କାହିଁକି କବି
କାହିଁକି କବି
କବି ଯଦି ଲଢିବନି ନିଠୁର ନିୟତି ସାଥିରେ
ଶବ୍ଦ ଓ ଭାବର ଅସ୍ତ୍ରର ସମାହାରରେ
କୁହ ଆଉ ଲଢ଼ିବ କିଏ ।
କବି ଯଦି ଦେବ ନାହିଁ ବଜ୍ର ଆହ୍ବାନ ହୁଙ୍କାର
ସୃଷ୍ଟିକର୍ତ୍ତା ପରମେଶ୍ଵରଙ୍କୁ ବାଛବିଚାର ପ୍ରତିବାଦରେ
କୁହ ଆଉ ଦେବ କିଏ ।
କବି ଯଦି କହିବନି ଦେଶମାତୃକାର ଦୁର୍ଗତି
ଜାତିର ଦୁର୍ଦ୍ଦଶାର କଥା ତା'ର କାବ୍ଯ କବିତାରେ
କୁହ ଆଉ କହିବ କିଏ ।
କବି ଯଦି କରିବନି ଉଜାଗର କବିତାରେ ତା'ର
ସମକାଳର ସମସ୍ଯା ତମାମ ବିସଙ୍ଗତି ସମାଜର
କୁହ ଆଉ କରିବ କିଏ ।
କବି ଯଦି ତୋଳିବନି ଶାଣିତ ସ୍ବର ବିଦ୍ରୋହର
ଅନ୍ଯାୟ ଅନୀତି ଦୁର୍ନୀତି ପ୍ରୀୟାପ୍ରୀତିର ବିରୋଧରେ
କୁହ ଆଉ ତୋଳିବ କିଏ ।
କବି ଯଦି ସାଜିବନି ମୁକ୍ତିର ଜ୍ୱଳନ୍ତ ମଶାଲ
ଚିର ମୁକ୍ତିକାମୀ ଜନତାର ଅନ୍ଧାରୀ ମୂଲକରେ
କୁହ ଆଉ ସାଜିବ କିଏ ।
କବି ଯଦି ଜାଳିବନି ଦେଶପ୍ରେମର ବହ୍ନି
ଆବାଳବୃଦ୍ଧ ଜନଗଣ ସବୁରି ହୃଦୟ କନ୍ଦରେ
କୁହ ଆଉ ଜାଳିବ କିଏ ।
କବି ଯଦି ଗାଇବନି ମେହନତି ଖଟିଖିଆ ମଜୁରିଆ
ମଣିଷର ମରମଗାଥା ତା'ର ଶାଣଦିଆ ତୁଣ୍ଡରେ
କୁହ ଆଉ ଗାଇବ କିଏ ।
କବି ଯଦି ଯୁଝିବନି ଘୁଣଖିଆ ବ୍ୟବସ୍ଥା ସାଥିରେ
ଅହରହ ଅନବରତ ତା'ର ଭାବୋଛ୍ବାସରେ
କୁହ ଆଉ ଯୁଝିବ କିଏ ।
କବି ଯଦି ହୋଇବନି ସଦା ସର୍ବଦା ଲହୁଲୁହାଣ
ଲଢି ଲଢି ଶକ୍ତିଶାଳୀ ପରାଙ୍ଗପୁଷ୍ଟ ଶ୍ରେଣୀ ସାଥିରେ
କୁହ ଆଉ ହୋଇବ କିଏ ।
କବି ଯଦି ଆଙ୍କିବନି ନିଛକ ଚିତ୍ର ଜୀବନର ଜଗତର
କଲମର କାଳିରେ କାଗଜର ସ୍ବଚ୍ଛ ଧବଳ ପୃଷ୍ଠାରେ
କୁହ ଆଉ ଆଙ୍କିବ କିଏ ।
କବି ଯଦି ସୃଜିବନି ମୃତ୍ୟୁ ସଞ୍ଜିବନୀ ତା'ର କଳ୍ପନାରେ
ନିଜେ ଠିଆ ହୋଇ ଧ୍ବଂସର ବାରୁଦ ଗଦାରେ
କୁହ ଆଉ ସୃଜିବ କିଏ ।
କବି ଯଦି ରୋପିବନି ଶାନ୍ତି ମୈତ୍ରୀ ପ୍ରୀତି ସମତାର ବୀଜ
ଏଇ ଧୂଳି ଧୂସରିତ ପାଣ୍ଡୁର ଧରାଧାମରେ
କୁହ ଆଉ ରୋପିବ କିଏ ।
କବି ଯଦି ଫୁଟାଇବନି ପ୍ରେମର ପାରିଜାତ ପୁଷ୍ପ
ପାଷାଣ୍ଡ ବିବର୍ଣ୍ଣ ବିରସ ବନ୍ଧୁର ଶିଳା ଖଣ୍ଡରେ
କୁହ ଆଉ ଏମିତି କରିବ କିଏ ।
କବି ଯଦି ଦେବନି ବିଶ୍ବଭାତୃତ୍ବର କଥା ଐକ୍ଯର ବାର୍ତ୍ତା
ଏଇ ହିଂସା ପ୍ରତିହିଂସା ପ୍ରପୀଡିତ ଦୁନିଆ ବୁକୁରେ
କୁହ ଆଉ ଦେବ କିଏ ।
କବି ଯଦି ସହିବିନି ଅକୁହା ଯାତନା କଷଣ
ତା'ର ସ୍ପଷ୍ଟବାଦୀ ଆଭିମୁଖ୍ୟ ପୋଷଣରେ
କୁହ ଆଉ ସହିବ କିଏ ।
କବି ଯଦି ଚାଲିବନି ଏକା ଏକା ବାଟ ଆପଣାର
ଜୀବନର କଣ୍ଟକାକୀର୍ଣ୍ଣ ଅମଡ଼ାବାଟରେ
କୁହ ଆଉ ଚାଲିବ କିଏ ।
କବି ଯଦି ହେବନି ବେସାଲିସ୍ ସଂଗ୍ରାମୀଟିଏ
ନିର୍ଭୟ ନିଡର ନିଶଙ୍କ ନିଆଁଖୁଣ୍ଟା ଆତ୍ମାଟିଏ
କୁହ ଆଉ ହେବ କିଏ ।
କବି ଯଦି ଜଳିବନି ତିଳ ତିଳ ସଳିତା ସମ
ଆନକୁ ବିତରି ଆଶାର ଆଲୋକ ମହୀରେ
କୁହ ଆଉ ଏମିତି ଜଳିବ କିଏ ।
କବି ଯଦି ହେବନି କବିଟିଏ ଶୁଦ୍ଧାନ୍ତକରଣରେ
ଲେଖନୀ ଚାଳନା କରି ବିଶ୍ୱବ୍ରହ୍ମାଣ୍ଡ ହିତରେ
କୁହ ଆଉ ହୋଇବ କିଏ ।
କବି ଯଦି ହେବନି କବିଟିଏ ବାସ୍ତବ ଅର୍ଥରେ
ଜୀଇଁବାକୁ ମରିବାକୁ ଏକମାତ୍ର ଜଗତ ସ୍ବାର୍ଥରେ
କୁହ ଆଉ ହୋଇବ କିଏ ।