କାହ୍ନାରୁ ଦ୍ବାରକାଧୀଶ ପର୍ଯ୍ୟନ୍ତ
କାହ୍ନାରୁ ଦ୍ବାରକାଧୀଶ ପର୍ଯ୍ୟନ୍ତ
ଦ୍ବାପର ସରିଲା ଲୀଳାଖେଳା ସାରି
କୃଷ୍ଣ ଗଲେ ସ୍ବର୍ଗପୁର
ବଇକୁଣ୍ଠେ ଦିନେ ଭେଟ ହେଇଗଲା
ରାଈ ସଙ୍ଗେ ଦାମୋଦର
ବିଚଳିତ କୃଷ୍ଣ ପ୍ରଫୁଲ୍ଲିତ ରାଧା
ଏକକୁ ଆରେକ ଚାହିଁ
ଦୁଇ ପ୍ରେମୀଙ୍କର ଅଧର କମ୍ପଇ
କିଛି ନ କୁହନ୍ତି କେହି
ନିମିଷକେ ରାଧା ନିଜକୁ ସମ୍ଭାଳି
କୁହନ୍ତି ଶୁଣ ହେ କାହ୍ନୁ
ଦ୍ବାରକାର ପତି ହେଲାପରେ ଗୋପ
କଥା ଭୁଲିଗଲ ମନୁ
କେମିତି ଅଛ ହେ ଦେବକୀ ନନ୍ଦନ
ଅଧିପତି ଦ୍ବାରକାର
କହିଲେ ଶ୍ରୀକୃଷ୍ଣ ଦ୍ବାରକେଶ ଡାକି
କାହିଁପାଇଁ ବ୍ୟଙ୍ଗ କର
ତୁମ ବିନା ମୋତେ ଭଲ ଲାଗେ ନାହିଁ
ଆଖିରୁ ଝରେ ମୋ ଲୁହ
ତୁମେ ମାନମୟୀ ଶ୍ରୀରାଧା ମୋହର
କେମିତି ଅଛ ଗୋ କୁହ
କହିଲେ ଶ୍ରୀରାଧା ଶୁଣ ହେ ଶ୍ରୀପତି
ମୁଁ ତୁମ ପ୍ରେମ ବାତୁଳୀ
ମନେ ପକାଇବି କେମିତି କୁହ ତ
ମୁଁ କି କେବେ ଭୁଲିଥିଲି
ମୋ ହୃଦୟେ ତୁମେ ମୋ ମନରେ ତୁମେ
ସେଥିପାଇଁ କାନ୍ଦେନାହିଁ
ଆଶଙ୍କା ଉପୁଜେ ଲୁହସାଥେ କାଳେ
କାହ୍ନୁ ମୋର ଯିବ ବୋହି
ମୁଁ ରହିଛି ସେଇ ଗୋପାଳୁଣୀ ରାଧା
ଆଜି ବି ବଦଳି ନାହିଁ
ଯମୁନା ପୁଳିନ ଗୋପ ବୃନ୍ଦାବନ
ଏବେ ବି ମୁଁ ଭୁଲିନାହିଁ
ଯମୁନାର ଶୁଦ୍ଧ ମଧୁର ଜଳରୁ
ଯାତ୍ରା ତୁମେ ଆରମ୍ଭିଲ
ଦ୍ବାରକା ଲବଣ ବାରିଧି ଜଳରେ
ଆମ ପ୍ରେମ ବୁଡାଇଲ
ଆଉ ଏକ କଥା କହୁଛି ମୁଁ ଶୁଣ
ଯେଉଁ ହାତ ଆଙ୍ଗୁଳିରେ
ଗିରି ଧରି ଗୋପ ଜନେ ରକ୍ଷା କଲ
ମନେପକା ତାକୁ ଥରେ
ଏବେ ସେ ହାତରେ ସୁଦର୍ଶନ ଚକ୍ର
ଧରି କରୁଛ ବିନାଶ
କାହ୍ନୁ ତ ମୋହର ବଦଳି ଯାଇଛି
ହୋଇଛି ଦ୍ବାରକାଧୀଶ
