କାଳିଜାଇ
କାଳିଜାଇ
ବାଣପୁର ଗାଁ ଝିଅ ଥିଲା ଜାଇ
ରୂପବତୀ ସୁକୁମାରୀ
ପୁଷ୍ପର ମହକେ ମହକୁଥିଲା ସେ
ମନେ ଆଶା ଅସୁମାରୀ
ନୀଳ ଆକାଶର ଭସାମେଘ ପରି
ଭାସୁଥିଲା ଆନନ୍ଦରେ
ଦୂର ପରବତ ପାହାଡି ବନକୁ
ଛୁଇଁବାର ସପନରେ
ମିଠା ସପନରେ ହଜିଯାଉଥିଲା
କୁଆଁରୀ ମନର ତଳେ
ସପନ ଫୁଲକୁ ତୋଳିବ କେମିତି
ନୀରବରେ ବସି ଭାଳେ
ବାଲ୍ୟ ଚପଳତା ଛାଡ଼ି ବାଣପୁରେ
ଶାଶୁଘର ଯିବା ପାଇଁ
ପାରିକୁଦ ଗଡେ କରିଲେ ଠିକଣା
ଜନ୍ମଦାତା ପିତା ସେହି
ଆଖିରୁ ମୁକୁତା ଝରି ପଡୁଥିଲା
କୋହଭରା ଅନ୍ତରରେ
ଛାଡ଼ି ଜନ୍ମମାଟି ସ୍ନେହ ଆକର୍ଷଣ
ଜାଇ ଯାଏ ଶାଶୁଘରେ
ନୀଳମ୍ବୁ ଚିଲିକା ନୀଳ ଜଳ ମଧ୍ୟେ
ନାବିକ ମେଲିଛି ନାଆ
ବାପାଙ୍କ ସହିତେ ବସିଅଛି ଜାଇ
ବହୁଛି ଶୀତୁଳି ବାଆ
ଚିଲିକା ଜଳରେ ଡଙ୍ଗାର ମଙ୍ଗରେ
ମଉନରେ ଜାଇ ବସି
ମନ ଝରଣାର ପ୍ରଗଳ୍ଭ ଧାରାରେ
ଯାଉଛି ସେ ଭାସି ଭାସି
ଅଳସ ମନରେ କଳସେ ସପନ
ତାର ମନ ଅଗଣାରେ
ସ୍ନେହ ମମତାର ମାଆର ଆଦର
ବହିଯାଏ ଲୁହ ଧାରେ
ଅସୁମାରୀ ଆଶା କୁଆଁରୀ ମନର
ସ୍ୱପ୍ନ ପରି ଆସେ ପଶି
ସେଇ ସ୍ୱପ୍ନ ସବୁ ମୃଗତୃଷ୍ଣା ଭଳି
ମନତଳେ ହୁଏ ଲେସି
ଛନ୍ନ ଛନ୍ନ ମନ ବିଭୋର ତଲ୍ଲୀନ
ଟିକେ ଭୟ ଟିକେ ଖୁସି
ଆତୁର ପରାଣ ବତୁରା ଆଖିରେ
ନିଶ୍ଚିନ୍ତେ ପାରେନା ବସି
କାଳିଜାଇ ଗଣ୍ଡେ ଭାସୁଅଛି ନାଵ
ଭାଲେରୀ ମଥାନ ଛୁଇଁ
ଉଠାଇ ଆସିଲା ଝଡ ଓ ବତାସ
ମେଘ ଗରଜନ ଦେଇ
ଆକାଶ ସହିତ ମିଶିବ କି ସତେ
ଚିଲିକାର ଜଳ ରାଶି
ଅଶାନ୍ତ ଚିଲିକା ଗଭୀର ଗଣ୍ଡରେ
ଡଙ୍ଗା ଯାଉଥିଲା ପଶି
ଅଥଳ ଅକାତ ପାଣିରେ ବୁଡ଼ିଲା
ଜାଇ ବସିଥିବା ନାଆ
ଭାସିଗଲା କାହିଁ ବାଣପୁର ଝିଅ
ସାଜିଥିଲା ସେ କନିଆ
ମିଳିଲାନି ଜାଇ ହେଲା କାଳିଜାଇ
କିମ୍ବଦନ୍ତୀ କହେ ଯାହା
କାହିଁ କେତେକାଳୁ ଚିଲିକା ଜଳରେ
ଭକ୍ତଙ୍କୁ ହେଉଛି ସାହା
