STORYMIRROR

Abhakanta None

Romance

3  

Abhakanta None

Romance

କାମନା ହାତେଇ ନେଲ

କାମନା ହାତେଇ ନେଲ

3 mins
26.3K


 ତୁମେ ଦେଖା ଦେଲ ଦୂର ଅତୀତରେ

ମୋର କିଶୋରପଣିଆ ବ୍ୟତିତରେ

ପ୍ରେମ ପରିଚର୍ଯ୍ୟା ନଥିଲା ଟି ଜଣା

ଥିଲା ମନେ ଆବେଗର ବିକା କିଣା

କୁହ ପଚାରେ ପୁରୁଣା ପ୍ରିୟା,

ରୁଦ୍ଧ କବାଟକୁ ଦେଖି ମୁଁ ପ୍ରଶ୍ନିଳେ

ସିଂହଦ୍ବାରେ ହେଲି ଠିଆ ।

ତୁମେ କଥା ଦେଲ ସତ୍ତା ଚହଲାଇ

ହୃଦ ମୋହିନୀ କୁହୁକେ ବହଲାଇ

କାନେ ଶୁଭୁଥିଲା ତୁମ କଣ୍ଠ ସ୍ବର

ଆତୁରତା ବ୍ୟଥା ଦେଲା ବାର ବାର

ହେଲେ କିଛିତ ନଥିଲା ମିଶା,

ମୁହୂର୍ତ୍ତଟା ମୂର୍ତ୍ତ ହୋଇଯାଉ ବୋଲି

କହିଲା ହୃଦୟ ଭାଷା ।

ତୁମେ ହସ ଦେଲ।ତୁମ କଥା ଛଳେ

ମନେ ମଦିରା ଢାଳିଲା କୁତୁହଳେ

ଇଚ୍ଛା ହେଲା ସଦା ଦେଖେଁ ସେଇ ହସ

ପରିସ୍ଥିତି କି ବୁଝଇ ମନ ପ୍ରାସ ?

ତେବେ ଆବେଗ ଆତୁରା ହେଲା,

ସାମାନ୍ୟ ସୁଯୋଗେ ତୁମ ସାହଚର୍ଯ୍ୟ

ସାଉଁଳାରେ ବେଳ ଗଲା ।

ତୁମେ ଚିହ୍ନାଦେଲ ମନ ଖୋଲିଦେଇ

ଏକ ବାଉଳା ବଳୟେ ଠେଲି ଦେଇ

ଆଶା ନିଶା ଖାଇ ସତେ ଝୁମିଗଲା

ମନ ସପନ ରାଇଜେ ଭ୍ରମିହେଲା

ଏଠି ତୁମକୁ କରୁନି ଦୋଷୀ,

ମରତ ଚକୋର ହୃଦ ବୁଝଇ କି

ଦୂର ସରଗର ଶଶି ?

ତୁମେ ଚିହ୍ନାଦେଲ ମନା କଲ ନାହିଁ

ଭିନ୍ନ ଭାବେ କିଆଁ ମନ ନେଲ ମୋହି

ମିଠା ଛଟପଟେ ମନ ମହକିଲା

ଛୋଟ ଛୋଟ ଦୁଷ୍ଟାମିରେ ଦାୟୀ କଲା

ମନେ ପଡେନି କି ସେଇ କ୍ଷଣ,

ମରମରେ ପରା ଗାର ପଡିଗଲେ

ରହିଯାଏ ଚିର ଦିନ ।

ତୁମେ ଆତ୍ମୀୟତା ଦେଲ କି ଆବେଗେ

ମୋର କଥା ବାଣ୍ଟୁଥିଲ ସାଙ୍ଗ ସଙ୍ଗେ

ମୋର ଡାଆଣା ଦୃଷ୍ଟିକୁ ଦଂଶୁଥିଲ

ମୋର ମହୁଆ ଦୁଷ୍ଟାମି କଷୁଥିଲ

ଶତ ସପନରେ ଘୁରିଥିଲି,

ସେଦିନର ସେଇ ଛୋଟ ଛୋଟ ଛଳେ

ଆଜି ସୁଦ୍ଧା ଝୁରିହେଲି ।

ତୁମେ ଚାହାଣିଟା ଦେଲ ଚକୋରୀର

ସଙ୍ଗେ ଆତୁରତା ଶତ ଶତାବ୍ଦୀର

ଜାଣି ଅଜଣାତେ ହେଲେ ଛୁଆଁଛୁଇଁ

ଲାଜେ ଲାଜକୁଳୀ ସମ ମୁରୁଝାଇ

ନତ କରୁଥିଲ ଆନନକୁ,

ତୁମ ସେଦିନର ବାଙ୍କ ଚାହାଣିଟି

ଆଜି ବି ପୋଷେ ମନକୁ ।

ତୁମ ଆକର୍ଷଣ ମନ କିଣିନେଲା

ଜଟଜଟିଆକୁ ହୃଦେ ବୁଣିଦେଲା

ବେତନାସୀ ମୋର ହୃଦେ ଜଡାଇଛି

ସଦା ଝୁରିହେବା ବାଟ କଢାଇଛି

ଦେହେ ଭୁଲା ଭଷ୍ମ ବୋଳିଦେଇ,

ଜୀବନ ପ୍ରଥମ ପ୍ରଣୟ ଭୁଲିଛ

ପରର ଆପଣା ହୋଇ ।

 ତୁମ ସମ୍ମୋହନ ମୋତେ ଛୁଇଁଗଲା

ମନ ମହୁଆ ମହକେ ମହକିଲା

ସତେ କାଦମ୍ବରୀ କଲା ଚମତ୍କାର

ରୂପମତୀରେ ହାରିଲା ଚିତ୍ତ ମୋର

ମୋହ ମାଦକତା ବୋଳା ହୋଇ

ମାଡି ବସିଛି ମୋ ହୃଦକୁ ଏସନେ

ଆଜିବି ରହୁଛି ଧ୍ୟାୟୀ ।

ତୁମ ଭଲ ପାଇବାର ଛଳ ପାଶେ

ମୁଁ ଗୋ ଛଳ ଛଳ ହେଲି ମୋହଫାଶେ

ମୋର କଳନାଟା ବାଟବଣା ହୋଇ

ମିଛ ଗରଳ ପିଇଲା ଭୋଳେ ରହି

ତୁମେ ଜାଣି ଜାଣି ଖେଳୁଥିଲ

ହେଲେ ସତ ମଣି ମୋ ହୃଦୟ ହେଲା

ଆଜୀବନ କଲବଲ ।

ତୁମେ ଅସ୍ଥିରତା ଦେଲ ଏଡେ ଖଞ୍ଜେ

ଆଜି ଛଳନା ପିଇବି ମନ ରଞ୍ଜେ

ସରେ ସମୟ ସଂସାର ଦହଗଞ୍ଜେ

ଏବେ ଝୁରେ ହୃଦ ସେଦିନର ସଞ୍ଜେ

ପ୍ରାୟ ତୁମର ନଥିବ ମନେ

ହୃଦ ସରହଦେ ଚକବନ୍ଦୀ ନାହିଁ

ଜାଣିଲି ମୁଁ ଏତେ ଦିନେ ।

ତୁମ ଚିନ୍ତନଟା ନାହିଁ ଚେତନରେ

ହେଲେ ମୋ ଚିନ୍ତା ମନ୍ଥନେ ଡୁବି ମରେ

ସେଇ ବାଉଳା ବେଳଟା ସଦ୍ୟ ହୋଇ

ଆଜି ହୃଦମଧ୍ୟେ ରହି ଗୁମୁରଇ

ତୁମେ ପାରିବନି ତାହା ବୁଝି

ତୁମ ହୃଦବୋଧ ଛଳ ଗଡ଼ଖାଈ

କଳେ ଦେଲ ବୋଲି ସୃଜି ।

ତୁମ ପରିଭାଷେ ଏ' ପାଗଳପଣ

ହେଲେ ମୋର ମତ୍ତ ପ୍ରେମେ ମୋହାଚ୍ଛନ୍ନ

ତୁମେ ଜିଅଁ ଜୋକମୁଖେ ଲୁଣ ଜ୍ବାଳା

ମୁଁତ ପ୍ରେମ ମୋହ ମତେ ମତୁଆଲା

ତୁମେ ବୁଝିବନି ସେଇ ଧାର

ଚାନ୍ଦ-କୁମୁଦିନୀ କାହାଣୀ କାହାଠୁଁ

ଜାଣିବ ପଚାରି ପାର ।

ତୁମେ ଭାବୁଛ କି ଅଛି କଦର୍ଥନେ

ଯଦି ଏ ଭାବନା କେବେ ଆସେ ମନେ

ତେବେ ଭୁଲିଯାଅ ତୁମ ବୁଝାମଣା

ବୁଝିରଖ ପ୍ରେମ ନୁହେଁ ବିକା କିଣା

ପ୍ରେମ ଜୀବନକୁ ଧନ୍ୟ କରେ,

ପଚାର କାମନା ବିହୀନେ ସେ ସ୍ବାଦ

ଯିଏ ବି ଚାଖିଛି ଥରେ ।

ତୁମେ ସେଦିନ ତ ହୋଇଥିଲ ମିତ

ମୋହ ଦେଲ ସିନା ଦେଲନାହିଁ ଚିତ୍ତ

ମୁଁତ ଚିତ୍ତଚୋର ହୋଇ ପାରିଲିନି

ମୋର ଚିତ୍ତ ଚୋରାଇଛ ହେ ଚୋରଣୀ

ସେଥିପାଇଁ ଶତ ଧନ୍ୟବାଦ,

ମୋତେ ଚଖାଇଲ ନିଜେ ଚାଖିଲନି

ଅମୂଲ୍ୟ ପ୍ରେମ ସୁଆଦ ।

ପ୍ରେମ ଜୀବନରେ ହୁଏ ଥରେ ମାତ୍ର

ବାକି ଯେତେ ହେଲେ କାମନା ଜଡିତ

ପ୍ରେମ ମର୍ମିଳେ ସ୍ବର୍ଗୀୟ ମଧୁଝରା

ପ୍ରେମ କିଶୋର କିଶୋରୀ ହୃଦକ୍ଷରା

ସିନା ସିଆଣୀ ଗୋ ଭୁଲିଗଲ,

କାବ୍ୟିକ ପ୍ରେମକୁ ହାତରୁ ଖସାଇ

କାମନା ହାତେଇ ନେଲ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance