STORYMIRROR

Jayashree Das

Tragedy

4  

Jayashree Das

Tragedy

କାଳିଜାଇ

କାଳିଜାଇ

1 min
268

ବାଣପୁର ଗାଁ ଝିଅ ଥିଲା ଜାଇ 

ରୂପବତୀ ସୁକୁମାରୀ 

ପୁଷ୍ପର ମହକେ ମହକୁଥିଲା ସେ 

ମନେ ଆଶା ଅସୁମାରୀ 


ନୀଳ ଆକାଶର ଭସାମେଘ ପରି 

ଭାସୁଥିଲା ଆନନ୍ଦରେ 

ଦୂର ପରବତ ପାହାଡି ବନକୁ  

ଛୁଇଁବାର ସପନରେ 


ମିଠା ସପନରେ ହଜିଯାଉଥିଲା 

କୁଆଁରୀ ମନର ତଳେ 

ସପନ ଫୁଲକୁ ତୋଳିବ କେମିତି 

ନୀରବରେ ବସି ଭାଳେ 


ବାଲ୍ୟ ଚପଳତା ଛାଡ଼ି ବାଣପୁରେ 

ଶାଶୁଘର ଯିବା ପାଇଁ 

ପାରିକୁଦ ଗଡେ କରିଲେ ଠିକଣା 

ଜନ୍ମଦାତା ପିତା ସେହି 


ଆଖିରୁ ମୁକୁତା ଝରି ପଡୁଥିଲା 

କୋହଭରା ଅନ୍ତରରେ 

ଛାଡ଼ି ଜନ୍ମମାଟି ସ୍ନେହ ଆକର୍ଷଣ 

ଜାଇ ଯାଏ ଶାଶୁଘରେ 


ନୀଳମ୍ବୁ ଚିଲିକା ନୀଳ ଜଳ ମଧ୍ୟେ 

ନାବିକ ମେଲିଛି ନାଆ 

ବାପାଙ୍କ ସହିତେ ବସିଅଛି ଜାଇ 

ବହୁଛି ଶୀତୁଳି ବାଆ 


ଚିଲିକା ଜଳରେ ଡଙ୍ଗାର ମଙ୍ଗରେ 

ମଉନରେ ଜାଇ ବସି 

ମନ ଝରଣାର ପ୍ରଗଳ୍ଭ ଧାରାରେ 

ଯାଉଛି ସେ ଭାସି ଭାସି 


ଅଳସ ମନରେ କଳସେ ସପନ 

ତାର ମନ ଅଗଣାରେ 

ସ୍ନେହ ମମତାର ମାଆର ଆଦର  

ବହିଯାଏ ଲୁହ ଧାରେ 


ଅସୁମାରୀ ଆଶା କୁଆଁରୀ ମନର 

ସ୍ୱପ୍ନ ପରି ଆସେ ପଶି 

ସେଇ ସ୍ୱପ୍ନ ସବୁ ମୃଗତୃଷ୍ଣା ଭଳି 

ମନତଳେ ହୁଏ ଲେସି 


ଛନ୍ନ ଛନ୍ନ ମନ ବିଭୋର ତଲ୍ଲୀନ 

ଟିକେ ଭୟ ଟିକେ ଖୁସି 

ଆତୁର ପରାଣ ବତୁରା ଆଖିରେ 

ନିଶ୍ଚିନ୍ତେ ପାରେନା ବସି 


କାଳିଜାଇ ଗଣ୍ଡେ ଭାସୁଅଛି ନାଵ 

ଭାଲେରୀ ମଥାନ ଛୁଇଁ 

ଉଠାଇ ଆସିଲା ଝଡ ଓ ବତାସ  

ମେଘ ଗରଜନ ଦେଇ 


ଆକାଶ ସହିତ ମିଶିବ କି ସତେ 

ଚିଲିକାର ଜଳ ରାଶି 

ଅଶାନ୍ତ ଚିଲିକା ଗଭୀର ଗଣ୍ଡରେ 

ଡଙ୍ଗା ଯାଉଥିଲା ପଶି 


ଅଥଳ ଅକାତ ପାଣିରେ ବୁଡ଼ିଲା 

ଜାଇ ବସିଥିବା ନାଆ 

ଭାସିଗଲା କାହିଁ ବାଣପୁର ଝିଅ 

ସାଜିଥିଲା ସେ କନିଆ 


ମିଳିଲାନି ଜାଇ ହେଲା କାଳିଜାଇ 

କିମ୍ବଦନ୍ତୀ କହେ ଯାହା 

କାହିଁ କେତେକାଳୁ ଚିଲିକା ଜଳରେ 

ଭକ୍ତଙ୍କୁ ହେଉଛି ସାହା 



Rate this content
Log in

Similar oriya poem from Tragedy