ଜ୍ୟୋତିର୍ମୟୀ ସଖୀ
ଜ୍ୟୋତିର୍ମୟୀ ସଖୀ
ସଖୀ କେବେ ତୁମେ ପାହାନ୍ତି ସପନ
ମେଘୁଆ ଅନ୍ଧାର ରାତି
ସଖୀ କେବେ ତୁମେ ଆଖି ଦରିଆରେ
ଢଳ ଢଳ ଲୁହ ମୋତି I
ସଖୀ କେବେ ତୁମେ ପଉଷ ସକାଳ
କାକର ବିନ୍ଦୁରେ ଶୀତ
ସଖୀ କେବେ ତୁମେ ଆମ୍ର କାନନେ
କୋଇଲି କଣ୍ଠରେ ଗୀତ I
ସଖୀ କେବେ ତୁମେ ସାଗର ବେଳାରେ
ଲୁଚିଥିବା ପାଦଚିହ୍ନ I
ସଖୀ କେବେ ତୁମେ ଶୁଖି ଆସୁଥିବା
ଅଳସୀ ନଈର ମନ I
ସଖୀ କେବେ ତୁମେ ରାତି ଆକାଶରେ
ଜହ୍ନ ପରି ଯାଅ ଉଇଁ
ସଖୀ କେବେ ତୁମେ ନୀଳ ସରୋବରେ
ପଲଟ ଗୋ ନୀଳକଇଁ I
ନିଦାଘେ ଗୋ ତୁମେ ମୁଣ୍ଡଫଟା ଖରା
ଚାତକୀ ତଣ୍ଟିର ଶୋଷ
କେବେ ତୁମେ ସଖୀ ଶରତ ସଞ୍ଜରେ
ଜହ୍ନିଫୁଲ ମୁହଁ ହସ I
ମୋ ଆଗରେ ସଦା ତୁମରି ରୂପର
ଜ୍ୟୋତି ଦୃଶ୍ୟମାନ ହୁଏ
ମୁହଁରେ ତୁମର ମଲ୍ଲୀଫୁଲ ହସ
ଆଖି ତୁମ କଥା କୁହେ I