କାହିଁ ଆଉ ଶ୍ୟାମଳା ଫସଲର କ୍ଷେତ୍ର
କାହିଁ ଆଉ ଶ୍ୟାମଳା ଫସଲର କ୍ଷେତ୍ର
ମନେ ଭାବିଲି ପୃଥିବୀର ଚିତ୍ର ଆଙ୍କିବା ପାଇଁ
ମନ ମଧ୍ୟରେ ଆକାଶର ଚିତ୍ର ଆସିଲା ଧାଇଁ ।
ଖୋଜିଲି ଦେଖିବି ଆକାଶର ଆକାଶିଆ ରଙ୍ଗକୁ
ପରିବେଶ ଦୂଷିତ ଧୂସର ହୋଇଛି ପାଇଲିନି ତାକୁ ।
ତାପରେ ନୀଳ ରଙ୍ଗର ସମୁଦ୍ର ମନେ ପଡିଲା
ମହାବାତ୍ୟାରେ ରୁଦ୍ରରୂପ ଧରିଛି ଦେଖିଲି ଭଲା ।
ମୁଁ ମୋ ମାଆର ଜଠରୁ ଜନମ ତ ହେଲି
ମାଟି ମା' ସ୍ଥାନ ଦେଲା ଆନନ୍ଦେ କୋଳ ମେଲି ।
ମାଟି ମାଆ କଥା ମୋର ମନରେ ଆସିଲା
ମହାଦ୍ରୁମ ଓ ତରୁ ଲତାରେ କେତେ ପୁରିଥିଲା ।
ନଦୀ ନାଳ ଝରଣା ଗାଡ଼ିଆ ଓ ପୋଖରୀ
କୁଡ଼ିଆ ବଡ଼ ବଡ଼ ଅଟ୍ଟାଳିକା ରହିଛି ପୁରି ।
ପାଉନି ଆଉ ଘଂଚ ଜଙ୍ଗଲ ଛୁଆ ଦିନର
ଚିତ୍ର ସେହି ନୂଆ ନୂଆ ସବୁଜ ବନାନୀର ।
କାହିଁ ଶସ୍ୟ ଶ୍ୟାମଳା ଫସଲର କ୍ଷେତ୍ର
ଆସୁନି ନୟନେ ରାସ୍ତା କଡେ ସେ ଚିତ୍ର ।
କଟା ଚାଲିଛି ଗଛ ସବୁ ରାସ୍ତା କଡର
ପାଉନି ଚିତ୍ର କେଉଁଠି ପଥକ୍ଲାନ୍ତ ପଥିକର ।
ଖୋଜିଲି ଦେଖିବି ବିଭିନ୍ନ ପକ୍ଷୀ ସମୁହଂକୁ
ଗଛ ନାହିଁ, ପାଉନି ଶୁକ, ହଳଦୀ ବସନ୍ତକୁ ।
ତଥାପି ଅଛନ୍ତି ଲୋକ ଘଞ୍ଚ ଜଙ୍ଗଲ ମଧ୍ୟରେ
ଚଳନ୍ତି ମାଣ୍ଡିଆ ପେଜ ଓ ଜଙ୍ଗଲି ଚିଜରେ ।
ଲୁଣ ଓ କଞ୍ଚାଲଙ୍କା ଛଡ଼ା ଆଉ କିଛି ସମ୍ବଳ ନାହିଁ
ଚଳି ଯାଆନ୍ତି ନିଜ ନିଜ ମଧ୍ୟରେ ଦିଆନିଆ ହୋଇ ।
