କାହିଁକି କେଜାଣି
କାହିଁକି କେଜାଣି
କାହିଁକି କେଜାଣି ମନ ଓ ହୃଦୟ
ବଢ଼ ଅସମ୍ଭାଳ ହୁଏ
ଯଥାଶୀଘ୍ର ଯାଇ କର୍ମ ଚଞ୍ଚଳରେ
ଲାଗିବାକୁ ଇଛା ଥାଏ।୧
ଟିକିଏ ବି ଯମା ଥୟ ନ ଧରିକି
ଆଗକୁ ହିଁ ମାଡି଼ଥାଏ
ନିଜର ଗାଡି଼କୁ ବିନା ନିୟନ୍ତ୍ରଣେ
ଦୁର୍ଘଟଣା ଆଣିଥାଏ।୨
ମୁହିଁ ଭାବିଥାଏ ଗର୍ବ ଓ ଦମ୍ଭରେ
ମୋ'ପରି ଚାଳକ ନାହିଁ
ଦେଖୁନ ଯାଉଛି ପବନ ସମାନ
ମୃତ୍ଯୁକୁ ଭୟ ମୋ' କାହିଁ?୩
ସମୟର ଚକ ବଡ଼ ବଳବାନ
ସଦା କି ଭଲରେ ଥିବ
ଦୁର୍ଘଟଣା ହୋଇ ଡାକ୍ତରଖାନାରେ
କଲବଲ ଆହା ଭାବ?୪
ଟ୍ରାଫିକ ନିୟମ ଭଙ୍ଗ କରିବାରୁ
ଦୁର୍ଦ୍ଦଶା ଆସିଲା ଭାଇ
ଏବେ ବୁଝୁଅଛି ଅପେକ୍ଷା ନ କରି
ଫଳ ମୁହିଁଗଲି ପାଇ।୫
ଜେଜେ କହୁଥିଲେ ଅପେକ୍ଷାର ଫଳ
କେବେକେବେ ବଡ଼ ମିଠା
ନ ହେଲେ ନାତିରେ ପାଟିକୁ ସ୍ବାଦଟା
ହୋଇ ଯାଇପାରେ ସିଠା।୬
ସଂସାରକୁ ତୁହି ଆସିବା ପର୍ଯ୍ଯନ୍ତ
ନଅ ମାସ ଅପେକ୍ଷାରେ
ଚାଲିବା ପାଇଁକି ଦୁଇ ବର୍ଷ ଲୋଡା଼
ଭୋଟ ଦେବା ଆଠରରେ।୭
ସ୍କୁଲରେ ପ୍ରବେଶ ତିନିବର୍ଷ ଯଦି
ଅପେକ୍ଷା କରିଛୁ ତୁହି
ଚାକିରି ପାଇଁକି ବାଇଶି ବରଷ
ତେବେ ବ୍ଯଗ୍ର ହେଉ କାହିଁ?୮
ଗାଡି଼ଟାକୁ ମାତ୍ର ତିରିଶି ସେକେଣ୍ଡ
ଅଟକାଇ ନ ପାରିଲୁ
ଏବେ ଦେଖ କେତେ ହନ୍ତସନ୍ତ ସବୁ
କିଆଁ ବୁଦ୍ଧି ହଜେଇଲୁ?୯
ଅନୁତାପେ ସଢି଼ ଲୁହରେ ଗାଧୋଇ
ନାତି ଆରପାରି ଗଲା
ଘର ପରିବାର ଝୁରି ମରିଗଲେ
ବଂଶ ଆମ ବୁଡି଼ଗଲା।୧୦
