STORYMIRROR

Narendra Prasad Behera

Abstract

2  

Narendra Prasad Behera

Abstract

କାଳୀ ଗୌରୀ କଥନ

କାଳୀ ଗୌରୀ କଥନ

1 min
305

କାଳୀ ଗୋରୀ ଦୁହେଁ  ସାଙ୍ଗ ସାଥୀ ହୋଇ

    ନଈ କୂଳକୁ ଯେ ଗଲେ

ଗପସପ ହେଲେ   ନଈ କୂଳେ ବସି

    ଶୀତଳ ପଵନ ଖାଇଲେ


ଗୋରୀ ହସୁଥାଏ  କାଳୀ ମୁଖ ଚାହିଁ

     କାହିଁକି ଆଜି ବିମୁଖ

ନାଗର ରାଜା ତୋ  ଛଡାଇ ନେଲାକି

    ମୁଖରୁ ତୁମର ସୁଖ


କି କହିବି ସାଙ୍ଗ  ମୁଖେ ଲାଗେ ଲାଜ

    କହି ପାରୁନାହିଁ କିଛି

ଦୁନିଆ ଦାଣ୍ଡରେ   ଧିକ୍କାରି କହିଲେ

    ଆତ୍ମାକୁ ଭାରି ବାଧୁଛି


କାଳୀ ବୋଲି ମୋତେ  ଘୃଣା ସେ କରନ୍ତି

     ଦିଅନ୍ତି କେତେ ସେ ବାଧା

ଧନ୍ଯ ମୋ କପାଳ  ଧନ୍ଯ ମୋ ଜନମ

     କାହିଁକି ନହେଲି ରାଧା


ମାଡବି ଦେଉଛି  ଗାଳିବି ଦେଉଛି

    କହୁଛି ମୋ ଘରୁ ତୁ ଯା'

ମନ ଅଛି ମୋର   କରିଅଛି ଇଛା

   ଆଣିବି ଗୋରୀ ଭାରିଜା


ଗୋରୀ କହେ କାଳୀ  ଶୁଣ ମୋର ଗିର

    କହୁଛି ଦୁନିଆ କଥା

ଗୋରୀ ବୋଲି ଯେଉଁ  ଦୁଇଟି ଅକ୍ଷର

    ଦିଅଇ ସଭିଙ୍କୁ ବ୍ଯଥା


ସୁନ୍ଦର ରୂପକୁ  ଆଦରି ନିଅନ୍ତି

    ଭାବନ୍ତିନି ଆଗପଛ

ଗର୍ବ ଅହଂକାର  ମନେ ଭରି ଥାଏ

    ଏକଥା ନୁହଁଇ ମିଛ


ରୂପ ଯୌବନକୁ  ଦେଖାଇ ଜନକୁ

    କରିଥାଉଁ ବିମୋହିତ

ମୋହିନୀ ମନ୍ତ୍ରରେ  ନ ଫସନ୍ତି ଯିଏ

    ମାରିଥାଉଁ ପଛୁ ନାତ


ଡରି ନ ଥାଉଁ ଯେ  ସ୍ବାମୀ ପଣିଆକୁ

     କରି ଥାଉଁ ତିରସ୍କାର

ଛାଡି ଦେଲେ ମୋତେ  ନେଇଯିବେ କେତେ

     ବସନ୍ତି ଜଗି ଦାଣ୍ଡର


କଥା କଥାରେ ତ  ରାଗି ଯାଇଥାଉ

     ନବୁଝିଣ କିଛି ମର୍ମ

ବୁଝିଲା ବେଳକୁ  ଯାଇଥାଏ ସରି

   ଆହା ! କରିଲି କାହିଁ ଏକର୍ମ


ସୁନ୍ଦରୀ ମାନଙ୍କୁ  ଶିଖାଇ ବୁଝାଇ

    କରିଥାଉଁ ଏକଜୁଟ

ସମାଜ ଆଗରେ  ନିଜକୁ ବୋଲାଉ

    ଆମେ ତ ଏକା ସଚ୍ଚୋଟ


ନିଜ ଗୁଣ ଅଟେ  ମହାକାଳ ଫଳ

    ପରଗୁଣ କରୁ ଚୋରି

ନିନ୍ଦା ଅପବାଦ  ସହି ନପାରିଲେ

    ସବୁଠୁ ଯାଉ ବାହାରି


ମହାକାଳ ଫଳ  ଦେଖିବା ସୁନ୍ଦର

   ଭିତରେ ବଡ଼ ଅଳିଆ

ଆମ୍ଭେ ସେହି ଗୋରୀ  ନାରୀ ସୁନ୍ଦୁରୀଆ

    କର୍ମ ତ ଗୋଳମାଳିଆ


ହୋଇଗଲେ ଧକ୍କା  ପଡିଗଲେ ଏକା

   ଦଉଡିବେ ଶହେ ଟୋକା

କାଳୀ ପଡିଗଲେ  ଚାହିଁବେନି କେହି

    ମାରିବେ ଆହୁରି ଟେକା


(ଅଗୁଣ)ସୁନ୍ଦରୀକୁ କେବେ  ହେବନାହିଁ ବାହା

     ପାଇବ ଅନେକ ଦୁଃଖ 

ଗୁଣଗ୍ରାହୀ ଯଦି  କାଳୀ ହୋଇଥାଏ

    ଲଭିବ ଅନେକ ସୁଖ


ରସିକ ରାଜାକୁ  ବୁଝାଇ କହିବୁ

    ଶୁଣିଲୁ ଯାହା ମୋଠାରୁ

ରୂପସିନା କଳା  ଗୁଣତ ଅସୀମ

    କାହିଁକି ଯିବି ଏ ଘରୁ


ମନର ଵେଦନା  କହିଦେଲି ଖୋଲି

     ଯିବୁନି ଘରୁ ପଳାଇ

ନାଗର ରାଜାର  ଘୁରିଯିବ ମଥା

  ମାଡିବନି ଗୋରୀ ଛାଇ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract