ଜୟ ମା ଜଗଦ୍ଧାତ୍ରୀ
ଜୟ ମା ଜଗଦ୍ଧାତ୍ରୀ
ଜୟ ମାଗୋ କୃପାମୟୀ ଜଗତ ଜନନୀ
ଧୂମାବତୀ ଅନ୍ନପୂର୍ଣ୍ଣା ଜୀବନ ଦାୟିନୀ ।
ଆଦ୍ୟ ଆଷାଢ଼ରେ ମାତ କରେ ମୁଁ ଜୁହାର
ଭଗବତୀ ଜଗବତୀ ମୋତେ ରକ୍ଷା କର ।
ଧରା ପୃଷ୍ଠେ ଆସ ମାତ କରେ ଆବାହନ
ଜପ ତପ ଜାଣେ ନାହିଁ ମୁହିଁ ଯେ ଅଧମ ।
ନେତ୍ର ପାରି ବସିଛି ମା ତୋର ପଥ ଚାହିଁ
କେବେ ହେବ ଆଗମନ ଭକତଙ୍କ ପାଇଁ ।
ଝାଉଁଳି ପଡିଛି ମାତ ମୋ ଆଶା ମୁକୁଳ
ଅଜ୍ଞାନ ସନ୍ତାନ ପ୍ରତି ନକର ମା ଛଳ ।
ଖେଦ ହ୍ରଦେ ପ୍ରତିଦିନ ଭାଗ୍ୟ ତରୀ ଡୁବେ
ଅମ୍ବର ତଳକୁ ଚାହିଁ ତୋର କଥା ଭାବେ ।
ମନେ ମନେ କେତେ ଛବି ଆଙ୍କି ନିଏ ତୋର
ହିରଣ୍ମୟ ରୂପ ଦିଶେ ଅତି ମନୋହର ।
ପୁଣି ଚିନ୍ତେ ହୃଦ ଗତେ ଚପଳା ସଦୃଶ୍ୟ
ବଦନ ଝଲସେ ସତେ ରାଜିବ ବିଳାସ ।
ଉତ୍ସୁକତା ମନେ ଯେବେ ଦେଖେ ମୁଁ ହ୍ରଦିନୀ
ନବ ବିବାହିତା ପାଦେ ନୂପୁର ବାଜେଣୀ ।
ନଲି ପାଟ ନାଲି ଶଂଖା ଝଲସି ଉଠଇ
ସାଧବ ବୋହୁଟି ସତେ ଆନନ୍ଦେ ଆସଇ ।
ବୀନଙ୍ଗନା ବେଶ ଧରି ଦଶ ଭୁଜା ହାତେ
ଅସୁର ନାଶିନୀ ସତେ ଅବତୀର୍ଣ୍ଣ ମର୍ତ୍ତ୍ୟେ ।
ପୁଷ୍ପାଞ୍ଜଳି କରେ ମାଗୋ ଆସିଛି ତୋ ଦ୍ଵାରେ
ଆଶିଷ ବର୍ଷାଇ ମୋତେ ରଖ ତୋ ପୟରେ ।
