କାଳବୈଶାଖୀ
କାଳବୈଶାଖୀ
ଉତ୍ତରୁ ଆସିଲା ଉତ୍ତରା ପବନ
କଳା ବାଦଲ ସହିତେ,
କାଳବୈଶାଖୀର ରୂପ ନେଲା ସିଏ
ଚାହୁଁ ଚାହୁଁ ତୁରିଇତେ ।୧।
ଘନ ଅନ୍ଧକାର ମାଡ଼ି ଆସେ ଦେଖ
ଚଉଦିଗୁ ଚଉପାଶୁ,
ଉତ୍ତପ୍ତ ଗଗନେ ନିମିଷକେ ମାତ୍ରେ
ହଜିଗଲା ତହିଁ ଅଂଶୁ ।୨।
ସର୍ବ ଶକ୍ତିଶାଳୀ ଅହଂକାର ନେଇ
ଜଳୁଥିଲା ଅଂଶୁମାନ,
ନିମିଷକ ମାତ୍ରେ କଳା ମେଘ ତା'ର
ଭାଙ୍ଗିଦେଲା ସ୍ୱାଭିମାନ ।୩।
କେଉଁଠି ଥିଲା ସେ କାଳବୈଶାଖୀ ଟା
କାଳ ଉଣ୍ଡି ଆସିଥିଲା,
ଗାଆଁ ଗଣ୍ଡା ଭୂଇଁ କ୍ଷେତ ଖତିଆନ
ତା' ଗର୍ଭେ ଗର୍ଭସ୍ଥ ହେଲା ।୪।
ଘମାଘୋଟ ଯୁଦ୍ଧ ଲାଗଛି ସତେ କି
ମହା ଅନ୍ତରିକ୍ଷ ତଳେ,
ଭୟାନକ ରୂପ ଦୃଶ୍ୟମାନ ହୁଏ
ସୁବର୍ଣ୍ଣରେଖାର ଜଳେ ।୫।
ବର୍ଚ୍ଛା ତରବାରୀ ମୁହାଁ ମୁହିଁ ହୋଇ
ଆଲୋକ କରେ କି ସୃଷ୍ଟି,
କେଉଁ ବୀରାତ୍ମାର ସ୍ବେଦ ଝରିପଡ଼େ
ସେଥିପାଇଁ ଏହି ବୃଷ୍ଟି ।୬।
ଅପରହ୍ନେ ଅଂଶୁ ଶଙ୍କାକୁଳ ହୋଇ
ବାଦଲ ପ୍ରଚ୍ଛନେ ଲୁଚେ,
ଅକାଳରେ ସେହି କାଳବୈଶାଖୀଟା
ବିଭୀଷିକା ଖେଳ ରଚେ ।୭।
ଧୂଳି ଧୂସରିତ ପବନ ସହିତେ
ବଉଳା ଖେଳୁଛି ଖେଳ,
ଗାଆଁ ପିଲାଙ୍କର ଆମ୍ବତୋଟା ଠାରେ
ଲାଗିଛି ଅଜସ୍ର ମେଳ ।୮।
ଖଣ୍ଡିଆ ଭୂତଟା ଭିଡ଼ିମୋଡ଼ି ହୁଏ
କେଉଁ ଆଡ଼େ ଯିବ ବୋଲି,
ଉଡ଼ାଇ ନେବକି ସର୍ବସ୍ୱ ସମୂଳେ
ଚିହ୍ନ ଛାଡ଼ିଯିବ ଖାଲି ।୯
ଉତୁପାତ ରଚି କାଳବୈଶାଖୀଟା
କାଳ ସହ ଚାଲିଗଲା,
ଫେରିବା ରାସ୍ତାରେ ଏକାକୀ ନ ଯାଇ
କେତେ କ'ଣ ସାଥେ ନେଲା ।୧୦।