STORYMIRROR

DILIP KUMAR SAHOO

Abstract Classics

4  

DILIP KUMAR SAHOO

Abstract Classics

ଜୟ ମା ମହାଲକ୍ଷ୍ମୀ

ଜୟ ମା ମହାଲକ୍ଷ୍ମୀ

6 mins
20



ପଦ୍ମାଳୟା ପଦ୍ମ ପ୍ରିୟା ପଦ୍ମା ପଦ୍ମାସନୀ

  ଶତକୋଟି ପ୍ରଣିପାତ ପାଦରେ ଜନନୀ। 

ମହାଲକ୍ଷ୍ମୀ ମହାମାୟା ନମୋ ନାରାୟଣୀ 

ବିଷ୍ଣୁ ପ୍ରିୟା ବିଶ୍ବ ରୂପା ହେ ବିଶ୍ଵ ରୂପିଣୀ।।


ସବୁରି ଆଶା ଭରସା ତୁମେ ଆଗୋ ମାଆ

ଯୁଗେ ଯୁଗେ ଭକତଙ୍କୁ ହୋଇଅଛ ସାହା ।

ତୁମେ ଦୟା କଲେ ଯାଏ ଅଭାବ ଉଭେଇ

ଅମା ଅନ୍ଧକାର ରାତି ଯାଏ ମାଗୋ ପାହି ‌।


 ମହାଲକ୍ଷ୍ମୀଙ୍କ ମହିମା ସୁଧିଜନେ ଶୁଣ

  ସୁଖ ଶାନ୍ତି ମିଳେ ମାଆ କରିଲେ କଲ୍ୟାଣ।

  ଭକ୍ତିରେ ବନ୍ଦନା କଲେ ମାଆଙ୍କ ଚରଣ

  ଧନ ଧାନ୍ଯରେ ଭଣ୍ଡାର ହୁଏ ପରିପୂର୍ଣ୍ଣ।


  ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 


ପରମେଶ୍ବରୀ ପରମ ବ୍ରହ୍ମ ସ୍ବରୁପିଣୀ 

ଶକତି ଦାୟିନୀ ମାଆ ସାଗର ଦୁଲଣୀ ।

କମାଳା ଶ୍ରୀହରି ପ୍ରିୟା ହେ ଲୋକ ଜନନୀ 

ଅଭୟ ବରଦା ମାଗୋ ହେ ବିଶ୍ଵ ପାଳିନୀ।


ଦେବତା କରନ୍ତି ନିତି ତୁମ ଆରାଧନା 

ସରଗରେ ନିନାଦିତ ତୁମରି ବନ୍ଦନା।

ମୁନି ଋଷି କରିଥାନ୍ତି ତୁମ ଅରଚନା  

ଧୂପ ଦୀପେ କରି ମାଗୋ ତୁମ ବନ୍ଦାପନା।


ତୁମ ଯୋଗୁ ସୁଷମା ରେ ଭରା ଏ ଧରଣୀ 

 ତୁମ ଯୋଗୁ ଧରା ହୁଏ ମା ଶସ୍ୟ ଶାଳିନୀ।

  ମମତା ର ପାରାବାର ତୁମେ ସ୍ନେହମୟୀ 

  ଅପାର ଆନନ୍ଦ ମିଳେ ତୁମ ନାମ ଗାଇ।

  

  ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 


ମାଆ ଙ୍କ ପ୍ରତି ବିଶ୍ଵାସ ଥାଏ ଯେଉଁ ଘରେ

ମାତା ଭଗବତୀଙ୍କର ନିବାସ ସେଠାରେ।

ଭକତିରେ ମାଆଙ୍କର ହୁଏ ପୂଜା ଯହିଁ 

ପ୍ରସନ୍ନ ହୁଅନ୍ତି ବିଷ୍ଣୁ ସେ ସ୍ଥାନକୁ ଯାଇ।


ସଫା ସୁତୁରା ତ ଥାଏ ସଦା ଯେଉଁ ଘର

ମାଆ ଲକ୍ଷ୍ମୀ ସେ ଘରକୁ କରନ୍ତି ଆଦର।

ସ୍ବଚ୍ଛ ମନ ସ୍ବଚ୍ଛ ପ୍ରାଣ ସ୍ବଚ୍ଛ ପରିବେଶ 

ଝରିପଡେ ସଦା ତହିଁ ମାଆଙ୍କ ଆଶିଷ।


ନିର୍ମଳ ଚିତ୍ତରେ ଯହିଁ ପୂଜା ମାଆଙ୍କର 

ଧନ ଧାନ୍ଯେ ପୁରି ଯାଏ ସେ ଘର ଭଣ୍ଡାର। 

ଭକ୍ତିରେ ବନ୍ଦନା କଲେ ମାଆଙ୍କ ଚରଣ

ସୁଖ ଶାନ୍ତି ମିଳେ ମାଆ କରିଲେ କଲ୍ୟାଣ।


     ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

     ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

       

    ଥିଲେ ଜଣେ ମହାଜନ ମାଆଙ୍କ ଭକତ 

    ଅଗାଧ ଭକ୍ତି ରେ ତାଙ୍କ ମହାଲକ୍ଷ୍ମୀ ପ୍ରିତ।

    ମାଆଙ୍କ ଦୟାରୁ ଧନ୍ୟ ସେହି ମହାଜନ

    ଧନ ଧାନ୍ଯେ ଘର ତାଙ୍କ ସଦା ପରି ପୂର୍ଣ୍ଣ।


   ପରିପୂର୍ଣ୍ଣ ଭଣ୍ଡାର କୁ ଦେଖି ମହାଜନ

   ମହାନନ୍ଦେ ମାଆଙ୍କୁ ସେ କରୁଥାନ୍ତି ଧ୍ଯାନ।

   ଚାରି ପୁଅ ଚାରି ବୋହୁ ଖୁସିର ସଂସାର 

   ମାଆ ଲକ୍ଷ୍ମୀଙ୍କର ତହିଁ କରୁଣା ଅପାର।


   ପୁଅ ବୋହୁ ମାନେ ସ୍ନେହ ଶରଧା ରେ ବନ୍ଧା 

   କେହି କେବେ କରନ୍ତିନି କାହାରିକୁ ନିନ୍ଦା।

    ଗୁରୁ ଗୁରୁଜନେ ସବୁ ଭକତି କରନ୍ତି 

    ସାନ ମାନଙ୍କୁ ତ ସବୁ ସ୍ନେହ କରିଥାନ୍ତି।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

       

    ଘର , ଘର ଚାରିପାଖ ସୁତୁରା ରଖନ୍ତି 

    ପରିଷ୍କାର ପରିଚ୍ଛନ୍ନ ସମସ୍ତେ ରୁହନ୍ତି।

    ସକାଳ ସଞ୍ଜ ରେ ନିତି ମାଆଙ୍କ ପ୍ରାର୍ଥନା 

    ଧୂପ ଦୀପ ଆଳତୀ ରେ ହୁଏ ବନ୍ଦାପନା।


    ମହାଜନ ଘର ଲାଗେ ସରଗ ଠୁ ବଳି

     କେହି କେବେ କରନ୍ତିନି ସେ ଘରେତ କଳି।

    ବାଦ ହିଂସା ଇର୍ଷା ଠାରୁ ଦୂରରେ ସମସ୍ତେ 

    ସ୍ମରନ୍ତି ଲକ୍ଷ୍ମୀ ଙ୍କୁ ସର୍ବେ ନିତି ଶୁଦ୍ଧ ଚିତ୍ତେ ।


    ଏମିତି ଘରକୁ ଅବା ମାଆ ଯେ କେମିତି

     ଛାଡି ଚାଲିଯିବେ ଆହା ମାଆ ମହାଲକ୍ଷ୍ମୀ ?

     ନାରାୟଣ ଙ୍କ ର କଥା ମନେ ପଡ଼ିବାରୁ 

     ଇଚ୍ଛା କଲେ ମହାମାୟା ଯିବାକୁ ସେଠାରୁ।


      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ     

  

   ମହାଜନଙ୍କୁ ସ୍ବପ୍ନରେ କହିଲେ ମା ହସି

     ବହୁଦିନ ଘରେ ତୁମ ରହିଲିଣି ଆସି ।

    ଘର ତୁମ ବଇକୁଣ୍ଠ ମୋତେ ତ ଲାଗଇ

    ସେଥିପାଇଁ ଏତେ ଦିନ ଗଲି ଏଠି ରହି।


     ଏବେ ପ୍ରଭୁ ନାରାୟଣ ପଡ଼ୁଛନ୍ତି ମନ

     ପାରିବିନି ରହି ଏଠି ମୁଁ ଯେ ବେଶି ଦିନ।

     ସ୍ବ ଧାମକୁ ମୋର ଏବେ ଫେରିଯିବି ମୁହିଁ 

    ଶୁଣି ମହାଜନ ଦେଲା ମୁହଁକୁ ଶୁଖାଇ।


     ମାଆଙ୍କ ଯୋଗୁ ହସୁଛି ତା ସୁନା ସଂସାର 

      ମାଆ ଛାଡି ଚାଲିଗଲେ ଘୋଟିବ ଅନ୍ଧାର।

     ମାଆ ଯେବେ ଯିବେ ଚାଲି ସବୁ ଯିବ ସରି

     ଚିନ୍ତା ରେ ତ ମହାଜନ ମଥା ହେଲା ଘାରି।


      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

           

     ମହାଜନ ମନକଥା ବୁଝି ପାରି ମାତ

     କହିଲେ ସେ ତୁମ ପ୍ରତି ସଦା ମୁଁ ଯେ ପ୍ରିତ

      ଯେଉଁଠି ଯେମିତି ମୋତେ କରିବ ସ୍ମରଣ

      ନିମିଷକେ ପହଞ୍ଚିବି ପାଖେ ତୁମ ଜାଣ।     


     ମାଆ ପୁଣି କହିଲେ ଯେ ଭକ୍ତ ମୋର ଶୁଣ

    ଯାହା ବର ମାଗୁଅଛ ମାଗ ମହାଜନ।

    ଭରି ଦେବି ଭଣ୍ଡାର କୁ ମନ ଜାଣି ତୁମ

    ଜୀବନଟା ସାରା ତୁମେ କରିବ ଆରାମ ।


    ମହାଜନ କହିଲେ ଯେ ହୋଇଣ ବିରଶ 

    ଅଛନ୍ତି ମୋ ଚାରି ବୋହୁ ନେବି ପରାମର୍ଶ।

    ଆସିବ ଯେ କାଲି ପୁଣି ସପନରେ ମାଆ

    ସେମାନେ କହିବେ ଯାହା ଜଣାଇବି ତାହା।।


     ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

     ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ


    ପରଦିନ ପ୍ରତ୍ୟୁଷରୁ ଉଠି ମହାଜନ

    ବୋହୁ ମାନଙ୍କୁ ସେ ତାର ଡାକିଲା ତକ୍ଷଣ।

    ମାଆଙ୍କ ସପନ କଥା ତାଙ୍କୁ ଯେ କହିଲା

    କି ବର ମାଗିବି କୁହ ତୁମେମାନେ ଭଲା।


     ମାଆ ଛାଡି ଚାଲିଯିବେ ବୋହୁ ମାନେ ଶୁଣି

     ଲାଗିଲା ବହିଲା କାଳ କରାଳ ଉଜାଣି।

     ମାଆ ଛାଡି ଚାଲିଯିବେ ଯାଚି ଦେଇ ବର

     କି ବର ମାଗିଲେ ପୁଣି ଉଛୁଳିବ ଘର !


    ଶଶୁର ଙ୍କ କଥା ଶୁଣି ଚାରି ବୋହୁ ମାନେ

     ସପନ କଥା କୁ ବସି ବିଚାରିଲେ ମନେ।

    ଯାହାକୁ ଲାଗିଲା ଯାହା ଭଲ ସେ କଥାଟି

    ଶଶୁର ଙ୍କୁ ଜଣାଇଲେ ଯାଇ ଗୋଟିଗୋଟି।


   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

    ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

      

  ବଡ ବୋହୁ କହିଲେ ଯେ ମାଆ ଙ୍କୁ କୁହନ୍ତୁ 

  ଖାଦ୍ୟ ଶସ୍ୟେ ଅମାରକୁ ଭରି ସେ ଦିଅନ୍ତୁ।

  ପ୍ରଚୁର ଧନ ସମ୍ପତ୍ତି ମାଗିବା ପାଇଁ କି 

  ଦ୍ବିତୀୟ ବୋହୁ କହିଲେ ଶଶୁରେ ଚାହିଁ କି ।


   ତୃତୀୟ ବୋହୁ ର ଲୋଡ଼ା ଉଆସ ବିରାଟ

  ରାଜ ପ୍ରସାଦ ପରିକା ହୋଇଥିବ ସେତ ।

   ଚତୁର୍ଥ ବୋହୁଟି ଥିଲା ସବୁଠୁ ବିଦ୍ୱାନ 

   ସୁନ୍ଦର କଥାଟି ସିଏ କହିଲା ଯେ ଜାଣ ।


   ମାଆ ଲକ୍ଷ୍ମୀ ଙ୍କୁ ମାଗନ୍ତୁ ଏତିକି ଆମର

   ପରିବାରେ ସ୍ନେହ ଶ୍ରଦ୍ଧା ରହୁ ନିରନ୍ତର।

   ବୈକୁଣ୍ଠ ସମାନ ହେଉ ଏହି ଆମ ଘର

   ଏ ଘରେ କରନ୍ତୁ ବାସ ପ୍ରଭୁ ଚକ୍ରଧର।


   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

    

    ପରଦିନ ସ୍ବପ୍ନେ ଯେବେ ମାଆ ତ ଆସିଲେ

    ମହାଜନ ଦେଖି ତାଙ୍କୁ ପ୍ରଣିପାତ କଲେ ।

    ସାନ ବୋହୁ କହିଥିଲା ଯାହା ତ ବୁଝାଇ 

     ମାଆଙ୍କୁ ତ ମହାଜନ ମାଗିଲେ ତା ଯାଇ ।


     ମହାଜନ କଥା ଶୁଣି ଜଗତର ମାତ 

      ସହସା ଦ୍ବନ୍ଦରେ ପରା ପଡିଗଲେ ସେତ ।

     କହିଲେ ପ୍ରଭୁ ତ ଯଦି ରହିବେ ଏ ଘରେ

     କାହିଁକି ବା ଯିବି ଆଉ ମୁଁ ଯେ ମୋର ପୁରେ।


     ମହାଜନ ମନବାଞ୍ଛା ମାତା ପୂର୍ଣ୍ଣ କଲେ

      ପ୍ରଭୁ ଙ୍କ ସହିତ ତାଙ୍କ ଗୃହରେ ରହିଲେ ।

      ଘର ପାଲଟିଲା ଆହା ବଇକୁଣ୍ଠ ପୁର

      ସ୍ନେହ ଶ୍ରଦ୍ଧା ଉଛୁଳିଲା ଯହିଁ ନିରନ୍ତର।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ


         ( ୨)


       ବୈକୁଣ୍ଠ ପୁରରୁ ଥରେ ପ୍ରଭୁ ନାରାୟଣ

     ବାହାରିଲେ କରିବାକୁ ପୃଥିବୀ ଭ୍ରମଣ ।

     ସୃଷ୍ଟିକର୍ତ୍ତା ତାଙ୍କ ସୃଷ୍ଟି ବିଶ୍ବ ବ୍ରହ୍ମାଣ୍ଡ କୁ

     ମନ କଲେ ନଭ ଦେଶୁ ବୁଲି ଦେଖିବାକୁ।


 

;     ଗରୁଡ଼ ପ୍ରସ୍ତୁତ ହେଲେ ବଇକୁଣ୍ଠ ଦ୍ବାରେ

      ମାଆ ଲକ୍ଷ୍ମୀ ଇଚ୍ଛା କଲେ ଯିବାକୁ ସାଥିରେ।

     ସାଥେ ଯିବା ପାଇଁ ମାଆ କଲେ ଯେବେ ମନ

      ସର୍ତ୍ତ ଟିଏ ରଖିଲେ ତ ଜଗତ ଜୀବନ।


     ସର୍ତ୍ତ ଥିଲା ମାତା ଯେବେ ସାଥିରେ ଚଳିବେ 

     ଉତ୍ତର ଦିଗକୁ ଜମା ଚାହିଁବେନି ତିଳେ।

     ସର୍ତ୍ତ ମାନି ମହାଲକ୍ଷ୍ମୀ ବିଷ୍ଣୁ ଙ୍କ ସାଥିରେ 

      ପୃଥିବୀ ଭ୍ରମଣ ପାଇଁ ବାହାର ହୋଇଲେ।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ


        

     ଗରୁଡ଼ ପୃଷ୍ଠରେ ବିଜେ ଲକ୍ଷ୍ମୀ ନାରାୟଣ 

     ଆକାଶ ରୁ କରୁଥାନ୍ତି ପୃଥିବୀ ଦର୍ଶନ।

      କି ସୁନ୍ଦର ଜଳ ସ୍ଥଳ ବଣ ପରବତ 

     ପ୍ରକୃତିର ଶୋଭା ମନ ମୋହି ନିଏ ସେତ।


      ଶୋଭାରେ ବିଭୋର ଲକ୍ଷ୍ମୀ ସର୍ତ୍ତ ଭୁଲିଗଲେ 

      ଉତ୍ତର ଦିଗକୁ ମାଆ କ୍ଷଣେ ଚାହିଁଦେଲେ।

       ଆହାକି ସୁନ୍ଦର ଏକ ଉପବନ ତହିଁ 

       ପଲକ ମାତରେ ତାଙ୍କ ମନ ନେଲା ମୋହି।


       ଗରୁଡ଼ ଙ୍କୁ ସେହିଠାରେ ମାଆ ଅଟକାଇ

        ଉପବନ ବୁଲିବାକୁ ସେତ ଗଲେ ଧାଇଁ।

        ରଙ୍ଗ ବେରଙ୍ଗର ଫୁଲେ ଭରା ଉପବନ

        ଆଖି ରହିଯାଏ ଲାଖି ହଜିଯାଏ ମନ।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

          

      ଉତ୍ତର ଦିଗକୁ ମାଆ ଚାହିଁ ଦେଲେ ଯେଣୁ

      ଅଜଣାତେ ସର୍ତ୍ତ ଭଙ୍ଗ କରିଲେ ସେ ତେଣୁ।

      ମାଳି କୁ ମା ନଜଣାଇ  ଫୁଲ ଯେ ତୋଳିଲେ

      କଥାଟି ଉଚିତ ନୁହେଁ ଭୁଲ୍ ସେ କରିଲେ।


      ସର୍ତ୍ତ ଭଙ୍ଗ ପାଇଁ ପ୍ରଭୁ କ୍ରୋଧିତ ହୋଇଲେ

      ସର୍ତ୍ତ ଭଙ୍ଗ ପାଇଁ ତାଙ୍କୁ ଦଣ୍ଡ ଶୁଣାଇଲେ।

      ତିନିବର୍ଷ କାଳ ,ମାଳି ଘରେ ସେ ରହିବେ

      ଚାକରାଣୀ ଭାବେ ତାଙ୍କ ସେବା ଯେ କରିବେ।


      ପ୍ରଭୁଙ୍କର କଥା ମାନି ପ୍ରଭୁ ଙ୍କୁ ପ୍ରଣମି 

      ମାଳିର ଘରକୁ ଗଲେ ମାଆ ମହାଲକ୍ଷ୍ମୀ।

      ଚିରା ଫଟା ଲୁଗା ପିନ୍ଧି ସାଧାରଣ ବେଶେ

      ମାଆ ତ ଚଳିଲେ ତହୁଁ ମାଳିଙ୍କର ପାସେ।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

        

      ମାଳି ର କୁଡିଆ ଆଗେ ଉଭା ମହାଲକ୍ଷ୍ମୀ 

      ଆଶ୍ଚର୍ଯ୍ୟ ହୋଇଲେ ମାଳି ମାଆଙ୍କୁ ତ ଦେଖି।

      ପଚାରିଲେ ମାଳି ତୁମେ କିଏ ଆଗୋ ଝିଅ

      ଏ ଗରିବ ଦୁଆରରେ କିବା କାମ କୁହ ?


      ମହାଲକ୍ଷ୍ମୀ କହିଲେ ଯେ ମୁଁ ତ ନିଃସହାୟା

      ପିତୃ ମାତୃ ହୀନା ମୋର ନାହିଁ କେହି ସାହା ।

      ଆସିଛି ମୁଁ ଆଶା ନେଇ ଦୟା କର ବାରେ

      ଆଶ୍ରା ଦିଅ ରହିବି ମୁଁ ତୁମରି ଏ ଘରେ।


       ଘରେ ତୁମ ଚାକରାଣୀ ଭାବେ ମୁଁ ରହିବି

       ଦିନ ରାତି ତୁମର ମୁଁ ସେବା ଯେ କରିବି।

       ଯାହା ତୁମେ ଆଦେଶିବ କରିବ ପାଳନ

      ଭଲରେ ମନ୍ଦରେ ତୁମ ନେବି ମୁଁ ଯତନ ।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

           

      ମାତା ଙ୍କର କଥା ଶୁଣି କହିଲେ ସେ ମାଳି

      ଏ ଗରିବ ଘରେ ଝିଅ ପାରିବତ ଚଳି ?

       ସବୁଦିନ ଆମ ଘରେ ଚୂଲି ଜଳେ ନାହିଁ 

       ଚଳିବାକୁ ହେବ ପରା ଯାହା ତାହା ଖାଇ।


      ବଗିଚା କାମରେ ମୋତେ ସାହାଯ୍ୟ କରିବ

       ଜାତି ଜାତି ଗଛ ଲତା, ପାଣି ନିତି ନେବ।

       ନିଇତି ସକାଳୁ ଫୁଲ ତୋଳି ଯେ ଆଣିବ

       ଠାକୁର ଙ୍କ ପାଇଁ ମାଳ ଯତନେ ଗୁନ୍ଥିବ।


       ମାଳିଙ୍କ କଥାରେ ଲକ୍ଷ୍ମୀ ରାଜି ହୋଇଗଲେ

       ଝିଅ ପରି ତାଙ୍କ ଘରେ ସେ ଯାଇ ରହିଲେ।

       ମାଳିଙ୍କର ତିନି ଝିଅ ତାଙ୍କ ସାଥେ ମିଶି

       ମାଆ କାଟୁଥାନ୍ତି ଦିନ ହୋଇ ହସ ଖୁସି।


       ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

           

    ବିଷ୍ଣୁଙ୍କର ଆଦେଶ କୁ ଲକ୍ଷ୍ମୀ ମଥା ପାତି 

     ସର୍ତ୍ତ ଭଙ୍ଗ ଯୋଗୁ ମାଳି ସେବା କରୁଥାନ୍ତି।

     ଘର ର ସମସ୍ତ କାମ ଖୁସିରେ କରନ୍ତି 

     କାମ ଦେଖି ସମସ୍ତେ ତ ପ୍ରଶଂସା କରନ୍ତି।


     ଧନ୍ୟ ସେହି ବଗିଚା ର ମାଳି ଯେ ମହାନ

    ଯାହାର କୁଟୀରେ ମାଆ କଲେ ଅବସ୍ଥାନ।

     ମମତାମୟୀ ମା ସେତ ସ୍ନେହ ଶରଧା ରେ

    ବୁଣି ଗଲେ ହସ ଖୁସି ସାରା ପରିବାରେ।


    ବିଚାରା ମାଳି ବା କାହୁଁ ଏକଥା ବୁଝିବ

     ଘରେ ତାର ମହାଲକ୍ଷ୍ମୀ ବଡ ତାର ଭାଗ୍ୟ 

    ରାଜରାଣୀ ଚାକରାଣୀ ତା ଘରେ ହୋଇଲେ

    ଦାସୀ ପରି ରହି ତହିଁ ସେବା ଯେ କରିଲେ।


      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

      ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ

        

      ମାଳିଙ୍କୁ ନିଜ ରୂପ ଦେଖାଇଲେ ମାତା

      ମହାଲକ୍ଷ୍ମୀ ମହାମାୟା ରୂପେ ଆବିର୍ଭୂତା

      ପାଟବସ୍ତ୍ର ପରିହିତା ଜଗତର ମାତା

      ନାନା ସ୍ବର୍ଣ୍ଣ ଅଳଙ୍କାରେ ହୋଇଣ ଶୋଭିତା।


      ଏ ଅପୂର୍ବ ରୂପ ଦେଖି ମାଳି ଯେ ଚକିତ

      ପାଦେ ତାଙ୍କ ଲୋଟି ଗଲେ ହୋଇ ଯୋଡ ହସ୍ତ।

      ମାଆ ତାଙ୍କୁ ସ୍ବ ହହସ୍ତରେ ଉଠାଇ ଧରିଲେ

      ଏକି କର ପିତା ମୋର ସମ୍ବୋଧନ କଲେ।


      ଏତେ ଦିନ ଧରି ମୋତେ ଘରେ ଦେଲ ସ୍ଥାନ

      ନିଜ ଝିଅ ପରି ମୋର ନେଲ କେତେ ଯତ୍ନ।

      ପାରିବିନି ସୁଝି ଜମା ତୁମର ସେ ଋଣ

      ମାଆଙ୍କର କଥା ଶୁଣି ମାଳି ହେଲେ ଧନ୍ୟ।


        ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

        ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ


        ଆଶିଷ ବରଷି ମାଆ ବିଦାୟ ଯେ ନେଲେ

    ମାଳିଙ୍କର ଜୀବନକୁ ବଦଳାଇ ଦେଲେ।

    ଅଭାବ କଷଣ ସବୁ ହୋଇ ଗଲା ଦୂର 

   ଅପସରି ଗଲା ପରା ଅମା ଅନ୍ଧକାର ।


    କୁଡ଼ିଆ ଯେ ପାଲଟିଲା ପ୍ରାସାଦ ସୁନ୍ଦର 

    ଧନ ଧାନ୍ଯ ପ୍ରାଚୁର୍ଯ୍ଯରେ ହୋଇ ଭରପୁର ।

    ଖୁସିରେ ତ ମାଳିଙ୍କର ଘର ଉଛୁଳିଲା

    ଚଉଦିଗେ ଲକ୍ଷ୍ମୀଙ୍କର ନାମ ଶୁଭୁଥିଲା।


   ମାଳି ଙ୍କର ଝିଅମାନେ ସବୁ ଝଟକିଲେ

    ରାଜା ଘର ଝିଅ ପରି ସମସ୍ତେ ଦିଶିଲେ ।

    ଭଲ ଘର ବର ଦେଖି ଝିଅଙ୍କୁ ଯେ ମାଳି

    ବିଭା ଦେଇ ମାତାଙ୍କୁ ଯେ କଲେ ଜପା ମାଳି


   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

           

  ସବୁରି ଓଠରେ ମାଆ ତୁମରି ବନ୍ଦନା

ମାଟିରୁ ଆକାଶେ ତୁମ ମହିମା ମୂର୍ଚ୍ଛନା।

ଝରିପଡେ ଯାହାପରେ ତୁମରି ଆଶିଷ 

ମହାନ ସେ ଭକ୍ତ ପାଇ ତୁମରି ପରଶ।


ଭେଦଭାବ ଉଚ୍ଚ ନୀଚ୍ଚ ତୁମର ମା ନାହିଁ 

ପତିତ ଜନର ସାହା ପାସେ ପାସେ ରହି।

କୁଡିଆ ପାଲଟି ଯାଏ ନିମିଷେ ଉଆସ 

ଢାଳିଦିଅ ତୁମେ ମାଆ ଯେବେ ଗୋ ଆଶିଷ।


  ଅପାର ମହିମା ମୟୀ ହେ ଦୁଃଖ ହାରିଣୀ 

ଭକତ ବତ୍ସଳା ଲକ୍ଷ୍ମୀ ସୁଖ ପ୍ରଦାୟିନୀ।

  ଭକ୍ତିରେ ବନ୍ଦନା କଲେ ତୁମରି ଚରଣ

  ସୁଖ ଶାନ୍ତି ମିଳେ ମାଆ କରିଲେ କଲ୍ୟାଣ।     


    ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ 

   ହେ ମାଆ ମହାଲକ୍ଷ୍ମୀ ହେ ମାଆ ମହାଲକ୍ଷ୍ମୀ ।।


Rate this content
Log in

Similar oriya poem from Abstract