କାମଦୁହା ଚଉତିଶା
କାମଦୁହା ଚଉତିଶା
(8)
କାମଦୁହା ଚଉତିଶା
କବି ସୂର୍ଯ୍ୟ ବଳଦେବ ରଥ
ରାଗ - ପୁରବୀ
କିଶୋରୀଙ୍କ ବର ଯଦୁପତି, କରି ପରବାସେ ସ୍ଥିତି l
କୁନ୍ଦକଇରବହାସୀଙ୍କ ପୂରୁବ ରସବଶ ହୋଇ ଜଳପନ୍ତି l
ଆରେ କଳଭାଷି କୃଶୋଦରି କମନୀୟ ମୁଖଶଷୀ l
କଳକଲ୍ଲୋଳିନୀ କେଳିକଳହଂସୀ, କାମ ମଦିରା ମହତ୍ତ୍ୱ ସମୁଲ୍ଲାସୀ (1)
ଖଟଣି କିଙ୍କରଙ୍କର ମେଳେ, ଖଟି ଥିବ ଯେ ତୋ ଖଟତଳେ l
ଆରେ ଖେଳାଲୋଳା, ଖଞ୍ଜରୀଟରୁ ବଳେ ତୋ ନେତ୍ରଳୀଳା l
ଖୁରିଅର୍ଦ୍ଧ ନଥାଇ ସ୍ନେହରେ ହେଳା, ଖଣ୍ଡପରଶୁ ମନମୋହନଶୀଳା (2)
ଗତିରେ ବିବିଧ ଭଙ୍ଗୀଭରୁ, ଗଜେନ୍ଦ୍ର ଗରବ ହେଳେ ହରୁ l
ଗଗନସଲୀଳଚାରୀ ହଂସକୁଳ ଦିନ ଯାଏ ଡରି ମରୁ ମରୁ l
ଆରେ ଗଣ୍ଠିଧନ, ଗୁଣବତୀ ମୁଁ ଚାତକ ନବଘନ l
ଗତରସ ହେଲା କେତେ ସୁଖମାନ, ଗର ଗିଳିବାକୁ ହେଉଅଛି ମନ (3)
ଘଟପୀନସ୍ତନା ଚାରୁବେଣୀ, ଘେନାଘେନି କେତେ ଜାଣୁପୁଣିl
ଘୋରତର ସ୍ମର ପ୍ରତାପ ସାଗର ମଧ୍ୟରୁ ତୁ ମୋର ଉଦ୍ଧାରିଣୀ l
ଆରେ ଘନକେଶା,ଘନଜଘନା ମହୀମଣ୍ଡନ ବେଶା l
ଘୋରା ଶ୍ରୀଖଣ୍ଡବାସିନୀ ବରଯୋଷା, ଘାରି ପକାଇଛି ତୋ ବିଚ୍ଛେଦଦଶା (4)
ନ ପାରେ ମା ବୋଲି ଅଡୁଥାଉ, ନମ୍ରେ କରଯୁଗ ଯୋଡୁଥାଉ,
ନିଶ ପରି ଗେଲେ ମୋଡୁଥାଉ, ହସି ନତନୁ ଲଢାଇ ଲୋଡୁ ଥାଉ l
ଆରେ ନତଅଙ୍ଗୀ, ନୂଆ ବୟସୀ ନର୍ମଚଞ୍ଚଳାପାଙ୍ଗୀ l
ନେତ୍ର ବରଛି ତୁ ଏକା ଜାଣୁ ଫିଙ୍ଗି, ନାହିଁ କରିବାରେ ଥାଏ କେତେ ଭଙ୍ଗୀ (5)
ଚରଣୁ ଚିକୁର ଯାଏ ତୋର, ଚୁମ୍ବିବାରେ ଚିତ୍ତ ଥାଏ ମୋର,
ଚେତା ବିହୀନେ ପହୁଡିଥାଉ, ଚେଳ ଚୋରାଇ ମୁଁ କରେ ଦିଗମ୍ବର l
ଆରେ ଚନ୍ଦ୍ରମୁଖୀ, ଚେତି ଚମକି କି ଲାଜେ ବୁଜୁ ଆଖି l
ଚେଳକରୁ ମୋତେ ମୋ ଅଙ୍ଗରେ ଲାଖି ଚକ୍ଷୁ ଇଷ୍ଟଅଙ୍ଗ ନ ପାରଇ ଦେଖି (6)
ଛଣା ପୀୟୁଷ ସଦୃଶ ରସେ, ଛପିଥାଏ ଲାଜ କି ବିଳାସେ,
ଛ ଚାରିଦିଗ ସୁନ୍ଦର ଦିଶୁଥାଏ, ଛଇଳା ଲାବଣ୍ୟ ପରକାଶେ l
ଆରେ ଛବି ନିଧି, ଛାମୁ ଛାଡିବାକୁ କଲା ମନ୍ଦ ବିଧି l
ଛେଚି ହୋଇବାକୁ ଜାତହୁଏ ବୁଦ୍ଧି, ଛେଲମାରି ହେବି ରହି ଥାଉ ସିଦ୍ଧି (7)
ଜପାମାଳା ତୁ ମୋ ସ୍ୱନିବାସୁ, ଯେତେବେଳେ ନିକୁଞ୍ଜକୁ ଆସୁ,
ଜଙ୍ଗମ ହେବାର ଜମ୍ବୁନଦ ସାର ଜଗତଜୀବା ତୁ ପରି ଦିଶୁ l
ଜମ୍ବୁନଦ ଧରାଧର ପୟୋଧରା, ଜକାଜକି କଉତୁକ ଧୁରନ୍ଧରା (8)
ଝୁଲି ଝୁଲି ଚାଲୁ ମୋଦ ମଦେ, ଝୁମୁ ଝୁମୁ ତୋ ଝୁଣ୍ଟିଆ ନାଦେ l
ଝଟତି ନିରଜର ପ୍ରଭୁ, ଶିରୀ ଶିର ଝରାକୁ ମୁଁ ଝୁଣ୍ଟିଯାଏ ପାଦେ l
ଆରେ ଝଳି ଗୋରୀ, ଝୁଲି ଜାଣୁ ଭଲା ହେଳେ ମୋହପରି,
ଝଲକଇ ଝାଳବ୍ୟାଜ ସୁଧା ଝରି,ଝଟ ଝଟ ହେଉଥାଏ ଭୂଷା ଶିରୀ (9)
ନମ୍ରମୁଖେ ମଣିସାନୁ ଥାଏ, ନିକଟେ ପିୟୂଷ ଭାନୁ ଥାଏ,
ନଥ ତୁଲେ ନାଟ ବାଦେକରି ,ହଟ ବୁଲାକି ଝୁଲା କି ମାନୁଥାଏ l
ଆରେ ନାରୀବର ନୃତ୍ୟକରୁଥାଏ , ପୟୋଧରେ ହାର l
ନେତ୍ରଦ୍ୱୟ ଏକାସିନା ସାକ୍ଷୀ ମୋର, ନାଦେ ତୋଷୁଥାଏ ମଧ୍ୟେ ଅଳଙ୍କାର (10)
ଟୋପି ଟୋପି ଝାଳ ଚୂର୍ଣ୍ଣ କେଶେ, ଟିକି ଟିକି ମୋତିପରି ଦିଶେ,
ଟେକି ଟେକି ଘେନି ଯାଉଥାଉ ସ୍ୱର୍ଗସୁଖ ବଡଭୀକି ବଡରସେ
ଆରେ ଟଭାସ୍ତନା, ଟଳିପଡୁଥାଏ ମୋର ବିବେଚନା l
ଟାଣି ଘେନି ଯାଉ ହେଳେ ମୋ ବେଦନା, ଟିକାୟିତ ତୁ ରସିକାଚକ୍ରେ ସିନା (11)
ଠ- ବର୍ତ୍ତୁଳ ମୁଖ ସୁଧାଧାମ, ଠାଣ ତ ତ୍ରିଲୋକେ ନିରୁପମ,
ଠୁଳ ହେଉଥାଏ ଥରେ ଥରେ ନେତ୍ର ନୀଳକୁଞ୍ଜ ବୁଜା ଶୋଭାସ୍ତୋମ l
ଆରେ ଠିକହାସି, ଠକପଣ ପୁଣି କିଛିଥାଏ ମିଶି l
ଠଉଗାଇବ କେ ତୋ ବିଭ୍ରମ ଗାଶି, ଠାର ନେତ୍ରାନ୍ତ ମନ ମୋହନପାଶୀ (12)
ଡରୁଆଟି ପରି ଟେକି ଚିଲ୍ଲୀ ,ଡେରି କର୍ଣ୍ଣପାଶ ନଚହଲି l
ଡାକିଲେଣି ସଖୀ ଦେଉଅଛି ରଖି ଏସବୁ ଅତିକି ହେଉ ବୋଲି l
ଆରେ ଡାକିକଟି, ଡିଆଁ ମାରି ଯିବାକୁ ବସନ୍ତେ ହଟି l
ଡକା କରଇ ମୁଁ ବନ୍ଧୁ ସରିଲିଟି, ଡୋଳା କରାଉ ଅପାଙ୍ଗତଟି ନଟୀ (13)
ଢଳି ଅନୁକମ୍ପା ଝରଝର, ଢୁକାଇ ମୋ ଉରେ ପୟୋଧର l
ଢୋକେ ଢୋକେ କରି ପିଆଉ ନାଗରୀମଣି ଅତି ସ୍ୱାଦୁ ଶୋଣାଧର l
ଆରେ ଢଳାଡୋଳା, ଢାଙ୍କି ପକ୍ଷ୍ମ ଫେଡି ପୁଣି ରଚୁ ଖେଳା l
ଡକକାସ୍ମରଣେ ତୋ କିଙ୍କିଣୀ, ଢମଢମାଳୀ ଶ୍ରବଣେ ଅନୁକୂଳା (14)
ଅସିତ ତିଳକ ଲଲାଟରେ,ଅଳିକି ଅନାଇ ଅଳିକରେ l
ଅମ୍ଳାନ ଶ୍ରୀମୁଖସରୋଜରେ ମୋତେ ଅଳିକର ବୋଲି ଅଳୀକରେ l
ଆରେ ଅନିନ୍ଦିତା, ଅଙ୍ଗୀକାର କରୁ ହୋଇ ଆନନ୍ଦିତା l
ଅନର୍ଗଳ ଅଧିକାର ପରିଚିତା, ଅନଳପ ସୁଖଦାନ କଳ୍ପଲତା (15)
ତୁଙ୍ଗସ୍ତନେ ମୋତେ କରଭୋରୁ, ତରଳ ମସାର ନିତିକରୁ,
ତରିଶିଜାତଟ ତାପିଞ୍ଛ ବିପଟ ତଳେ ନ ସଞ୍ଚରୁ ନିନ୍ଦା ଡରୁ l
ଆରେ ତନୁଦରି, ଡାକ ତରକ ତୁ ଜାଣୁ କେତେ ପରି l
ତୁଳା ତିଳକେ ତ୍ରିଲୋକେ ନାହିଁ ସରି l ତାପ ତମକୁ ତପନ କର ଶିରୀ (16)
ଥାଏ ତ ରତେ ନିରତେ ମନ, ଥରେ ମୁଁ ସ୍ମରେ ପକାନ୍ତେ ଆନ,
ଥରୁଟିକୁ ଆଉ ଅଧିକ ନାହିଁଟିଭାଷି ହସି କରୁ ଆଲିଙ୍ଗନ l
ଆରେ ଥିରମତି, ଥାନବାକି ନରଖେ ମୋ ଚୁମ୍ବତତି l
ଥୋକେହେଲେ ଜିଣଇକି ରତିପତି, ଥରିଥରି ଭିଡୁ ମତେ କୁନ୍ଦଦନ୍ତୀ (17)
ଦୃଷ୍ଟିକୋଣ କରି ଅପଲକ, ଦେହବଲ୍ଲୀ କରି ସପୁଲକ
ଦୃଢେ ମୋ ମଧ୍ୟକୁ ଉରୁଯୁଗେ ଭିଡୁ ପଦଭୂଷାକରି ବାବଦୂକ l
ଆରେ ଦୁଃଖିଧନ, ଦୟାଜଳଧି – ମୀନ, ଦୁଷ୍ଟ ଦଇବ କରିଛି ସିନା ଆନ (18)
ଧରିତ୍ରୀମଉଳିଚମ୍ପାଗଭା, ଧରି ତ୍ରିଲୋକ ମୋହନ ଶୋଭା,
ଧୃତିକୁ ତୁ ସିନା ଧମକାଇ ଜାଣୁ, ଧୂର୍ଜଟିପରପଲ୍ଲଭାନିଭା,
ଆରେ ଧୀରାବର, ଧୀରାଧରି କଲେ ରମ୍ୟ ପୟୋଧର,
ଧରାଧର ପରି ଲାଗେ କି ଦୁର୍ଦ୍ଧର, ଧାରାଧରନୀଳଚେଳ କି ସୁନ୍ଦର (19)
ନଖି ନଖି ଦେଖ ବୋଲି ମୋର ସୁଖବରଧନା ହେଉ କି ସଂଯତ,
ଆରେ ନଳିନାକ୍ଷି, ନେତ୍ର ମନ ଦୁହେଁ ସେ ସମୟ ସାକ୍ଷୀ,
ନିତି ମାରି ମତେ କରୁ ଯେଡେ ସୁଖୀ, ନିରନ୍ତରେ ତା ମାନସେ ଅଛି ରଖି (20)
ପ୍ରଣୟର ପର୍ଯ୍ୟାଲୋଚନାରେ, ପୂରିଥାଏ କୃପା ଲୋଚନରେ,
ପସନ୍ଦ ପଡିବ ବୋଲି ସିନା ମାତ୍ର ପରଦା ବନ୍ଧାଇ ବଚନରେ l
ଆରେ ପ୍ରେମଶୀଳା, ପ୍ରିୟମ୍ବଦା ତୁହି ମୋ ନେତ୍ର ପିତୁଳା l
ପୁଷ୍ପହାସୀ ତୁହି ଜାଣୁ ପ୍ରୀତୀତୁଳା, ପୁଷ୍ପଦଳ ଉତ୍ପଳା ତୋ ତନୁ ତୁଳା (21)
ଫଟାକପାଳେତ ଅଛି ଲେଖା, ଫେରିଯାଇ ନୋହିବାକୁ ଦେଖା,
ଫେର ଲାଗି ଚେଳଗ୍ରନ୍ଥି କାହୁଁ କୋଳ କରିବି ନାହିଁ ଏ ଶୁଭ ଲେଖା,
ଆରେ ଫନ୍ଦାଧନ ଫରୁଆରୁ ଫିଙ୍ଗିଦେଲି ମୁଁ କାଞ୍ଚନ l
ଫୁଲବନ ବିହାରିଣୀ ମୋ ଜୀବନ, ଫେରି ଚାହିଁବା ଚାହାଣୀ କି ମୋହନ (22)
ବକୁଳବଲ୍ଲୀ ନିଳୟ ବନେ, ବେଢିଥିଲେ ସହଚରୀ ମାନେ,
ବାସନ୍ତିକ ଦଳ ବହଳ ବିଛଣା ବିଜେ ବେଳଜାଣି ଅନୁମାନେ
ଆରେ ବିଧୁମୁଖି, ବେଶ ଫେରାଇଥିଲି ତ ଦୂରୁଁ ଦେଖି l
ବଡ ବାଲିଶ ପଛେ ରହିଲି ଲାଖି, ବୀଣା ଦେଲା ତୋ ଶ୍ରୀହସ୍ତେ ଏକ ସଖୀ (23)
ଭର୍ମଦେହା ସରସିଜ ବ୍ରଜ, ଭ୍ରମର ବର ମୋହନରାଜ,
ଭଣି ଗୀତେ ଏତେ ଆଳାପନ୍ତେ ମତେ ଭୂଷିଦେଲା ଭାଲେ ଝସଧ୍ୱଜ l
ଆରେ ଭୀରୁବର, ଭୁଷୁଡାଇ ଦେଇ ଫୁଲ ଅପସର l
ଭୁଜେ ଭିଡି ଚୁମ୍ବିଲି ସହସ୍ର ଥର, ଭାଜିଗଲା ସେ ସଙ୍ଗୀତ ଆଡମ୍ବର l (24)
ମହାରାଜ ଉପଚାର ଖଟି, ମାତି ଥିଲେ ଯେତେ କୃଶବଟୀ,
ମୂଦିର ଶେଷରୁ ହଂସୀ ମାନସରୁ ହେଲାପରି ହେଲେ ଗୋଟି ଗୋଟି l
ଆରେ ମଦାଳସୀ, ମଜ୍ଜି ଲାଜେ ମୋ ତନୁରେ ଗଲୁ ମିଶି l
ମନରଥ ରଣେ ହାରିଗଲା ଖସି, ମହୀ ଚୁମ୍ବିଦେଲା ଶେଫାଳିକା ଖସି (25)
ଯୁକ୍ତିପଣ୍ଡିତାରେ ରତିପତି, ଜାନଜିତ ରାଜହଂସ ଗତି l
ଯମକ ଶୃଙ୍ଗାର ରସ ବିଭବର ତୁହି ବୋଲିହୁଏ ମୋ ପ୍ରତୀତି l
ଆରେ ଯୋଷାବର, ଯତି ମୋହନ ବର୍ତ୍ତୁଳ ପୟୋଧର l
ଯତ୍ନକରି ସାଜିଧାଉ ଉରେ ହାର, ଯଥାର୍ଥରେ ସୁଖଦାତା ଅଟୁ ମୋର (26)
ରତିଶେଷ କାଳ ଚାଲି ଶିରୀ, ରହିଛି ମୋ ନେତ୍ରଯୁଗେ ପୁରି,
ରସପ୍ରସଙ୍ଗରୁ ରଥାଙ୍ଗଭଙ୍ଗରୁ ମନ୍ଥର ମନ୍ମଥରଥ ପରି l
ଆରେ ରସିକାଟି, ରଙ୍ଗସ୍ଥଳୀ ମୋ ମନ ତୁ ଲାସିକାଟି l
ରମ୍ଭା ରତି ଦ୍ୟୁତି ପରହାସିକାଟି, ରୋଷେ କେ ଦେଲା ମୋ ଆଶାରସି କାଟି (27)
ଲୁଗା ଲାଗି କାଳେ ଦିନେ ମୋଦେ, ଲୁଚି ଦେଖୁଥିଲି ଅପ୍ରମାଦେ,
ଲଗଡ ଉରଜେ ବିଲୋକେ ସ୍ୱୟମ୍ଭୂ ଶମ୍ଭୁସ୍ତବ ପଢିଦେଲି ପଦେ l
ଆରେ ଲୀଳାବତୀ, ଲାଜେ ରସନାରେ ରଖି ରଦମୋତି,
ଲୋକେ ପଳାଇବାକୁ ଚଳାନ୍ତେ ମତି, ଲୋଭେ ଭିଡି କରାଇଲି ଅଙ୍କେ ସ୍ଥିତି (28)
ବୋଇଲି ବସରେ ରସବତି ବସନ ତ ପିନ୍ଧୁଥାଇ ନିତି,
ବିବସନ ଶିରୀ ଦିବସେ ଏପରି ଦେଖିଲେ ନକାଟେ ସ୍ମରହେତି l
ଆରେ ବିମ୍ବାଧରା, ବିଶ୍ୱ ଲାବଣ୍ୟସାରସମ୍ଭାର – କାରା l
ବରଷିଲୁ ଶୁଣି ସ୍ମିତ ସୁଧାଧାରା, ବକ୍ଷେ ଜମାଇଲୁ ତହୁଁ ଫେଇ ହାରା (29)
ଶୃଙ୍ଗାରକୁ ତ ମୁଁ ରଙ୍ଗ ପରି, ଶଶ ଧରକୁ ସୁରଙ୍କ ପରି,
ଶିରୋଗର୍ତ୍ତ କରୁ ଶୋଣକଞ୍ଜନିଭ ଚରଣ lଯାଏ ଚୁମ୍ବିଲି ଧରି l
ଆରେ ଶଶିହାସି ଶୀତପ୍ରବାହେ ଗଲାଇଁ ଦୁହେଁ ଭାସି l
ଶିରୀ ମଘବାର ହୋଇଗଲା ଦାସୀ, ଶର୍ମ ଏପରି ସ୍ୱପ୍ନ ହୋଇଲା ଆସି (30)
ଷଟପଦଚୁମ୍ବିତ ପୁଷ୍ପପୁଞ୍ଜେ, ,ଷଟରିତୁ ରମାପୂର୍ଣ୍ଣ କୁଞ୍ଜେ l
ଷଡାନନତାତ ପରିପନ୍ଥି – ରଣେ ଚୁମ୍ବିବି ନିକି ତୋ ମୁଖକଞ୍ଜେ l
ଆରେ ଷୋଳବୟା, ଷଷ୍ଟି ଦଣ୍ଡ ହୋଇବି ତୋ ତନୁଛାୟା l
ସରୁପାୟେ ହେବୁ କୃତ ପରିଚୟାl ଷଟ ଦୁଇ ଶ୍ରୁତି କରିବେକି ଦୟା (31)
ସୁନ୍ଦରୀ ଚକ୍ରବର୍ତ୍ତିନୀ ବାନା, ସଂସାରେ ସୁନ୍ଦର ତତେ ସିନା
ସୁର ସୀମନ୍ତିନୀ ଗୁଡାକ ତ ଅନିମିଷ ଦୋଷୁ ନେତ୍ର ଲୀଳାହୀନା
ଆରେ ସୃଷ୍ଟିଶୋଭା, ସରେ ଉପମା ତୁ ହୋଇଥିଲେ ଉଭା l
ସରୁମଧ୍ୟମା ତ୍ରିଲୋକୀ ଶୀରଗଭା, ସରସ୍ୱତୀଙ୍କର ତୁ ସଙ୍ଗୀତ ସଭା l(32)
ହସିମାତି ହୋଇ ରସଲୋଳ, ହରିବା ପୁରୁବ ପରି କାଳ l
ହରିତାଳଗୋରୀ ଶ୍ରୀଅଙ୍ଗରୁ ମୁହିଁ ହରିବି କି ସତେ ନୀଳଚେଳ l
ଆରେ ହାତୀଗତି, ହତକପାଳ ଦେବ କି ଏ ସମ୍ପତ୍ତି l
ହାରସ୍ଥଳେ ରଖୁଥିବି ତତେ ନିତି, ହଜିଯିବ ମାନସରୁ ଏ ବିପତି (33)
କ୍ଷୋଭ ଲେଶକୁ ନରଖି ମନେ, କ୍ଷଣେ ହେଲେ ଅତି ସାବଧାନେ,
କ୍ଷିତୀନ୍ଦ୍ର ବାଲୁକେଶ୍ୱର ଦେବ ଲୋକେ ବଞ୍ଚିବ କି ତୋ ଚରଣ ଧ୍ୟାନେ l
ଆରେ କ୍ଷିତିଭୂଷା, କ୍ଷମାମୟୁଖବଦନା ବରଯୋଷା l
କ୍ଷତି ହୋଇଯାଉଛି ମୋ ପ୍ରତି ଆଶା, କ୍ଷୁର୍ଣ୍ଣ ନୋହି ପୂରିଲା ଏ ଚଉତିଶା (34)
