କାମରୂପ କାମାକ୍ଷା
କାମରୂପ କାମାକ୍ଷା
ପୌରାଣିକ କଥା କିମ୍ବଦନ୍ତୀ ଉକ୍ତି
ଅଛି ଆମ ସମାଜରେ
ମାନ୍ୟତା ରହିଛି ଯୁଗ ଯୁଗ ଧରି
ପୂଜା ପର୍ବ ପର୍ବାଣୀରେ
ଆଦିଶକ୍ତି ଶକ୍ତିଶାଳୀ ତନ୍ତ୍ର-ଦେବୀ
କାମାକ୍ଷା ଦେବୀ ମନ୍ଦିର
ଆଷାଢ଼ ମାସରେ ବିଧିବଦ୍ଧ ଭାବେ
ଦେବୀଙ୍କ ପୂଜା ସଂସ୍କାର
ପ୍ରତ୍ୟକ୍ଷ ଦେବୀ ଭାବେ ଅଛି ମାନ୍ୟତା
ଶକ୍ତି ପୀଠ ଭାବେ ଗଣା
ଉତ୍ସବ ମୁଖର ହୁଏ ଦେବୀ ପୀଠ
ଆଷାଢ଼ରେ ଜଣାଶୁଣା
ତିନି ଦିନ ଧରି ବନ୍ଦ ହୋଇଯାଏ
ପ୍ରତି ଆଷାଢ଼ ମାସରେ
ଦେବୀଙ୍କର ରଜୋବତି ର ସମୟ
ମାନ୍ୟତା ହିଁ ବିଧାନରେ
ନିକଟସ୍ଥ ଜଳ ପୂର୍ଣ୍ଣ ପୋଖରୀର
ରଙ୍ଗ ହୁଏ ରକ୍ତ ବର୍ଣ୍ଣ
ଦେବୀଙ୍କର ରଜସ୍ୱଳା ହୋଇଥିବା
ସଂକେତ ବା ନିଦର୍ଶନ
ଚତୁର୍ଥ ଦିନରେ ଶୁଦ୍ଧ ସ୍ନାନ ସହ
ମନ୍ଦିର ଶୋଭା ବର୍ଦ୍ଧନ
କୁମାରୀଙ୍କୁ ସେହିଦିନ ଖୁଆଇଲେ
ଅଭିଷ୍ଟ ହୁଏ ପୂରଣ
ଦେବୀଙ୍କର ପୀଠକୁ ସ୍ପର୍ଶ ସହିତ
ଝରୁ ଥିବା ଜଳ ପିଇ
ଶ୍ରଦ୍ଧାଳୁ ଭକତ ବିଶ୍ୱାସ ସହିତ
ହୃଦେ ଶୁଭ ମନାସଇ
ଦେବୀଙ୍କର ନବରାତ୍ର ବି ପାଳନ
ଦେବୀ ରୂପବତୀ କ୍ରମେ
ତ୍ରିଦିବସ ବ୍ୟାପି ହୁଏ ପୂଜା ବିଧି
ଅମ୍ବୁବଚି ମେଳା ନାମେ
ଆସାମର କାମରୂପ ଜିଲ୍ଲା ସ୍ଥିତ
ବ୍ରହ୍ମପୁତ୍ର ନଦୀ କୂଳେ
ଶକ୍ତି ପୀଠ ଭାବେ କାମାକ୍ଷା ମନ୍ଦିର
ଅବସ୍ଥିତି କାଳ ବଳେ
ଆଦିଶକ୍ତୀ ତନ୍ତ୍ର-ଦେବୀ ଶକ୍ତିଶାଳୀ
ଦେବୀ କାମାକ୍ଷା ରୂପରେ
ତନ୍ତ୍ର ସାଧନାର ଏକ ଶକ୍ତି ପୀଠ
ତାନ୍ତ୍ରିକ ସାଧନା କରେ
ପ୍ରତିମା ବିହୀନ ମନ୍ଦିରେ ରହିଛି
ପ୍ରସ୍ତର ଯୋନି ଆକୃତି
ପ୍ରାକୃତିକ ଝରଣାର ଜଳ ଝରି
ପୀଠର ଆଦ୍ରତା ସ୍ଥିତି
ଶକ୍ତି ପୀଠ ସ୍ପର୍ଶ ସହ ଜଳ ପାନ
ଭକ୍ତି ନିଷ୍ଠା ସହକାରେ
ଅଭିଷ୍ଠ ପୂରଣ ନିମନ୍ତେ ଗୁହାରି
ଭକ୍ତ କରନ୍ତି ହୃଦରେ
ଭିନ୍ନ ଭିନ୍ନ ପୌରାଣିକ କଥା ଉକ୍ତି
ମନ୍ଦିର ସହ ଜଡ଼ିତ
ମୁଖ୍ୟ ପ୍ରସଙ୍ଗ ସତୀଙ୍କ ଭଗ୍ନ ଅଙ୍ଗ
ଏହି କ୍ଷେତ୍ରରେ ପତିତ
ପତି ନିନ୍ଦା ସହି ନ ପାରିଲେ ସତୀ
ଅଗ୍ନି କୁଣ୍ଡେ ଝାସ ଦେଲେ
ମହକୋପି ମହାଦେବ ଶବ ଧରି
ତାଣ୍ଡବ ନୃତ୍ୟ ରଚିଲେ
ଥର ହର ବିଷ୍ଣୁ ସୃଷ୍ଟି ରକ୍ଷା ଅର୍ଥେ
ଚକ୍ରେ ନଷ୍ଟ କଲେ ଦେହ
ଖଣ୍ଡ ବିଖଣ୍ଡିତ ଶରୀର ମର୍ତ୍ତ୍ୟରେ
ଶକ୍ତି ପୀଠ ପରିଚୟ
ସତୀଙ୍କ ଖଣ୍ଡିତ ଶରୀରର ଯୋନି
କାମଗିରିରେ ପତିତ
କାଳକ୍ରମେ କାମାକ୍ଷା ମନ୍ଦିର ରୂପେ
ମର୍ତ୍ତ୍ୟରେ ହୋଇଛି ଖ୍ୟାତ
ନାରକାସୁର ର ଦେବୀଙ୍କୁ ବିବାହ
ପ୍ରସ୍ତାବ ଦେବାର କଥା
କାମଦେବ ଶାପଗ୍ରସ୍ତ ପରେ ପରେ
ଦେବୀ କୃପା ଦୃଷ୍ଟି ଗାଥା
ଭିନ୍ନ ଭିନ୍ନ ପୌରାଣିକ କଥା ବସ୍ତୁ
କାମାକ୍ଷା କ୍ଷେତ୍ରେ ଜଡ଼ିତ
ଶକ୍ତି ପୀଠ ତନ୍ତ୍ର ପୀଠ ସିଦ୍ଧି କ୍ଷେତ୍ର
ନାମେ ବହୁ ପରିଚିତ
ବିଭିନ୍ନ ପ୍ରସଙ୍ଗ ସହିତ ମହିମା
ପ୍ରତ୍ୟକ୍ଷ କାମାକ୍ଷା ମାଆ
ଆଷାଢ଼ ମାସରେ କରିଲେ ଦର୍ଶନ
ମାଆ ହୋଇଥାନ୍ତି ସାହା
ଦଶ ମହାବିଦ୍ୟା ଦେବୀଙ୍କ ମହିମା
ସିଦ୍ଧି ପ୍ରାପ୍ତି ଶକ୍ତି ସ୍ଥଳ
କୃପା ଦୃଷ୍ଟି ରହି ଥାଉ ଭକ୍ତ ପ୍ରତି
ଭକ୍ତ ହୃଦୟେ ବ୍ୟାକୁଳ ।
