କାବ୍ୟ ନାୟିକା
କାବ୍ୟ ନାୟିକା
ମୁସ୍କିଲ ଥିଲା କହିବା ବୋଲି ତ ,
କେତେ ନା କେତେ ସେ ଖିଆଲି ପ୍ରୟାସ
ଲେଖିବାର ତମାମ ତାଲିମ ସତ୍ୱେ
ଲିପିର କ୍ରମବିକାଶ ରେ
କେତେ କଣ ଅାବିଷ୍କାର
ପାନପତ୍ର ସଂକେତ ପ୍ରେମର
ଆଉ ସଂକ୍ଷେପରେ ପ୍ରଚାର
ଇଲୁ ଇଲୁ
୧୪୩ ପୁଣି ଆଇଏଲୟୁ' ର !!!
ଆଖିର ଆଦ୍ରତା ଆଉ
ହୃଦୟର ବ୍ୟାକୁଳତା ତ
ସବୁ କହିପକାଏ,
ତଥାପି,
ତୁମେ ଅଭିମାନିନୀ
ଇଛା କର
ଶୁଣିବାକୁ
ଅନାମନା କରୁଛି ତୁମକୁ
ଦି ' ହୃଦୟକୁ ଯୋଡୁ ଥିବା
ସେ ତିନି ପଦ ର ମୋହ !!
ବୁଝିବାକୁ ହୁଏ
ଅସ୍ପଷ୍ଟ ରହସ୍ୟ ମନର ପ୍ରତିକ୍ରିୟାରେ
ବହଲ କରୁଥିବା ସେ ଭଅର
ଆଉ ସାନ୍ଦ୍ରତାରେ ,
ବୁଝିବାକୁ ହୁଏ ଗଭୀରତା ନଈର
ତୁମେ ସବୁ ଜାଣି ଆଜିବି ଅବୁଝା !!
ଶୁଣିବାକୁ ହୁଏ
କିଏ କହୁ ଥାଏ କାନେ କାନେ
ମୁଁ ଆଉ ମୁଁ ହୋଇ ନାହିଁ
"ଭଲ ପାଏ ତୁମକୁ"
ହଁ ଭଲ ପାଏ ତୁମକୁ !!
ତିନୋଟି ଶବ୍ଦ ତ ନୁହେଁ ଏହା
ମୋହିନୀ ମନ୍ତ୍ର,
ଜଣକୁ ବଶୀଭୂତ କରିବାକୁ ଯଥେଷ୍ଟ
ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ,
ଆତ୍ମିୟତା ହିଁ
ଜଣଙ୍କୁ କ୍ଳୀବ ,
ଆଉ କାହାକୁ କରିଥାଏ ଜୀବନ୍ତ !!
ଆଜୀବନ ଶୁଆଟିଏ
ପୋଷା ମାନିଯାଏ
ଭୁଲିଯାଏ ଉଡ଼ିବା
ପରାଧୀନ ହୋଇଯାଏ
ପାପୁଲିର ସ୍ପର୍ଶରେ !!
ଶୁଣିଛି ଅନାମିକାର ସବୁ ସ୍ନାୟୁ ,
ଯାଏ ହୃଦପିଣ୍ଡକୁ ,
ଆବେଗର ଦଲିଲରେ ,
ଉଲ୍ଲେଖ ସର୍ତ୍ତାବଳୀକୁ କିଏ ପଢ଼େ
ଇଚ୍ଛା ଚୁମିବାକୁ ସେ ଆଧାର
କାଳେ ପହଞ୍ଚି ପାରିବ ମାେ ସ୍ୱlର୍ଥୀ ଅନୁଭବ
ତୁମେ ବୁଝନ୍ତ !!
କିଏ କାହିଁକି ପହଞ୍ଚି
ଦଖଲ କରିପାରିବ ନି ଜହ୍ନ
ସାରା ହୃଦୟ
ଆଉ କାହା ମନ !!
ପଥର ଖୋଦେଇ ନୁହେଁ ,
ପାନ୍ଥଶଳାରେ ଅଙ୍ଗାରେ ଲେଖା,
ପାଷାଣ ଦେହରେ ତୁମ ନା,
ସେ କୃଷ୍ଣଚୂଡ଼ା ଗଛର ବକଲରେ
ବସୁଥିବା ବେଞ୍ଚରେ ବି,
ଝୋଟି ପରି ଦିଶେ ଅଙ୍କିବାର ଆବେଗ
ଦୁହିଁଙ୍କ ପ୍ରଥମ ଅକ୍ଷର ମଧ୍ୟରେ ଥିବା ଯୁକ୍ତଚିହ୍ନ ,
ଆଜି ବିକୃତ ସତ
ତଥାପି ଆଖି ଖୋଜେ
ସେ ନାଆଁ,
ସେ ପାନପତ୍ର
ଆଉ ସେ ବାସ୍ନା ସ୍ମୃତିର !!
ଆଜି ବି ଅସମାହିତ ସେ ପ୍ରଶ୍ନ,
ସାହସ ହୋଇନି କଷିବାକୁ
ସେ ମିଶାଣ,
ଏବେ ଜାଣି ପାରେ
ବୀଜଗଣିତରେ ନ ଥିଲା ସମ୍ଭବ
ସମାଧାନହୀନ ଥିଲା ସେ ସମୀକରଣ !!
ପ୍ରେମ ବର୍ଣ୍ଣମାଳାରେ
ତୁମେ ସ୍ୱରବର୍ଣ୍ଣ ହେଲେ
ହୁଏ ଖାଲି ମାତ୍ରାକ୍ଷର,
ମାେ ଇଚ୍ଛା ସ୍ୱପ୍ନର ବ୍ୟାକରଣ ବହି
ତୁମର ସ୍ବାକ୍ଷରରେ ଯଦି ହୁଅନ୍ତା ଆମର ,
ନିଶ୍ଚୟ, ବ୍ୟଞ୍ଜନ ବର୍ଣ୍ଣ ସବୁ
ଦୁହିଁଙ୍କ ସହମତିରେ,
ଅଢେଇ ଅକ୍ଷର ହୋଇ
ପ୍ରେମ ଆମର ହୁଅନ୍ତା
ଯୁକ୍ତାକ୍ଷର ଆଉ ଅମର !!
ଏବେ ଅଭିଧାନରୁ ଉଡନ୍ତା ପକ୍ଷୀ ଙ୍କୁ
ଏକତ୍ରିତ କରି,
କାକଳିର ମୂର୍ଚ୍ଛନାରେ
ମୁଖରିତ ଭାବ ଫୁଟେଇ
ଦେଖେଇବାକୁ ଚେଷ୍ଟା ,
ହେଲେ ଆଉ ପାରେନା ଲେଖି ,
ତୁମ ନାଁ ସହ ମାେ ନାଁ ଆଉ
ଭଲ ପାଏ ତୁମକୁ ବୋଲି ,
ତଥାପି ତୁମେ,
ଏବେ,
ମାେ କାବ୍ୟନାୟିକା !!!