ଜୟ ହନୁମାନ
ଜୟ ହନୁମାନ


ଜୟଜୟ ହନୁମାନ ହେ ଜୟ ଭକତ ପ୍ରିୟ
ତୁମ ନାମ ଜପ କରିଲେ ଦୂର ହୁଅଇ ଭୟ।
କରୁଣାର ଅବତାର ହେ ପ୍ରଭୁ ମହିମା ମୟ
ପାଦରେ ତୁମର ପ୍ରଣାମ ଘେନ ହେ ଦୟାମୟ।
ଦେବୀ ଅଞ୍ଜନା ଙ୍କ ତନୟ କେଶରୀ ଙ୍କ ନନ୍ଦନ
ପବନ ଙ୍କ ସୂତ ପ୍ରଭୁ ହେ ତୁମେ ଭକ୍ତ ଜୀବନ।
ତୁମରି ଜନମ କଥାହେ ସେତ ଦିବ୍ୟ କାହାଣୀ
କେତେ କିମ୍ବଦନ୍ତୀ ପୁରାଣ ଯାଇଛନ୍ତି ବଖାଣୀ।
ଶିବଙ୍କର ଅବତାର ହେ ତୁମେ ରାମ ଭକତ
ତୁମ ଜୟଗାନ ନିଇତି କରୁଅଛି ଜଗତ ।
ଅପ୍ସରା ଯେ ଜଣେ ସ୍ବର୍ଗ ର ନାମ ପୁଞ୍ଜିକସ୍ଥଳା
ବ୍ରହ୍ମାଙ୍କର ଅଭିଶାପ ରେ ମର୍ତ୍ତ୍ୟେ ଜନମ ନେଲା।
ଗୌତମ ଋଷି ଙ୍କ ତନୟା ନାମ ଅଞ୍ଜନା ହେଲା
ରାଜା କେଶରୀ ଙ୍କ ସହିତ ତାଙ୍କ ବିବାହ ହେଲା।
ଅଞ୍ଜନା କେଶରୀ ଉଭୟେ ଥିଲେ ଶିବ ଭକତ
ଶିବଙ୍କର ପୂଜା କରନ୍ତି ନିତି ନିଷ୍ଠା ରେ ସେତ।
ଶିବଙ୍କୁ ତ ପୁତ୍ର ରୂପରେ ଆହା ପାଇବାପାଇଁ
ଅଞ୍ଜନା କରନ୍ତି ତପସ୍ୟା ମନ ଧ୍ଯାନ ଯେ ଦେଇ।
ଏଣେ ଦିନେ ଘୋର ଜଙ୍ଗଲେ ଶିବ ଆଉ ପାର୍ବତୀ
ମର୍କଟ ଦମ୍ପତି ରୂପରେ କରୁଥଲେ ଯେ ରତି।
ଏକାଳେ ପବନ ଦେବତା ତହିଁ ପହଞ୍ଚି ଗଲେ
ଲାଜରେ ଦମ୍ପତି ରତି ରୁ ସେତ ବିରତ ହେଲେ।
ଏଥୁଅନ୍ତେ ମହାଦେବଙ୍କ ଶକ୍ତି ହେଲା ନିର୍ଗତ
ପବନ ଦେବତା ଶକ୍ତି ଙ୍କୁ ନେଲେ ଉଡ଼ାଇ ସେତ।
ଅଞ୍ଜନା ଯେ ଘୋଷୁଥିଲେ ତ ସଦାଶିବ ଙ୍କ ନାମ
ଅନ୍ଯ କେଉଁ ଦିଗ ପ୍ରତି ଯେ ତାଙ୍କ ନଥିଲା ଧ୍ୟାନ।
ଅଞ୍ଜନା ଙ୍କ ଗର୍ଭେ ଗୁପତେ ସେହି ଶକ୍ତି ଙ୍କୁ ନେଇ
ଯତନରେ ରଖିଦେଲେ ତ ଦେବ ପବନ ଯାଇ।
କିଛିଦିନ ପରେ ଅଞ୍ଜନା ହେଲେ ଗରଭ ବତୀ
ସଦା ସଦାଶିବ ନାମକୁ ମନେ ଘୋଷୁଯେ ଥାନ୍ତି।
ଗର୍ଭବତୀ ହୋଇ ଅଞ୍ଜନା ମେଷ ସଙ୍କରାନ୍ତି ଦିନ
ଜନମ ତ ଦେଲେ ଦେବୀ ଯେ ଏକ ପୁତ୍ର ସନ୍ତାନ।
ଡ଼ଉଲ ଡାଉଲ ଶିଶୁଟି ଦେଖିବାକୁ ସୁନ୍ଦର
ହନୁମାନ ନାମ ଦେଲେ ଯେ ପିତା ମାତା ତାଙ୍କର।
ରାମାୟଣ ଦିବ୍ୟ ପୁରାଣ ପୁଣି ବଖାଣି ଛନ୍ତି
ହନୁମାନ ଙ୍କର ଜନମ ସେତ ହେଲା କେମିତି।
ପୁତ୍ର ପାଇଁ ଦେବୀ ଅଞ୍ଜନା ତପ କରିବା ବେଳେ
ପୁତ୍ର ପାଇଁ ଦଶରଥ ଯେ ଯଜ୍ଞ କରୁଯେ ଥିଲେ।
ଦଶରଥଙ୍କର ଭକ୍ତିରେ ଯଜ୍ଞ ଦେବତା ସେତ
ସନ୍ତୁଷ୍ଟ ହୋଇଣ ଦେଲେ ଯେ ଚରୁ ଅନ୍ନ ହାଣ୍ଡି ତ।
ତିନି ରାଣୀ ସେହି ଅନ୍ନକୁ ବାଣ୍ଟି ଖାଇବା
ବେଳେ
ତହିଁ ରୁତ କିଛି ଅନ୍ନ ଯେ ପଡିଗଲା ତ ତଳେ।
ତଳେ ପଡିଥିବା ଅନ୍ନକୁ କାଉ ଥଣ୍ଟରେ ନେଇ
ଗଛଟିଏ ପରେ ବସିଣ ଖାଉଥିଲା ଯେ ସେହି।
ତା ଥଣ୍ଟରୁ ଅନ୍ନ କଣା ଟି ଯେବେ ପଡ଼ିଲା ଖସି
ଉଡାଇତ ନେଲେ ପବନ ଅନ୍ନ କଣାକୁ ଆସି।
ତପସ୍ୟା ରେ ରତ ଅଞ୍ଜନା ହସ୍ତ ଆଞ୍ଜୁଳିରେତ
ଚରୁ ଅନ୍ନ କଣା ପବନ ନେଇ ରଖି ଦେଲେତ।
ଆଖି ଖୋଲି ଦେବୀ ଅଞ୍ଜନା ଅନ୍ନ କଣା ଦେଖିଲେ
ପ୍ରଭୁଙ୍କ ଆଶିଷ ଭାବିଣ ଅନ୍ନ ପାଇ ଯେ ଦେଲେ ।
ଅଯୋଧ୍ୟା ର ତିନି ରାଣୀ ଙ୍କ ପରି ଅଞ୍ଜନା ସେତ
କିଛିଦିନ ପରେ ହୋଇଲେ ଦେବୀ ଗର୍ଭ ବତୀତ।
ମେଷ ସଙ୍କରାନ୍ତି ଦିନ ଯେ ହେଲା ଗର୍ଭ ବେଦନା
ପୁତ୍ର ଟିଏ ଜନ୍ମ ଦେଇ ତ ମାଆ ହେଲେ ଅଞ୍ଜନା।
ହନୁମାନ ସେହି ପୁତ୍ରକୁ ପିତାମାତା ଡାକିଲେ
ଅଞ୍ଜନା ତନୟ ବୋଲି ସେ ବିଶ୍ବେ କ୍ଷାତ ହୋଇଲେ।
ପିତା ଯେଣୁ ତାଙ୍କ କେଶରୀ ସେ କେଶରୀ ସୂତଟି
ମରୁତ ଙ୍କ ଯୋଗୁ ଜନମ ତେଣୁ ହେଲେ ମାରୁତି।
ଶୈଶବ କାଳରେ ଆଶ୍ଚର୍ଯ୍ୟ କଥାଟିଏ ଘଟିଲା
ଦେଖିଣ ଯାହାକୁ ଜଗତ ଆହା ଚକିତ ହେଲା।
ଉଦୟ ସୂର୍ଯ୍ୟଙ୍କୁ ମାରୁତି ଫଳଟିଏ ଭାବିଲେ
ଖୁସି ହୋଇ ସୂର୍ଯ୍ୟ ଦେବଙ୍କୁ ସେତ ଗିଳି ଯେ ଦେଲେ।
ହନୁମାନ ଙ୍କର ତଣ୍ଟି ରେ ସୂର୍ଯ୍ୟ ଗଲେ ଯେ ଲାଖି
ଅନ୍ଧକାର ସାରା ଜଗତେ ଏଣେ ଗଲା ଯେ ଘୋଟି।
ରାଗିଯାଇ ଇନ୍ଦ୍ର ହନୁ ଙ୍କୁ ଦେଲେ ଶକ୍ତ ପ୍ରହାର
ସୂର୍ଯ୍ୟ ବାହାରିଲେ ତଣ୍ଟି ରୁ ହଟି ଗଲା ଅନ୍ଧାର।
ଇନ୍ଦ୍ରଙ୍କର ବଜ୍ର ପ୍ରହାରେ ଶିଶୁ ହନୁମାନ ଟି
ବଜ୍ର ପରି ହୋଇଗଲା ଯେ ଆହା ତାଙ୍କ ଦେହଟି।
ବଜରଙ୍ଗୀ ନାମ ବହିଲେ ସେହି ଦିନ ରୁ ସେତ
ସେଥିପାଇଁ ଲଂଘି ପାରିଲେ ସାତ ସାଗର ସେତ।
ସୀତା ଠାବ କରି ଲଙ୍କା କୁ ଦେଲେ ସେ ଜାଳି ପୋଡ଼ି
ରାମ ରାବଣଙ୍କ ଯୁଦ୍ଧରେ ଦେଲେ ଲଙ୍କା ଉଜାଡ଼ି।
ଜୀବନଟା ସାରା ରାମଙ୍କ ଦାସ ହୋଇ ରହିଲେ
ଜୟ ରାମ ଜୟ ଶ୍ରୀରାମ ସଦା ଗାଉ ଯେ ଥିଲେ।
ହନୁମାନ ଙ୍କୁ ତ ଜପିଲେ ଦୂର ହୁଏ ଅନ୍ଧାର
ସଙ୍କଟ ରୁ ସଦା ଭକ୍ତ ଙ୍କୁ କରନ୍ତି ସେ ଉଦ୍ଧାର ।
ଜୟଜୟ ହନୁମାନ ହେ ଜୟ ଜୟ ହେ କପି ଇଶ
ଭକତିରେ ଯିଏ ଡାକଇ ଢାଳି ଦିଅ ଆଶିଷ।
ଦାଉ ଧକ୍କା ଯାଏ ଉଭେଇ ତୁମ ନାମ ଜପିଲେ
ଭରିଯାଏ ଶାନ୍ତି ମନରେ ତୁମ ନାମ ଜପିଲେ।
ପାଦରେ ତାଙ୍କର ଅଧମ କରେ ଏଇ ମିନତି
ସବୁ ମନେ ଭରି ଦିଅନ୍ତୁ ପ୍ରଭୁ ସେ ସୁଖ ଶାନ୍ତି।