କାହ୍ନା
କାହ୍ନା
କଦମ୍ବ ନାହିଁ କି ଯମୁନା ନାହିଁ
ଏଇ ମୋ ହୃଦୟ ଭିତରେ,
ତଥାପି ବି ଏଠି କାହ୍ନା ତୋ ବଇଁଶୀ
ଶୁଭିଯାଏ ପ୍ରତି କ୍ଷଣରେ।
ପାଗଳୀ ପରାଏ ଏଣେତେଣେ ଖୋଜେ
କାହିଁଗଲୁ କଳାକହ୍ନେଇ,
କୋହ ସବୁ ମୋର କଦମ୍ବ ସାଜୁଛି
ଶାଖାପ୍ରଶାଖାକୁ ମେଲାଇ।
ଛଳଛଳ ଆଖି ହେଇଯାଏ ମୋର
ଲୁହ ସବୁ ହୁଏ ଢଳଢଳ,
ନିଃଶବ୍ଦରେ ମତେ ଶୁଭିଯାଏ ସତେ
ଯମୁନାର ସେଇ କଳକଳ।
ଅନ୍ତର ବେଦନା ବୁଝୁନାହୁଁ କାହିଁ
ଦିନେ ଆସି ଦେଉନାହୁଁ ଦେଖା,
ତତେ ଝୁରିଝୁରି ହେଲିଣି ପାଗିଳୀ
କାମ କରୁନି ଯେ ମୋର ପ୍ରେକ୍ଷା।
ଦୂରୁ ହାତଠାରି ଡାକିଦେଇ ତୁହି
ଚାଲିଯାଉ ପୁଣି ପଲକରେ,
ପଡିଉଠି ମୁହିଁ ଧାଏଁ ତୋର ପଛେ
ଲୁଚିଯାଉ ତୁ କେଉଁ ଅନ୍ଧାରେ।
ଜାଣିଛି ଦିନେ ତୁ ଆସିବୁ ମୋ ପାଶେ
ଏବେ ଦେଖାଉଛୁ ଟିକେ ଛଇ,
ରାଧାରାଣୀ ମନ ନେଇ ମୁଁ ବସିଛି
ଆ କାହ୍ନା ମୋର ଧାଇଁଧାଇଁ।