କାକ ଓ କେକୀ
କାକ ଓ କେକୀ
କାକ ଛୁଆ ଦିନେ ତା' ମାଆ ପାଖରେ
କହିଲା କରି ସେ ଶୋକ ।
ରୂପଟି ଆମର ଅସୁନ୍ଦର ଭାରି
ଲାଗୁଅଛି ତେଣୁ ଦୁଃଖ ।।
ପାଖେ ଦେଖ କେକୀ ନାଚୁଛି ଆନନ୍ଦେ
ଦିଶୁଛି ସୁନ୍ଦର ଭାରି ।
ଇଛା ମୋ ହେଉଛି ନାଚିଥାନ୍ତି ମୁହିଁ
ତାଙ୍କ ଭଳି ରୂପ ଧରି ।।
ଏହି ସମୟରେ ଆସିଲା ଶିକାରୀ
ମାରିଲା ଗୋଟିଏ ତୀର ।
ଲୁଚିଗଲେ ସବୁ ମୟୂର ବଣରେ
ମନେ ଥିଲା ତାଙ୍କ ଡର ।।
ଏହି ଦୃଶ୍ୟ ଦେଖି ଡରି କାକ ଛୁଆ
ମାଆ କୋଳେ ଗଲା ଲୁଚି ।
ମାଆ କହୁଥିଲେ ଡରୁଛୁ କାହିଁକି
ହେବ ନାହିଁ ଆମ କିଛି ।।
କେକୀ ଶିକାରରେ ଆସିଥିଲା ବ୍ୟାଧ
ଚାଲି ତ ଗଲାଣି ଏବେ ।
ବ୍ୟ
ାଧ ଅଟେ ଶତ୍ରୁ ତାଙ୍କ ପାଇଁ ସିନା
ଆମ ପାଇଁ ନୁହଁ କେବେ ।।
ଏହା ଶୁଣି କାକ ଛୁଆ ମନୁ ଭୟ
ଦୂର କରି ହେଲା ଖୁସି ।
କୃତଜ୍ଞତା ଦେଲା ସୃଷ୍ଟିକର୍ତ୍ତାଙ୍କୁ ସେ
ମନୁ ଭ୍ରାନ୍ତ ଭାବ ନାଶି ।।
ନିଜକୁ ତୁଳନା ଅନ୍ୟ ସହ କରି
ପାଉଥିଲା ଯେଉଁ ଦୁଃଖ ।
ଦୂର କରିଦେଲା ଜାଣି ଦୁର୍ବଳତା
ରହିଛି ସଭିଙ୍କ ପାଖ ।।
ଏହି ଘଟଣାଟି ଦେଇଗଲା ଶିକ୍ଷା
ଆମରି ମାନଙ୍କୁ ଭାଇ ।
ଦୁର୍ବଳତା ନିଜ ମାନିବାକୁ ହେବ
ମନରେ ହରଷ ହୋଇ ।
ନିଜକୁ ଗ୍ରହଣ କରିବାକୁ ହେବ
ମନକୁ ଦୁଃଖ ନ ଦେଇ ।।
ସମସ୍ୟା ଭିତରେ ବଞ୍ଚିବାକୁ ହେବ
ନିଜର ସାମର୍ଥ୍ୟ ନେଇ ।।