କାଳୀ ଗୌରୀ କଥନ
କାଳୀ ଗୌରୀ କଥନ
କାଳୀ ଗୋରୀ ଦୁହେଁ ସାଙ୍ଗ ସାଥୀ ହୋଇ
ନଈ କୂଳକୁ ଯେ ଗଲେ
ଗପସପ ହେଲେ ନଈ କୂଳେ ବସି
ଶୀତଳ ପଵନ ଖାଇଲେ
ଗୋରୀ ହସୁଥାଏ କାଳୀ ମୁଖ ଚାହିଁ
କାହିଁକି ଆଜି ବିମୁଖ
ନାଗର ରାଜା ତୋ ଛଡାଇ ନେଲାକି
ମୁଖରୁ ତୁମର ସୁଖ
କି କହିବି ସାଙ୍ଗ ମୁଖେ ଲାଗେ ଲାଜ
କହି ପାରୁନାହିଁ କିଛି
ଦୁନିଆ ଦାଣ୍ଡରେ ଧିକ୍କାରି କହିଲେ
ଆତ୍ମାକୁ ଭାରି ବାଧୁଛି
କାଳୀ ବୋଲି ମୋତେ ଘୃଣା ସେ କରନ୍ତି
ଦିଅନ୍ତି କେତେ ସେ ବାଧା
ଧନ୍ଯ ମୋ କପାଳ ଧନ୍ଯ ମୋ ଜନମ
କାହିଁକି ନହେଲି ରାଧା
ମାଡବି ଦେଉଛି ଗାଳିବି ଦେଉଛି
କହୁଛି ମୋ ଘରୁ ତୁ ଯା'
ମନ ଅଛି ମୋର କରିଅଛି ଇଛା
ଆଣିବି ଗୋରୀ ଭାରିଜା
ଗୋରୀ କହେ କାଳୀ ଶୁଣ ମୋର ଗିର
କହୁଛି ଦୁନିଆ କଥା
ଗୋରୀ ବୋଲି ଯେଉଁ ଦୁଇଟି ଅକ୍ଷର
ଦିଅଇ ସଭିଙ୍କୁ ବ୍ଯଥା
ସୁନ୍ଦର ରୂପକୁ ଆଦରି ନିଅନ୍ତି
ଭାବନ୍ତିନି ଆଗପଛ
ଗର୍ବ ଅହଂକାର ମନେ ଭରି ଥାଏ
ଏକଥା ନୁହଁଇ ମିଛ
ରୂପ ଯୌବନକୁ ଦେଖାଇ ଜନକୁ
କରିଥାଉଁ ବିମୋହିତ
ମୋହିନୀ ମନ୍ତ୍ରରେ ନ ଫସନ୍ତି ଯିଏ
ମାରିଥାଉଁ ପଛୁ ନାତ
ଡରି ନ ଥାଉଁ ଯେ ସ୍ବାମୀ ପଣିଆକୁ
କରି ଥାଉଁ ତିରସ୍କାର
ଛାଡି ଦେଲେ ମୋତେ ନେଇଯିବେ କେତେ
ବସନ୍ତି ଜଗି ଦାଣ୍ଡର
କଥା କଥାରେ ତ ରାଗି ଯାଇଥାଉ
ନବୁଝିଣ କିଛି ମର୍ମ
ବୁଝିଲା ବେଳକୁ ଯାଇଥାଏ ସରି
ଆହା ! କରିଲି କାହିଁ ଏକର୍ମ
ସୁନ୍ଦରୀ ମାନଙ୍କୁ ଶିଖାଇ ବୁଝାଇ
କରିଥାଉଁ ଏକଜୁଟ
ସମାଜ ଆଗରେ ନିଜକୁ ବୋଲାଉ
ଆମେ ତ ଏକା ସଚ୍ଚୋଟ
ନିଜ ଗୁଣ ଅଟେ ମହାକାଳ ଫଳ
ପରଗୁଣ କରୁ ଚୋରି
ନିନ୍ଦା ଅପବାଦ ସହି ନପାରିଲେ
ସବୁଠୁ ଯାଉ ବାହାରି
ମହାକାଳ ଫଳ ଦେଖିବା ସୁନ୍ଦର
ଭିତରେ ବଡ଼ ଅଳିଆ
ଆମ୍ଭେ ସେହି ଗୋରୀ ନାରୀ ସୁନ୍ଦୁରୀଆ
କର୍ମ ତ ଗୋଳମାଳିଆ
ହୋଇଗଲେ ଧକ୍କା ପଡିଗଲେ ଏକା
ଦଉଡିବେ ଶହେ ଟୋକା
କାଳୀ ପଡିଗଲେ ଚାହିଁବେନି କେହି
ମାରିବେ ଆହୁରି ଟେକା
(ଅଗୁଣ)ସୁନ୍ଦରୀକୁ କେବେ ହେବନାହିଁ ବାହା
ପାଇବ ଅନେକ ଦୁଃଖ
ଗୁଣଗ୍ରାହୀ ଯଦି କାଳୀ ହୋଇଥାଏ
ଲଭିବ ଅନେକ ସୁଖ
ରସିକ ରାଜାକୁ ବୁଝାଇ କହିବୁ
ଶୁଣିଲୁ ଯାହା ମୋଠାରୁ
ରୂପସିନା କଳା ଗୁଣତ ଅସୀମ
କାହିଁକି ଯିବି ଏ ଘରୁ
ମନର ଵେଦନା କହିଦେଲି ଖୋଲି
ଯିବୁନି ଘରୁ ପଳାଇ
ନାଗର ରାଜାର ଘୁରିଯିବ ମଥା
ମାଡିବନି ଗୋରୀ ଛାଇ
