STORYMIRROR

Banabihari Mishra

Abstract

2  

Banabihari Mishra

Abstract

କାହ୍ନାରୁ ଦ୍ବାରକାଧୀଶ ପର୍ଯ୍ୟନ୍ତ

କାହ୍ନାରୁ ଦ୍ବାରକାଧୀଶ ପର୍ଯ୍ୟନ୍ତ

1 min
111

ଦ୍ବାପର ସରିଲା   ଲୀଳାଖେଳା ସାରି

     କୃଷ୍ଣ ଗଲେ ସ୍ବର୍ଗପୁର

ବଇକୁଣ୍ଠେ ଦିନେ  ଭେଟ ହେଇଗଲା

     ରାଈ ସଙ୍ଗେ ଦାମୋଦର

ବିଚଳିତ କୃଷ୍ଣ    ପ୍ରଫୁଲ୍ଲିତ ରାଧା

     ଏକକୁ ଆରେକ ଚାହିଁ

ଦୁଇ ପ୍ରେମୀଙ୍କର   ଅଧର କମ୍ପଇ

     କିଛି ନ କୁହନ୍ତି କେହି

ନିମିଷକେ ରାଧା   ନିଜକୁ ସମ୍ଭାଳି

     କୁହନ୍ତି ଶୁଣ ହେ କାହ୍ନୁ

ଦ୍ବାରକାର ପତି    ହେଲାପରେ ଗୋପ

     କଥା ଭୁଲିଗଲ ମନୁ

କେମିତି ଅଛ ହେ   ଦେବକୀ ନନ୍ଦନ

     ଅଧିପତି ଦ୍ବାରକାର

କହିଲେ ଶ୍ରୀକୃଷ୍ଣ    ଦ୍ବାରକେଶ ଡାକି

     କାହିଁପାଇଁ ବ୍ୟଙ୍ଗ କର

ତୁମ ବିନା ମୋତେ   ଭଲ ଲାଗେ ନାହିଁ

     ଆଖିରୁ ଝରେ ମୋ ଲୁହ

ତୁମେ ମାନମୟୀ    ଶ୍ରୀରାଧା ମୋହର

     କେମିତି ଅଛ ଗୋ କୁହ

କହିଲେ ଶ୍ରୀରାଧା   ଶୁଣ ହେ ଶ୍ରୀପତି

     ମୁଁ ତୁମ ପ୍ରେମ ବାତୁଳୀ

ମନେ ପକାଇବି    କେମିତି କୁହ ତ

     ମୁଁ କି କେବେ ଭୁଲିଥିଲି

ମୋ ହୃଦୟେ ତୁମେ  ମୋ ମନରେ ତୁମେ

      ସେଥିପାଇଁ କାନ୍ଦେନାହିଁ

ଆଶଙ୍କା ଉପୁଜେ    ଲୁହସାଥେ କାଳେ

      କାହ୍ନୁ ମୋର ଯିବ ବୋହି

ମୁଁ ରହିଛି ସେଇ     ଗୋପାଳୁଣୀ ରାଧା

      ଆଜି ବି ବଦଳି ନାହିଁ

ଯମୁନା ପୁଳିନ     ଗୋପ ବୃନ୍ଦାବନ

      ଏବେ ବି ମୁଁ ଭୁଲିନାହିଁ

ଯମୁନାର ଶୁଦ୍ଧ     ମଧୁର ଜଳରୁ

      ଯାତ୍ରା ତୁମେ ଆରମ୍ଭିଲ

ଦ୍ବାରକା ଲବଣ    ବାରିଧି ଜଳରେ

      ଆମ ପ୍ରେମ ବୁଡାଇଲ

ଆଉ ଏକ କଥା    କହୁଛି ମୁଁ ଶୁଣ

     ଯେଉଁ ହାତ ଆଙ୍ଗୁଳିରେ

ଗିରି ଧରି ଗୋପ    ଜନେ ରକ୍ଷା କଲ

     ମନେପକା ତାକୁ ଥରେ

ଏବେ ସେ ହାତରେ  ସୁଦର୍ଶନ ଚକ୍ର

     ଧରି କରୁଛ ବିନାଶ

କାହ୍ନୁ ତ ମୋହର   ବଦଳି ଯାଇଛି

     ହୋଇଛି ଦ୍ବାରକାଧୀଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract