କାଗଜ ଡ଼ଙ୍ଗା
କାଗଜ ଡ଼ଙ୍ଗା
ଯାଆରେ ଯାଆ ଭାସି ଯାଆ ମୋର କାଗଜ ଡ଼ଙ୍ଗା
ଦୂର ରାଇଜକୁ ଭାସି ଯାଆ ତୁ ନକରି ଦଙ୍ଗା ।
ଅଙ୍କାବଙ୍କା ରାସ୍ତା ଦେଖି ନଯିବୁ ଡରିରେ ତୁହି
ବାଟରେ ଭେଟିବୁ କେତେ ସାଙ୍ଗ ସାଥୀ ରହିରହି ।
ସଭିଙ୍କୁ କହିବୁ ବରଷା ରାଣୀର ଅବ୍ୟବସ୍ଥା
ଅସମୟେ ବରଷି କରୁଛି କେତେ ଯେ ହୀନସ୍ଥା ।
ବିନା ନଦୀ ଜଳେ ବନ୍ୟା ସୃଷ୍ଟିକରି ହରୁଅଛି
ନିରୀହ ଶିଶୁର ପରାଣ ଲୋ ସହି ଭାସୁଅଛି ।
କିଏ ସହିବ ସେହି ମାଆର ଆକୁଳ କ୍ରନ୍ଦନ
କୋହଭରା କଣ୍ଠେ ପଡ଼ିଶା କରନ୍ତି ଗୁଣଗାନ ।
ଶୁଣି ଯାଆରେ କାଗଜ ଡ଼ଙ୍ଗା ମୋ କାନଡେରି
ବୁଝାଇ କହିବୁ ବରଷା ରାଣୀକୁ ମନଭରି ।
କେତେବେଳେ ଦିଏ ଚାଷୀର ଆଖିରେ ଲୁହଧାର
ପୁଣି ମାଆର ହୃଦୟେ କୋହଭରା ଲୁଣିଝର ।
ପଚାରିବୁ ତାକୁ ଥରୁଟିଏ କାଗଜ ଡ଼ଙ୍ଗାରେ
ସନ୍ତୁଷ୍ଟ ହେଉଛି କି ସେ ସଲୀଳ ସମାଧିରେ ।
ଆହୁରି ପଚାରିବୁ କି କଲା ଏ ସଂସାର ତାହାର
କାହିଁକି ଦେଉଛି କଷଣ ସେ କରି ଛାରଖାର ।
ଯାଆ ଯାଆରେ କାଗଜ ଡ଼ଙ୍ଗା ତୁ ଭାସିଯାଆ
ଅନୁକୂଳ ପବନରେ ଯାଇ ଉତ୍ତର ଘେନି ଆ ।