟିଏ ନ ପାଇ ଜୀବନେ
କାନ୍ଦଇ ଆକାଶେ ଚାହିଁ।
ପଦ୍ମ କାନ୍ଦିଥାଏ ସୂର୍ଯ୍ଯଙ୍କୁ ନ ଦେଖି
କଇଁ କାନ୍ଦେ ଚନ୍ଦ୍ର ବିନା
ରାଧା କାନ୍ଦିଥିଲା କୃଷ୍ଣଙ୍କ ବିଚ୍ଛେଦ
ଯଶୋଦା ବାଉଳି କାହ୍ନା।
ଗୁଳୁଗୁଳି ଦ୍ବାରା ସଭିଏଁ କାନ୍ଦୁଛୁ
ଉଦ୍ଭିଦ ହେଉ କି ପ୍ରାଣୀ
ସନ୍ତୋଷ ଚାହୁଁଛୁ ରଖ ଆହେ ପ୍ରଭୁ
ଅଧୁରା ଆମ କାହାଣୀ।