କାହାରିକୁ କଷ୍ଟ ନଦିଅ ପ୍ରଭୁ
କାହାରିକୁ କଷ୍ଟ ନଦିଅ ପ୍ରଭୁ
ଆଖିରେ ବାନ୍ଧିଛି ଅନ୍ଧର ପୁଟୁଳି
ଏଠି ପ୍ରଶାସନ ନ୍ଯାୟ ଓ ଧର୍ମ
ନିରୀହ ବିଚରା ହୁଏ ହନ୍ତସନ୍ତ
ବୃଥା ମଣେ ଜନ୍ମ ଭାଗ୍ଯ ତା ବାମ ।
ଧଉଡି ଦପ୍ତର ଛିଣ୍ଡେ ତା ଚପଲ
ବିକି ଜମିଜମା ସେ ସର୍ବସ୍ବାନ୍ତ
ପ୍ରଲମ୍ବିତ ନ୍ଯାୟ ମଣିମା ଶୁଣିମା
ମିଳଇ ତାରିଖ ପରେ ତାରିଖ ।
ମିଳେନି ପାଇଟି ବସିରହି ଘରେ
ବାନ୍ଧି ହାତଗୋଡ ବସେ ସେ ଜାକି
ଥନ୍ତଲ ପେଟୁଆ ଦଲାଲ ବେପାରୀ
ବିକେ ଚଢାଦରରେ ଓଜନ ଠକି ।
ଦିଶେ ଚନ୍ଦ୍ରସୂର୍ଯ୍ୟ ଖଣ୍ଡିଆ ପଲାରେ
ସହୁଛି ଗରୀବ ବରଷା ଶୀତ
ଉଚ୍ଚ ଶିକ୍ଷା ସାରି ପିଲାଏ ବେକାର
ବିପଥଗାମୀ ବା ନିଶା ଆସକ୍ତ ।
ସଂରକ୍ଷଣ ନାମେ ଚାଲେ ପ୍ରହସନ
ମେଧା ଚୟନରେ ଘୋଟାଲାବାଜି
କପାଳକୁ ନିନ୍ଦେ ମେଧାବୀ ବିଚରା
ସୁୁଖସ୍ବପ୍ନ ତାର ଯୌବନେ ଭାଜି ।
କରନ୍ତି ଗାଲୁଆ ବାରବାଟୀ ଚାଷ
ଚଉକି କ୍ଷମତା ନିଶା ପ୍ରବଳ
ପହଁରି କୁହୁଡି ଜନ ଅସହାୟ
ଅର୍ଥ ବାହୁବଳେ ଚାଲଇ ଖେଳ ।
ନୀଚ୍ଚ ଦୁରାଚାରୀ ଉତ୍କଟ ଦୂଷଣ
ରାମରାଜ୍ଯ ସ୍ବପ୍ନ ନ କରୁ ଚୂର୍ଣ୍ଣ
କାହାରିକୁ କଷ୍ଟ ନଦିଅ ପ୍ରଭୁ ହେ
ମିଳୁ ଜନଗଣେ ସ୍ବଚ୍ଛ ଶାସନ ।
