କାନ୍ଦେ ବାହାନଗା
କାନ୍ଦେ ବାହାନଗା
ହେ ଲୌହ ଦାନବ ଏହି କି ସ୍ୱଭାବ
ଛାତି ଫଟା ଦୁଃଖ ଦେଇ,
କରୁଣ ଚିତ୍କାର ପଡ଼େ ହାହାକାର
କେଉଁ ଯଶ ଯିବ ପାଇ ।
କରୁଣ କାହାଣୀ ବିକଳ ଚାହାଣି
ହୃଦୟ ବିଦାରେ ଦେଖି,
ଭୟଙ୍କର ଦୃଶ୍ୟ କାଳ କରେ ହାସ୍ୟ
ଆର୍ତ୍ତନାଦ ତାର ସାକ୍ଷୀ ।
ରକ୍ତ ଜୁଡ଼ୁବୁଡ଼ୁ ପାଟି ବନେ ଜାଡ଼ୁ
ଶରୀର ବିଚ୍ଛିନ୍ନ ଅଙ୍ଗ,
କୁଢ଼ କୁଢ଼ ଶବ ଆତ୍ମୀୟ ଅଭାବ
ଚିରନିଦ୍ରା ସାଥି ସାଙ୍ଗ ।
ଛାତି ଯାଏ ଥରି କୋହ ଦେହେ ଭରି
ଧନ୍ୟ ତୁମ ସେବା ପଣ,
ବାହାନଗାବାସୀ ଅପୂର୍ବ ସାହସୀ
ମାନବ ସେବାର ଗୁଣ ।
ସେବା ମନୋବୃତ୍ତି ରକତର ପ୍ରୀତି
ଜୀବନ ଦାନର ପୁଣ୍ୟ,
ମନ ହୃଦୟରେ କୃତଜ୍ଞତା ଭରେ
ସେବାକାରୀ ତୁମେ ଧନ୍ୟ ।
କର୍ତ୍ତବ୍ୟରେ ହେଳା ବୁଡିଗଲା ଭେଳା
ଭାଙ୍ଗିଦେଲା କେତେ ଘର,
ଅକାଳ ବିୟୋଗ ଅଶୁଭର ଯୋଗ
ଆଖିରେ ଲୋତକ ଧାର ।
ପ୍ରଯୁକ୍ତି ବିଜ୍ଞାନ ଦିଏ ବହୁ ଜ୍ଞାନ
ମାନବ ହିତରେ ସଦା,
ଛୋଟ ଭୁଲ ପାଇଁ ରହିଥାଏ ଚାହିଁ
କରିଦେବ ସବୁ ପଦା ।
