ଏମିତି ନଥିଲା ଏ ସହର
ଏମିତି ନଥିଲା ଏ ସହର


ଏଠି ପ୍ରେମ ଥିଲା,
ଭାବପ୍ରବଣତାର ସୁଗନ୍ଧ ମଳୟ ଥିଲା
ଭବନାର ଭିଡ଼ ଭିତରେ ଆଶ୍ୱାସନାର ନିରବତାଟିଏ ଥିଲା
କରୁଣାର କଦମ୍ବ ବି ପଥଧାରେ ଫୁଟିଥିଲା
ହେଲେ ଆଜିଭଳି ଏ ସହର ଏମିତି ନିଷ୍ଠୁର ନଥିଲା।
ଏଠି ଆତ୍ମୀୟତା ଥିଲା,
ଜଣଙ୍କର ଲୁହରେ ଆଉ ଏକ ହୃଦୟ ଗୁମୁରି ଉଠୁଥିଲା
ହାତରେ ହାତ ମିଶେଇବାର ଅଜଣା ଉମଙ୍ଗଟିଏ ଥିଲା
ଏବେ ଦଶଟି ଜାଗାରେ ଯୋଡିଏ ଘର ଥିଲା
ହେଲେ ଆଜିଭଳି ଏ ସହର ଏମିତି ସ୍ୱାର୍ଥପର ନଥିଲା।
ଏଠି ପୁଳାଏ ଆଲୋକ ଥିଲା
ପ୍ରତିଯୋଗିତାର ବହଳ କୁହୁଡ଼ି ନଥିଲା
ଖୁବ ଦୂରରୁ ବି ମୁହଁ ସବୁ ଚିହ୍ନି ହେଉଥିଲା
ମଣିଷଟିଏ ମଣିଷ ପରି ବାରି ହେଉଥିଲା
ହେଲେ ଆଜିଭଳି ଏ ସହର ଏମିତି ଅନ୍ଧାର ନଥିଲା।
ଏଠି ଶାନ୍ତି ଥିଲା
ଇର୍ଷା ଓ ଅହଙ୍କାରର ଏମିତି ଗୁଣ୍ଡାରାଜ ନଥିଲା
ଅନୀତି ଭିତରେ ନୀତି ଲୋକହସା ହେଉନଥିଲା
ହସର ପାଖୁଡ଼ାରେ ସହରଟା ଖୁବ ମହକୁଥିଲା
ହେଲେ ଆଜିଭଳି ଏ ସହର ଏମିତି ଉଦାସୀ ନଥିଲା।
ଏଠି ଗୋଟେ ମେଳା ଥିଲା
ଋତୁ ମାନଙ୍କର ଭାରି ଗହଳ ଚହଳ ଥିଲା
ଖରା ବର୍ଷା ଶୀତର ଏମିତି ସ୍ବେଛାସଚାରିତା ନଥିଲା
ଆକାଶରେ ଘନ ନୀଳିମା ଓ ଜହ୍ନତାରାର ରୋଷଣୀ ଥିଲା
ହେଲେ ଆଜିଭଳି ଏ ସହର ଏମିତି ଅଭିଶପ୍ତ ନଥିଲା।