ଜୟ ଜଗନ୍ନାଥ
ଜୟ ଜଗନ୍ନାଥ
ପଥର ଦେଉଳେ ଦାରୁଭୂତ ପ୍ରଭୁ
ବସିଅଛ ଜଗନ୍ନାଥ
ବସିଛ ମଉନେ ତୁମେ ଭଗବାନ
ଦେଖୁଛ କଷଣ ଦୁଃଖ
ଭକତ ମରୁଛି ଝୁରି
ସତ କୁହ ପ୍ରଭୁ ଭଜି ତୁମ ନାମ
କିପରି ହୋଇବେ ପାରି ।
ସୁପବିତ୍ର ତୁମ ବଡ଼ଦାଣ୍ଡ ଧୂଳି
ଶ୍ରୀକ୍ଷେତ୍ର ପୁରୁଷୋତ୍ତମ
ଉଡାଉଛ ବାନା ପତିତପାବନ
କୈବଲ୍ୟ ମୁକତି ଧାମ
ବସି ରତ୍ନ ସିଂହାସନେ
ବରଷକୁ ଥରେ ରଥେ ବସି ଯାତ୍ରା
କର ଉଲ୍ଲସିତ ମନେ ।
ସତ୍ୟ ଚିଦାନନ୍ଦ ପରମ ଈଶ୍ୱର
ଜଗଦୀଶ ଜଗନ୍ନାଥ
ଆଲୋକେ ଉଜ୍ଜ୍ୱଳ ହୁଏ ଏ ଜଗତ
ହୃଦେ ସଦା ପ୍ରତିଭାତ
ଦିଅ ସଦବୁଦ୍ଧି ଜ୍ଞାନ
ସୁଲଭୁ ମଣିଷ ଦିବ୍ୟ ଶୁଭାଶିଷ
ସାର୍ଥକ ହେଉ ଜୀବନ ।
ସେବା ପରମାର୍ଥ ହେଉ ଚରିତାର୍ଥ
ଲକ୍ଷ୍ୟ ମଙ୍ଗଳ କଲ୍ୟାଣ
ବରଷୁ ଅମୃତ ଭରୁ ସବୁଜିମା
ଉଦୟ ହୁଅ ଅରୁଣ
ଦୂର ହେଉ ଅନ୍ଧକାର
କୋଟି ସୂର୍ଯ୍ୟ ପ୍ରଭ ସମୁଜ୍ଜଳ ଚନ୍ଦ୍ର
ନିର୍ନିମେଷ ଦୁଇ ନେତ୍ର ।
----
