କାଳରାତ୍ରି
କାଳରାତ୍ରି
ମାତା କାଳରାତ୍ରି ସପ୍ତମ ଶକତି
ଖ୍ୟାତ ଦୁର୍ଗା ମାତାଙ୍କର ।
ମସ୍ତକର କେଶ ମୁକୁଳା ସ୍ୱରୂପ
ରଙ୍ଗ କଳା ଅନ୍ଧକାର ।୧।
କଣ୍ଠେ ଝଟ ଝଟ ବିଜୁଳି ସମାନ
ମାଳାଟିଏ ମାତାଙ୍କର ।
ତିନି ନେତ୍ର ତାଙ୍କ ବ୍ରହ୍ମାଣ୍ଡ ସମାନ
ଦିଶୁଥାଇ ଗୋଲାକାର ।୨।
ଚତୁର୍ଭୁଜା ନଗ୍ନା ମାତା ନିଜ ଖର
ବାହନ ଉପରେ ସ୍ଥିତ ।
ଶ୍ୱାସ ପ୍ରଶ୍ୱାସରେ ଅଗ୍ନିର ପ୍ରଖର
ଜ୍ୱାଳା ହୁଅଇ ନିର୍ଗତ ।୩।
ଦକ୍ଷ ଉର୍ଦ୍ଧ୍ଵ କର ବରଦ ମୁଦ୍ରାରେ
ଉଠାଇ ଥାଆନ୍ତି ଟେକି ।
ନିମ୍ନ କର ତାଙ୍କ ଅଭୟ ମୁଦ୍ରାରେ
ସଦା ସେ ଥାଆନ୍ତି ରଖି ।୪।
ବାମ ଉର୍ଦ୍ଧ୍ଵ କରେ ଲୁହାର କଣ୍ଟକ
ନିମ୍ନ କରରେ କଟାର ।
ଧାରଣ କରନ୍ତି ମାତା କାଳରାତ୍ରି
ରୂପ ଘୋର ଭୟଙ୍କର ।୫।
ଶୁଭ ଫଳ ସଦା ଭକତଙ୍କୁ ଦେଇ
ଶୁଭଙ୍କରୀ ସେ ବୋଲନ୍ତି ।
ଦରଶନେ ତାଙ୍କ ଆତଙ୍କିତ ଭୀତ
ଭକତ କେବେ ନୁହନ୍ତି ।୬।
ଦୁର୍ଗାପୂଜା କାଳେ ସପ୍ତମ ଦିନରେ
ପୂଜା କାଳରାତ୍ରିଙ୍କର ।
ରହିଛି ବିଧାନ ସାଧକର ମନ
ଥାଏ ଚକ୍ର ସହସ୍ରାର ।୭।
ସକଳ ପାତକ ବିଘ୍ନ କ୍ଷୟ ହୋଇ
ମାତାଙ୍କ ସ୍ୱରୂପେ ଲୀନ ।
ସକଳ ସିଦ୍ଧିର କପାଟିକା ଖୋଲି
ମିଳଇ ଅକ୍ଷୟ ପୁଣ୍ୟ ।୮।
ଦୁଷ୍ଟ ବିନାଶିନୀ ମାତାଙ୍କ ସ୍ମରଣେ
ଦାନବ ରାକ୍ଷସ ଦୈତ୍ୟ ।
ଭୂତ ପ୍ରେତ ଆଦି ଯାଆନ୍ତି ପଳାଇ
ହୋଇ ସର୍ବେ ଭୟଭୀତ ।୯।
ଗ୍ରହଦୋଷ ଦୂର ଅଗ୍ନି ଜଳ ଜନ୍ତୁ
ଶତ୍ରୁ ରାତ୍ରି ଆଦି ଭୟ ।
ମାତାଙ୍କ କୃପାରୁ କିଛି ନଲାଗଇ
ସାଧକ ରହେ ନିର୍ଭୟ ।୧୦।
କାୟିକ ବାଚିକ ମାନସିକ ଯମ
ନିୟମ ସଂଯମ ମାନ ।
ସର୍ବ ଶୁଭ ହେବ କଲେ ମାତାଙ୍କର
ସ୍ମରଣ ପୂଜନ ଧ୍ୟାନ ।୧୧।